ଅନୈତିକ ପ୍ରେମ ଶିଶୁପୁତ୍ର ଜୀବନ ନେଲା

ହତ୍ୟା ଅଭିଯୁକ୍ତ ପ୍ରେମିକ ଓ ପ୍ରେମିକା ଗିରଫ, ମାଟି ତଳୁ ଉଦ୍ଧାର ହେଲା ଶିଶୁର ଗଳିତ ଶବ

ପଟ୍ଟାମୁଣ୍ଡାଇ : ସମ୍ପ୍ରତି ପରକୀୟା ପ୍ରୀତି ଓ ଅନୈତିକ ପ୍ରେମ ସମ୍ପର୍କ ଘଟଣା ବୃଦ୍ଧି ପାଉଥିବାରୁ ସାମାଜିକ ବ୍ୟବସ୍ଥା ଭୁଶୁଡି ପଡ଼ିବାରେ ଲାଗିଛି । ମା’ର ଅନୈତିକ ପ୍ରେମ ସମ୍ପର୍କ ଯୋଗୁଁ ଏକ ନିଷ୍ପାପ ଶିଶୁ ପୁତ୍ରର ଜୀବନ ଚାଲିଯାଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଦିହୁଡିପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗ୍ରାମର ସୁକାନ୍ତ ନାଥଙ୍କ ପତ୍ନୀ ସସ୍ମିତା ନାଥ ନିଜର ପିଲାଙ୍କୁ ପଢାଇବା ପାଇଁ ଗାଁରୁ ଆସି ପଟ୍ଟାମୁଣ୍ଡାଇ ସହର ଚୂନଡିହଠାରେ ଘର ଭଡ଼ା ନେଇ ରହୁଥିଲେ। ପଟ୍ଟାମୁଣ୍ଡାଇ ସହର ଭଡା ଘରେ ସସ୍ମିତାଙ୍କ ସହିତ ବଡ଼ ଝିଅ (୧୨)ବର୍ଷ, ବଡ଼ପୁଅ (୧୦) ବର୍ଷ ଓ ସାନପୁଅ( ୨) ବର୍ଷ ରହୁଥିଲେ। ସସ୍ମିତାଙ୍କ ସ୍ୱାମୀ ସୁକାନ୍ତ ବେଙ୍ଗାଲୁରୁରେ ରହି କାମ କରୁଛନ୍ତି । ଇତ୍ୟବସରରେ ସସ୍ମିତାଙ୍କର ପଟ୍ଟାମୁଣ୍ଡାଇ ଥାନା ଗୋପ୍ତିରା ଗ୍ରାମର ଲଷ୍ମୀଧର ବାଇଙ୍କ ସହିତ ଦୀର୍ଘ ୬ ମାସ ହେବ ଅନୈତିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମିକ ଲଷ୍ମୀଧର ବିବାହିତ ପ୍ରେମିକା ସସ୍ମିତାଙ୍କୁ ଧରି ରାଜ୍ୟ ବାହାରକୁ ଯିବା ପାଇଁ ସ୍ଥିର କରିଥିଲେ। ଯୋଜନା ଅନୁଯାୟୀ ବଡ଼ଝିଅ ଓ ପୁଅକୁ ସ୍ୱାମୀଙ୍କ ପରିବାର ପାଖରେ ଛାଡିବାକୁ ଥିବାବେଳେ ମା’ କ୍ଷୀର ଖାଉଥିବା ଦୁଇବର୍ଷର ନିଷ୍ପାପ ଶିଶୁ ପୁତ୍ର ଏଥିରେ ବାଧକ ସାଜିଥିଲା। ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଯୋଜନା ପ୍ରସ୍ତୁତ ହେଲା । ୧.୧୦.୨୦୨୨ ତାରିଖ ଅପରାହ୍ଣ ୨ଟା ସମୟରେ ଉଭୟ ପ୍ରେମିକ ଲଷ୍ମୀଧର ଓ ପ୍ରେମିକା ସସ୍ମିତା ଶିଶୁ ପୁତ୍ରକୁ ଗାଧୁଆଘରକୁ ନେଇ ଚଟାଣରେ କଚାଡି ଦେଇଥିଲେ। ଶିଶୁ ପୁତ୍ରଟି ସଂଜ୍ଞାହୀନ ହୋଇ ପଡିବାରୁ ତାକୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ଏହା ପରେ ଶିଶୁପୁତ୍ର ଭଡା ଘର ଶିଡ଼ିରୁ ପଡି ମୃତ୍ୟୁବରଣ କରିଥିବା ସସ୍ମିତା ଶାଶୂଘର ଲୋକଙ୍କୁ ଜଣାଇବା ସହିତ ମାଟିଆପଡା ଗ୍ରାମରେ ତାର ଶବକୁ ପୋତି ଦେଇଥିଲେ । ତେବେ ଘଟଣାଦିନ ଭଡା ଘରେ ଉପସ୍ଥିତ ଥିବା ମୃତ ଶିଶୁପୁତ୍ରର ବଡ଼ଭଉଣୀ ଓ ଭାଇ ଘଟଣାସ୍ଥଳରେ ପହଞ୍ଚ ଲଷ୍ମୀଧର ତାକୁ ସସ୍ମିତା ଉପସ୍ଥିତିରେ ଗାଧୁଆ ଘରେ କଚାଡି ଦେଇଥିବା ଦେଖିବାକୁ ପାଇଥିଲେ। ୨.