ବନ୍ଦ ହଷ୍ଟେଲରେ ଦେଢ଼ ମାସ: ମୋବାଇଲ ଆଲୁଅରେ ପଢ଼ୁଥିଲେ ପାଠ, ଇଣ୍ଡକ୍ସନରେ କରୁଥିଲେ ରୋଷେଇ

ପାଠ ପଢ଼ାର ଭୂତ ଯେତେବେଳେ ମୁଣ୍ଡରେ ସବାର ହୋଇଯାଏ ସେତେବେଳେ ଜଣେ କିଛି ବି କରିପାରେ । କେହିକେହି ପଢ଼ିବା ପାଇଁ ରାତିରେ ରାସ୍ତା କଡ଼ର ଷ୍ଟ୍ରିଟ ଲାଇଟ୍ ବ୍ୟବହାର କରୁଥିବା ଶୁଣିବାକୁ ମିଳିଛି । ସେହିପରି କେହିକେହି ପିଲା ପଢ଼ିବା ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣେଇଛନ୍ତି । ମାତ୍ର କାନପୁର ଆଇଆଇଟିର ଜଣେ ଛାତ୍ର ଏକ ଦେଢ଼ମାସ ଧରି ହଷ୍ଟେଲର ଏକ କୋଠରୀରେ ନିଜକୁ ବନ୍ଦ କରି ପଢ଼ିବା ଘଟଣା ନୂଆ ।

ଘଟଣାଟି ଏହିପରି ଲକଡ଼ାଉନ ଯୋଗୁଁ ଅନ୍ୟ ଶିକ୍ଷାନୁଷ୍ଠାନ ପରି କାନପୁର ଆଇଆଇଟି ବନ୍ଦ କରି ଦିଆଯାଇଥିଲା । ହଷ୍ଟେଲର ସବୁ ପିଲାଙ୍କୁ ଘରକୁ ଯିବାକୁ କୁହାଯାଇଥିଲା । ସମସ୍ତେ ଘରକୁ ଚାଲି ଯାଇଥିଲେ । ମାତ୍ର ଏମଟେକ୍ ପ୍ରଥମ ବର୍ଷର ଜଣେ ଛାତ୍ର ହଷ୍ଟେଲରେ ନିଜ କୋଠରୀରେ ଲୁଚି ରହିଥିଲା । ଲାଇଟ୍ ବନ୍ଦ କରି ଖଟ ତଳେ ମୋବାଇଲ ଆଲୁଅରେ ପାଠ ପଢ଼ୁଥିଲା । ଏହି ସମୟରେ ନା ପଙ୍ଖା ଚଳାଇଥିଲା, ନା  ଆଲୁଅ । ଭାତ, ଡ଼ାଲି, ବିସ୍କୁଟ ଓ ସ୍ନାକ୍ସ ଖାଇ ନିଜର ପାଠ ପଢ଼ାରେ ଲାଗିଥିଲା । ନିରାପତ୍ତାରକ୍ଷୀଙ୍କ ଦୃଷ୍ଟି ଏଡ଼ାଇ ୩/୪ ଦିନରେ ଥରେ ବାହାରକୁ ଯାଇ ଚାଉଳ ଡ଼ାଲି କିଣି ଆଣୁଥିଲା । ମାତ୍ର ଯେତେ​‌ବେଳେ ଘଟଣା ଜଣାପଡ଼ିଲା ସେତେବେଳେ ଆଇଆଇଟି ପ୍ରଶାସନ ତାକୁ ବାହାରକୁ ଆଣିଲେ । ସ୍ବାସ୍ଥ୍ୟ ପରୀକ୍ଷା କରି ଘରକୁ ପଠାଇଲେ।

ଲକ୍ ଡ଼ାଉନ ଯୋଗୁଁ ଯେତେବେଳେ ହଷ୍ଟେଲ ବନ୍ଦ କରିଦିଆଗଲା ସେତେବେଳେ ସବୁ ଛାତ୍ର ଘରକୁ ଚାଲି ଯାଇଥିଲେ । ଏହି ଛାତ୍ରଜଣକ ନିଜ କୋଠରୀରେ ତାଲା ପକାଇ ଗୋଟିଏ ଚାବି ହଷ୍ଟେଲ ୱାର୍ଡ଼େନଙ୍କୁ ଦେଇଥିଲେ ଓ ଅନ୍ୟ ଗୋଟିଏ ଚାବି ନିଜ ପାଖରେ ରଖିଥିଲେ । ସମସ୍ତେ ଚାଲିଯିବା ପରେ ସେ ଚୁପଚାପ ନିଜ କୋଠରୀ ଚାବି ଖୋଲି ହଷ୍ଟେଲରେ ରହିଥିଲେ । ମଝିରେ ମଝିରେ ସେ ବାହାରକୁ ଯାଉଥିଲେ, ମାତ୍ର କେହି ଦେଖିବା ପୂର୍ବରୁ ଫେରି ଆସୁଥିଲେ । ଇଣ୍ଡକ୍ସନରେ ରୋଷେଇ କରୁଥିଲେ ଏବଂ ମୋବାଇଲ ଆଲୁଅରେ ପାଠ ପଢ଼ୁଥିଲେ । ମାତ୍ର ଦିନକ ତଳେ ସେ କବାଟ ବନ୍ଦ କରିବାକୁ ଭୂଲି ଯାଇଥିଲେ । ସୁରକ୍ଷା କର୍ମୀ ଏହାକୁ ଦେଖି କୋଠରୀ ଯାଞ୍ଚ କରିବାକୁ ଆସିବା ବେଳକୁ ଛାତ୍ରଜଣକ ଖଟ ତଳେ ମୋବାଇଲ ଆଲୁଅରେ ପଢ଼ାପଢ଼ି କରୁଥିବା ଦେଖିଲେ । ଏ ସମ୍ପର୍କରେ ସେ ତୁରନ୍ତ ୱାର୍ଡ଼େନଙ୍କୁ ସୂଚନା ଦେଲେ । ୱାର୍ଡ଼େନ ଡ଼ାକ୍ତର ଡ଼କାଇ ଛାତ୍ରଙ୍କର ସ୍ବାସ୍ଥ୍ୟ ପରୀକ୍ଷା କଲେ । ସେ ସୁସ୍ଥ ଥିଲେ, ତେଣୁ ତାଙ୍କୁ ଘରକୁ ପଠାଇ ଦିଆଗଲା । ନିର୍ଦେଶକ ପ୍ରଫେସର ଅଭୟ କରନ୍ଦିକର କହିଛନ୍ତି ଯେ ଛାତ୍ରଜଣକ ନିଜର ଭୁଲ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଲକଡ଼ାଉନ ଅଳ୍ପ ଦିନରେ ସରିଯିବ ଭାବି ସେ ଘରକୁ ଯିବାକୁ ଚାହିଁ ନ ଥିଲେ ଓ ପାଠ ପଢ଼ାରେ ଲାଗିଥିଲେ । ତାଙ୍କୁ ସୁରକ୍ଷିତ ଭାବରେ ଘରକୁ ପଠାଇ ଦିଆଯାଇଛି ।

Comments are closed.