ଏଥର ବିନା ପ୍ରବେଶିକାରେ ଇଗ୍ନୋରେ ଏମ୍‌ବିଏ ନାମଲେଖା

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ପ୍ରକ୍ରିୟା ଆସନ୍ତା ୨୩ରେ ଶେଷ ହେବ। ପ୍ରାୟ ୨ ଶହ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନ୍‌ଲାଇନ୍‌(ସଞ୍ଚାର ଜରିଆ)ରେ ବିଦ୍ୟାର୍ଥୀ ଆବେଦନ କରିପାରିବେ। ନାମଲେଖା ପାଇଁ ପ୍ରାର୍ଥୀ ଇଗ୍ନୋର ଅଫିସିଆଲ ୱେବ୍‌ସାଇଟ୍‌ ‘www.ignou.ac.in’ ମାଧ୍ୟମରେ ସବିଶେଷ ବିବରଣୀ ପାଇପାରିବେ। ଅନ୍ୟପକ୍ଷରେ ଏଥର ଏମ୍‌ବିଏ ପାଠ୍ୟକ୍ରମର ନାମଲେଖାକୁ କୋହଳ କରାଯାଇଛି। ଏଥର ବିନା ପ୍ରବେଶିକାରେ ବିଦ୍ୟାର୍ଥୀ ଏମ୍‌ବିଏ ନାମ ଲେଖାଇପାରିବେ।

ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଅଧୀନରେ ଥିବା ୨୧ଟି ଜିଲାର ଛାତ୍ରଛାତ୍ରୀ ୮୨ଟି ଶିକ୍ଷାକେନ୍ଦ୍ର ମାଧ୍ୟମରେ ଶିକ୍ଷାଲାଭ କରିପାରିବେ। ସାର୍ଟିଫିକେଟ, ଡିପ୍ଲୋମା, ପିଜି ଡିପ୍ଲୋମା, ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଚଳିତ ମାସ ୨୩ ତାରିଖ ଆବେଦନ ଓ ନାମଲେଖାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏଥର ଶିକ୍ଷାନୁଷ୍ଠାନ‌େ‌ର ମୋଟ ୭ଟି ନୂଆ ପାଠ୍ୟକ୍ରମ ଖୋଲିଛି। ସ୍ନାତକୋତ୍ତର ବର୍ଗରେ ଏମ୍‌ଏସ୍‌ସି ଇନ୍‌ ଇନ୍‌ଫରମେସନ୍‌ ସିକ୍ୟୁରିଟି(ସୂଚନା ସୁରକ୍ଷା), ଏମ୍‌ ଇନ୍‌ ଇଣ୍ଟରପ୍ରିନରସିପ୍‌, ଏମ୍‌ ଇନ୍‌ ଜ୍ୟୋତିଷ, ଲୋକନୃତ୍ୟ ଓ ସାଂସ୍କୃତିକ ଶିକ୍ଷା ପାଠ୍ୟକ୍ରମରେ ବିଦ୍ୟାର୍ଥୀ ନାମ ଲେଖାଇପାରିବେ। ସେହିପରି ପିଜି ଡିପ୍ଲୋମା ବର୍ଗରେ ଡିପ୍ଲୋମା ଇନ୍‌ ଡିଜିଟାଲ ମିଡ଼ିଆ, ଡିପ୍ଲୋମା ଇନ୍‌ ଡେଭଲପମେଣ୍ଟ କମ୍ୟୁନିକେସନ, ଡିପ୍ଲୋମା ଇନ୍‌ ବୁକ୍‌ ପବ୍ଲିସିଙ୍ଗ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ଅନ୍ୟପକ୍ଷରେ ପୂର୍ବରୁ ଏମ୍‌ବିଏ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଥିବାବେଳେ ଏଥର ବିନା ପ୍ରବେଶିକାରେ ନାମ ଲେଖାଯିବ। ସ୍ନାତକ ପାଠ୍ୟକ୍ରମରେ ୫୦ % କିମ୍ବା ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ତେବେ ସଂରକ୍ଷିତ ବର୍ଗର ବିଦ୍ୟାର୍ଥୀ ସ୍ନାତକରେ ୪୫% ନମ୍ବର ରଖିଥିଲେ ନାମ ଲେଖାଇପାରିବେ। ଏମ୍‌ବିଏ ପାଠ୍ୟକ୍ରମ ପାଇଁ ଚଳିତ ମାସ ୩୦ ସୁଦ୍ଧା ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଏହି ଦୁଇବର୍ଷିଆ ପାଠ୍ୟକ୍ରମ ପାଇଁ ବିଦ୍ୟାର୍ଥୀ ପାଠ୍ୟକ୍ରମ ଦେୟ ବାବଦକୁ ପ୍ରତି ସେମିଷ୍ଟର (ଅଧିବେଶନ) ପିଛା ୧୪ ହଜାର ଟଙ୍କା ଦେବାକୁ ପଡ଼ିବ।

ଭୁବନେଶ୍ବର ଆଞ୍ଚଳିକ ନିର୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ କହିଛନ୍ତି, ଏଥର ପ୍ରଥମ ଥର ଏମ୍‌ବିଏ ପାଠ୍ୟକ୍ରମରେ ବିଦ୍ୟାର୍ଥୀ ବିନା ପ୍ରବେଶିକାରେ ନାମ ଲେଖାଇପାରିବେ। ଇଗ୍ନୋ ୱେବ୍‌ସାଇଟ୍‌କୁ ଯାଇ ବିଦ୍ୟାର୍ଥୀ ସବିଶେଷ ତଥ୍ୟ ପାଇପାରିବେ। ଅନ୍ୟ ପାଠ୍ୟକ୍ରମର ନାମଲେଖା ୨୩ ତାରିଖରେ ଶେଷ ହେବ ବୋଲି ସେ କହିଛନ୍ତି।

Comments are closed.