ଇଫକୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ନୂଆଦିଲ୍ଲୀ : ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ (ଇଫକୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି। ଭାରତରେ ଇଫକୋର ଅନଲାଇନ ଏବଂ ଅଫଲାଇନ ପଦ୍ଧତିରେ ଅନୁଷ୍ଠିତ ୫୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆରଜିବି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନାନୋ ୟୁରିଆ ତରଳ ପ୍ରଚଳନର ଶୁଭାରମ୍ଭ କରାଯାଇଛି। ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନରୁ ପ୍ରେରଣା ଲାଭ କରି ଏହି ଉତ୍ପାଦ ବିକଶିତ କରାଯାଇଛି। ‘ଆତ୍ମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ଆଧାରରେ ଇଫକୋର ଗୁଜରାଟର କାଲୋଲଠାରେ ଥିବା ନାନୋ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟରଠାରେ ଏହାର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଦ୍ୱାରା ବହୁବର୍ଷର ଉତ୍ସର୍ଗୀକୃତ ଏବଂ ଏକନିଷ୍ଠ ଗବେଷଣା ପରେ ସଂପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ଏହି ନାନୋ ୟୁରିଆ ତରଳର ବିକାଶ କରାଯାଇଛି। ଇଫକୋ ନାନୋ ୟୁରିଆ ତରଳ ଉଦ୍ଭିଦର ପୁଷ୍ଟିସାଧନ ପାଇଁ ପ୍ରଭାବୀ ଓ ଫଳପ୍ରଦ ପରିଲକ୍ଷିତ ହୋଇଛି। ଏହା ପୁଷ୍ଟିଗତ ମାନରେ ଉନ୍ନତି ସାଧନ ସହିତ ଉତ୍ପାଦନ ପରିମାଣରେ ବୃଦ୍ଧି ଘଟାଉଛି। ଏହାମଧ୍ୟ ଭୂତଳ ଜଳ ମାନ ଉପରେ ବିପୁଳ ସକାରାତ୍ମକ ପ୍ରଭାବ ପକାଇବ ଏବଂ ତାହାସହିତ ବିଶ୍ୱ ତାପାୟନରେ ଉଲ୍ଲେଖନୀୟ ହ୍ରାସ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ନାନୋ ୟୁରିଆ ତରଳକୁ କୃଷକଙ୍କ ବ୍ୟବହାର ନିମନ୍ତେ ଯୋଗାଇ ଦିଆଯିବା ଦ୍ୱାରା ତାହା ମୃତ୍ତିକାରେ ୟୁରିଆର ମାତ୍ରାଧିକ ପ୍ରୟୋଗକୁ ହ୍ରାସକରି ଏକ ସମତୁଲ ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ମାତ୍ରାଧିକ ୟୁରିଆ ବ୍ୟବହାର ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହିତ, ଶସ୍ୟ ପାକଳ ହେବା ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ଉତ୍ପାଦନଜନିତ କ୍ଷତିର କାରଣ ହେଉଛି। ନାନୋ ୟୁରିଆ ତରଳ ଶସ୍ୟକୁ ମଜଭୁତ, ସୁସ୍ଥ କରିବା ସହିତ ତାହାକୁ ପ୍ରତିକୂଳ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରୁଛି। ଇଫକୋ ନାନୋ ୟୁରିଆ ତରଳର ୫୦୦ ମିଲିଲିଟର ବୋତଲ ଅନ୍ୟୁନ ଏକବସ୍ତା ପାରମ୍ପରିକ ୟୁରିଆର ସ୍ଥାନ ନେଇପାରିବ। ତେଣୁ ଏହା କୃଷକଙ୍କର କୃଷି କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ପରିମାଣ ହ୍ରାସ କରିବ। ନାନୋ ୟୁରିଆ ତରଳର ଆକାର କ୍ଷୁଦ୍ର ହୋଇଥିବାରୁ ଏହାର ବୋତଲକୁ ପକେଟରେ ରଖାଯାଇପାରିବ ଏବଂ ଏହା ଲଜିଷ୍ଟିକ୍ସ ଏବଂ ଗୋଦାମରେ ଗଛିତ ରଖିବା ଖର୍ଚ୍ଚ ମଧ୍ୟ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ।
ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ଅଧୀନରେ ୨୦ଟି ଆଇସିଏଆର ଗବେଷଣା ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କେଭିକେ ଆଦିରେ ୪୩ଟି ଶସ୍ୟ କ୍ଷେତ୍ରରେ ପରୀକ୍ଷାମୂଳକ ପ୍ରୟୋଗ କରାଯିବାପରେ ତାହାର ଫଳାଫଳ ଆଧାରରେ ଇଫକୋ ନାନୋ ୟୁରିଆ ତରଳକୁ ସଂପ୍ରତି ଫର୍ଟିଲାଇଜର କଂଟ୍ରୋଲ ଅର୍ଡର (ଏଫସିଓ,୧୯୮୫)ରେ ସାମିଲ କରାଯାଇଛି। ଏହାର ପ୍ରଭାବୀ ଗୁଣ ପରୀକ୍ଷା କରିବାକୁ ଭାରତର ବିଭିନ୍ନ ସ୍ଥାନରେ ୯୪ରୁ ଅଧିକ ଫସଲ କ୍ଷେତ୍ରରେ ପ୍ରାୟ ୧୧,୦୦୦ କୃଷକ ଏହାର କ୍ଷେତ୍ରସ୍ତରୀୟ ପରୀକ୍ଷଣ କରିଛନ୍ତି। ୯୪ଟି ଫସଲ କ୍ଷେତ୍ରରେ ନିକଟରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷାମୂଳକ ବ୍ୟବହାର ସମୟରେ ଫସଲ ଅମଳ ହାରାହାରି ୮% ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି। ପାରମ୍ପରିକ ୟୁରିଆ ବଦଳରେ ବ୍ୟବହାର କରାଯିବା ପାଇଁ ଇଫକୋ ନାନୋ ୟୁରିଆ ତରଳ ବିକଶିତ କରାଯାଇଛି ଏବଂ ଏହା ତାହାର ଆବଶ୍ୟକତାକୁ ୫୦% ହ୍ରାସ କରିବ। ୫୦୦ ମିଲିଲିଟର ବୋତଲରେ ଏଥିରେ ୪୦,୦୦୦ ପିପିଏମ୍‍ ଯବକ୍ଷାରଜାନ ରହିଛି, ଯାହା ପାରମ୍ପରିକ ୟୁରିଆର ଏକବସ୍ତା ଯୋଗାଇ ଦେଉଥିବା ଯବକ୍ଷାରଜାନ ପୋଷକର ପ୍ରଭାବ ସହିତ ସମାନ।

Comments are closed.