ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି : ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବ୍ୟୁନସ୍‌ ଐରିସ୍ : ଆର୍ଜେଣ୍ଟିନା ବିପକ୍ଷ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଶନିବାର ବୋନସ୍‌ ଏରିଜ୍‌ରେ ଖେଳାଯାଇଥିବା ଲିଗ୍‌ର ପ୍ରଥମ ମ୍ୟାଚରେ ଭାରତ ସୁଟ୍‌ଆଉଟ ୩-୨ ଗୋଲରେ ଅଲିମ୍ପିକ୍‌ସ ଚମ୍ପିଆନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।
ଖେଳର ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ୨୧ ମିନିଟ୍‌ରେ ଭାରତ ପକ୍ଷରୁ ହରମନପ୍ରୀତ୍‌ ସିଂହ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ପଛରେ ରହିବା ପରେ ଆର୍ଜେଣ୍ଟିନା ମ୍ୟାଚକୁ ଦୃଢ଼ତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ୨ ୮ ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ମାର୍ଟିନ ଫେରାରିଓ ଗୋଲ ଦେଲ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ୩୦ ମିନିଟରେ ମାର୍ଟିନ ୨ୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୨-୧ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ଅନ୍ତିମ କ୍ବାର୍ଟର ତଥା ଖେଳର ଶେଷ ମିନିଟ୍‌ରେ ଭାରତ ପକ୍ଷରୁ ହରମନପ୍ରୀତ୍‌ ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ନ ସରିବାରୁ ଟାଇବ୍ରେକର ପେନାଲ୍‌ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ଭାରତ ୩-୨ରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଗୋଲ୍‌ରକ୍ଷକ ପି.ଆର୍‌. ଶ୍ରୀଜେଶ ଚମତ୍କାର ପ୍ରଦର୍ଶନ କରି ଗୋଲ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଶ୍ରୀଜେଶ ଆର୍ଜେଣ୍ଟିନା ଖେଳାଳି ଲ୍ୟୁକାସ ଭିଲା, ମାର୍ଟିନ ଫେରାରିଓ ଓ ଇଗ୍ନାସିଆ ଅଟ୍ରିଜ୍‌୍ଙ୍କ ସଟ୍‌କୁ ରୋକିବାରେ ସକ୍ଷମ ହୋଇଥିଲେ। ଆର୍ଜେଣ୍ଟିନାର ଅଭିଜ୍ଞ ଗୋଲ୍‌ରକ୍ଷକ ୟୁଆନ ଭିଭାଲ୍‌ଡିଙ୍କୁ ପରାସ୍ତକରି ଦିଲପ୍ରୀତ୍‌ ସିଂହ ଶେଷ ସୁଟ୍‌ଆଉଟ୍‌ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ହରମନପ୍ରୀତ୍‌ ସିଂହ ପ୍ଲେୟର ଅଫ ଦି ମ୍ୟ​ାଚ୍‌ ହୋଇଥିଲେ। ଭାରତ ୭ଟି ମ୍ୟାଚରୁ ୧୨ ପଏଣ୍ଟ ପାଇ ୫ମ ଓ ଆର୍ଜେଣ୍ଟିନା ୧୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ଉଭୟ ଦଳ ମଧ୍ୟରେ ୨ୟ ମ୍ୟାଚ ରବିବାର ରାତିରେ ଖେଳାଯିବ।

Comments are closed.