୧୦.୨୦୨୨ ତାରିଖରେ ସସ୍ମିତାଙ୍କ ବାପା ଏହି ଘଟଣା ଶୁଣି ତାଙ୍କ ଶାଶୂଘରକୁ ଆସିଥିବାବେଳେ ସସ୍ମିତାଙ୍କ ବଡ଼ଝିଅ ତା’ ଅଜା ଆଗରେ ସେ ଦିନର ଘଟଣା ବର୍ଣ୍ଣନା କରିବା ସହିତ ସସ୍ମିତାଙ୍କ ପ୍ରେମିକ ଲଷ୍ମୀଧର ତାର ଛୁଆ ଭାଇକୁ ଗାଧୁଆ ଘରେ କଚାଡି ମାରି ଦେଇଥିବା ନେଇ ପ୍ରକାଶ କରିଥିଲା। ଏହି ସମ୍ପର୍କରେ ଶୁଣିବା ପରେ ସସ୍ମିତାଙ୍କ ବାପା ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଏ ବିଷୟରେ ପଟ୍ଟାମୁଣ୍ଡାଇ ଥାନାକୁ ଜଣାଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତଙ୍କ ନିର୍ଦେଶରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ସସ୍ମିତାଙ୍କ ପ୍ରେମିକ ଲଷ୍ମୀଧର ମା ଉପସ୍ଥିତିରେ ତାଙ୍କର ୨ବର୍ଷର ନିଷ୍ପାପ ସାନ ଭାଇକୁ ଗାଧୁଆ ଘରେ କଚାଡି ମାରି ଦେଇଥିବା ପୁଲିସରେ ବୟାନ ଦେଇଥିଲା । ପଟ୍ଟାମୁଣ୍ଡାଇ ପୁଲିସ ଏହି ଅଭାବନୀୟ ଘଟଣାର ରହସ୍ୟ ଉନ୍ମୋଚନ କରିବା ପାଇଁ କୌଶଳ କ୍ରମେ ମୃତ ଶିଶୁପୁତ୍ରର ମା ତଥା ଲଷ୍ମୀଧରଙ୍କ ପ୍ରେମିକା ସସ୍ମିତାଙ୍କୁ ଥାନାକୁ ଡକାଇ ଆଣିଥିଲା । ନିଜକୁ ବଞ୍ଚାଇବା ସହିତ ଅନୈତିକ ପ୍ରେମ ସମ୍ପର୍କକୁ ଲୁଚାଇବାକୁ ଯାଇ ପ୍ରେମିକା ସସ୍ମିତା ତାର ଶିଶୁପୁତ୍ରକୁ ପ୍ରେମିକ ଲଷ୍ମୀଧର ଭଡା ଘର ଗାଧୁଆ ଘରେ କଚାଡି ମାରି ଦେଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲା । ପଟ୍ଟାମୁଣ୍ଡାଇ ପୁଲିସ ପ୍ରେମିକ ଲଷ୍ମୀଧରକୁ ଜେରା କରିବା ପରେ ସସ୍ମିତାଙ୍କ ସହିତ ଅନୈତିକ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛି।
ଆଜି ପଟ୍ଟାମୁଣ୍ଡାଇ ତହସିଲଦାର ତଥା ମାଜିଷ୍ଟ୍ରେଟ ଦିଲ୍ଲୀପ ସେଠୀଙ୍କ ସମ୍ମୁଖରେ ପୁଲିସ ଅଭିଯୁକ୍ତର ବୟାନ ରେକର୍ଡ କରିଛି। ଏଥି ସହିତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ତପନ କୁମାର ରାଉତ, ତଦନ୍ତକାରୀ ଅଫିସର ଅନନ୍ତ ବିଶ୍ୱାଳ ପ୍ରମୁଖ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିଆପଡା ଗ୍ରାମରୁ ମାଟି ତଳେ ପୋତା ହୋଇଥିବା ଶିଶୁପୁତ୍ରର ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Comments are closed.