ସିଆଇଏସ୍‌ସିଇ ଉତ୍ତୀର୍ଣ୍ଣ ହାର : ଦଶମରେ ୯୯.୯୮, ଦ୍ବାଦଶରେ ୯୯.୭୬ %

ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଦଶମ(ଆଇସିଏସ୍‌ଇ) ଓ ଦ୍ବାଦଶ (ଆଇଏସଇ) ଶ୍ରେଣୀ ପରୀକ୍ଷା ଫଳ ଶନିବାର ଅପରାହ୍ଣ ୩ଟାରେ ପ୍ରକାଶ ପାଇଛି। ଚଳିତ ବର୍ଷ ଦଶମରେ ମୋଟ ୯୯.୯୮ ପ୍ରତିଶତ ଏବଂ ଦ୍ବାଦଶରେ ମୋଟ ୯୯.୭୬ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦଶମରେ ଛାତ୍ର ଏବଂ ଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ୯୯.୯୮ ପ୍ରତିଶତ ଲେଖାଏଁ ରହିଛି। ଦ୍ବାଦଶରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ଅଧିକ। ଛାତ୍ରଙ୍କ ଉତ୍ତୀର୍ଣ୍ଣ ହାର ୯୯.୬୬ ପ୍ରତିଶତ ଏବଂ ଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ୯୯.୮୬ ପ୍ରତିଶତ ରହିଥିବା ନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀ ପରିଷଦ
ୱେବସାଇଟ୍‌ (www.cisce.org)କୁ ଲଗଇନ୍ କରି ଫଳ ଦେଖିପାରିବେ। ତେବେ ‘ଡିଜି ଲକର’ ଆପ୍ଲିକେସନ୍‌ ଜରିଆରେ ପିଲାମାନେ ବିଭିନ୍ନ ବିଷୟରେ ପାଇଥିବା ଅଙ୍କ ଓ ପ୍ରମାଣପତ୍ର ହାସଲ କରିପାରିବେ ବୋଲି କୁହାଯାଇଛି।
ଦେଶରେ ଆଇଏସଇ ମୋଟ ୯୪,୦୧୧ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ୫୦,୪୫୯ ଛାତ୍ର ଓ ୪୩,୫୫୨ ଛାତ୍ରୀ ଅଛନ୍ତି। ଦ୍ବାଦଶ ଶ୍ରେଣୀର ଆଞ୍ଚଳିକ କାର୍ଯ୍ୟାଳୟ ସ୍ତରୀୟ ଉତ୍ତୀର୍ଣ୍ଣ ହାର ଦେଖିଲେ ଉତ୍ତରାଞ୍ଚଳରେ ୯୯.୭୫ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପୂର୍ବାଞ୍ଚଳରେ ୯୯.୭୦ ପ୍ରତିଶତ, ପଶ୍ଚିମାଞ୍ଚଳ ୯୯.୯୧ ପ୍ରତିଶତ, ଦକ୍ଷିଣାଞ୍ଚଳ ୯୯.୯୧ ପ୍ରତିଶତ ଏବଂ ବୈଦେଶିକସ୍ତରରେ ବିଦ୍ୟାର୍ଥୀଙ୍କ ଉତ୍ତୀର୍ଣ୍ଣ ହାର ଶତ ପ୍ରତିଶତ ରହିଛି।
ଦଶମ ଶ୍ରେଣୀ ଆଞ୍ଚଳିକ କାର୍ଯ୍ୟାଳୟ ସ୍ତରୀୟ ଫଳ ଦେଖିଲେ ଉତ୍ତରାଞ୍ଚଳ ୯୯.୯୭ ପ୍ରତିଶତ, ପୂର୍ବାଞ୍ଚଳ ୯୯.୯୮ ପ୍ରତିଶତ, ପଶ୍ଚିମାଞ୍ଚଳ ୯୯.୯୯ ପ୍ରତିଶତ, ଦକ୍ଷିଣାଞ୍ଚଳ ଏବଂ ବୈଦେଶିକ ସ୍ତରରେ ଶତ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ, ଚଣ୍ଡିଗଡ, ଆସାମ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କଶ୍ମୀର, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ୍ ଏବଂ ତେଲଙ୍ଗାନାର ବିଦ୍ୟାଳୟ ଗୁଡିକ ଶତ ପ୍ରତିଶତ ଫଳ କରିଛନ୍ତି। ଦିଲ୍ଲୀର ଏନସିଆର ବିଦ୍ୟାଳୟ ଦଶମରେ ଶତ ପ୍ରତିଶତ ଏବଂ ଦ୍ବାଦଶରେ ୯୯.୯୩ ପ୍ରତିଶତ ଫଳ କରିଛି। ଓଡ଼ିଶାରେ ଥିବା ବିଦ୍ୟାଳୟ ଗୁଡିକ ଦଶମ ଏବଂ ଦ୍ବାଦଶ ‌ଶ୍ରେଣୀ ଫଳ ହସ୍ତଗତ ହୋଇପାରି ନାହିଁ।
କରୋନା ଯୋଗୁଁ ଚଳିତ ବର୍ଷ ଉଭୟ ଶ୍ରେଣୀର ପରୀକ୍ଷା କରାଯାଇ ନଥିବା ହେତୁ ମେଧା ତାଲିକା ପ୍ରକାଶ କରାଯାଇ ନାହିଁ। ବିଦ୍ୟାର୍ଥୀଙ୍କ ନିମନ୍ତେ ଉତ୍ତରଖାତା ତନଖି(ରିଚେକ୍) କରିବା ସୁବିଧା ଉପଲବ୍ଧ ହୋଇନାହିଁ; କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀ ମନରେ ଅସନ୍ତୋଷ ପ୍ରକାଶ ପାଇଲେ ତୁରନ୍ତ ଲିଖିତ ଭାବେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବାକୁ କୁହାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପାଖରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତକୁ ଇ-ମେଲ ଆଇଡି (asicse@cisce.org) ଏବଂ ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ମୁଖ୍ୟତଃ ମାର୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Comments are closed.