ରସାୟନ ବିଜ୍ଞାନ ବିଶ୍ବ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଭୁବନେଶ୍ବର ଆଇଆଇଟି ପ୍ରଫେସର ଭି.ଆର୍‌.​ପେଡ୍ଡିରେଡ୍ଡି

ଭୁବନେଶ୍ବର:ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ରସାୟନ ବିଜ୍ଞାନ ବିଶ୍ବ ଶ୍ରେଷ୍ଠ ବୈଜ୍ଞାନିକ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନ ଶ୍ରେଷ୍ଠ ବିଶ୍ବ ବୈଜ୍ଞାନିକ ତାଲିକାରେ ୧୫୯୪ଜଣଙ୍କୁ ରାଙ୍କ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଭାରତର ମାତ୍ର ୨ ପ୍ରତିଶତ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ଶ୍ରେଷ୍ଠ ବିଶ୍ବ ବୈଜ୍ଞାନିକ ରାଙ୍କ ପ୍ରଦାନ କରାଯାଇଛି। ଓଡ଼ିଶାର ଭୁବନେଶ୍ବର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ର ପ୍ରଫେସର ଭି.ଆର୍‌.​‌ପେଡ୍ଡିରେଡ୍ଡିଙ୍କୁ ରସାୟନ ବିଜ୍ଞାନ ଶ୍ରେଷ୍ଠ ବିଶ୍ବ ବୈଜ୍ଞାନି ତାଲିକାରେ ୧୧୧୦ ରାଙ୍କ ମିଳିଛି। ରସାୟନ ବିଜ୍ଞାନ ଶ୍ରେଷ୍ଠ ବୈଜ୍ଞାନିକ ରାଙ୍କରେ ସ୍ଥାନ ପାଇବା ପରେ ପ୍ରଫେସର ଭି.ଆର୍‌.ପେଡ୍ଡିରେଡ୍ଡିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ପ୍ରଫେସର ଭି.ଆର୍‌.ପେଡ୍ଡିରେଡ୍ଡି ରସାୟନ ବିଜ୍ଞାନରେ ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଏମ୍‌ଏସ୍‌ସି ଡିଗ୍ରୀ ହାସଲ କରିଥିବାବେଳେ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଛନ୍ତି। ଭୁବନେଶ୍ବର ଆଇଆଇଟିର ସ୍କୁଲ ଅଫ୍‌ ବେସିକ୍‌ ସାଇନ୍ସ ବିଭାଗର ଷ୍ଟୁଡେଣ୍ଟ ଆଫେୟାର୍‌ ଡିନ୍‌ ଥିବାବେଳେ ରସାୟନ ବିଜ୍ଞାନରେ ପ୍ରଫେସର ଭାବେ ଶିକ୍ଷାଦାନ କରୁଛନ୍ତି। ତାଙ୍କର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ୬ଟି ଜର୍ଣ୍ଣାଲ୍‌ରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ଏହାପୂର୍ବରୁ ଭି.ଆର୍‌.ପେଡ୍ଡିରେଡ୍ଡି ନ୍ୟାସ୍‌ନାଲ୍‌ କେମିକାଲ୍‌ ଲାବରେଟୋରିର ଶ୍ରେଷ୍ଠ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ୍‌ର ପ୍ରଫେସର ଆର୍‌.ସି.ଶାହ ଆୱାଡ, କେମିକାଲ୍‌ ସାଇନ୍ସରେ ବି.ଏମ୍‌.ବିର୍ଲା ସାଇନ୍ସ ପୁରସ୍କାର ଆଦି ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।

ସମଗ୍ର ବିଶ୍ବରେ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୈଜ୍ଞାନିକଙ୍କ ଏକ ତାଲିକା ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ଏଥିରେ ନୂଆ ଗବେଷଣା, ଜର୍ଣ୍ଣାଲ୍‌ରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶନ, ଶିକ୍ଷାଦାନ, ନୂତନ ପାଠ୍ୟଖସଡ଼ା ପ୍ରସ୍ତୁତ ଆଦିକୁ ନେଇ ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା।

Comments are closed.