୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତା ବଜାୟ ରଖିଲେ କୋହଲି

ଦୁବାଇ: ୨୦୧୯ ବର୍ଷ ଶେଷରେ ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧ନଂ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ପଛରେ ପକାଇ କୋହଲି ଏହି କୃତିତ୍ବ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଦୁର୍ବଳ ପ୍ରଦର୍ଶନ କରିବାରୁ ସ୍ମିଥ୍‌ଙ୍କ ମାନ୍ୟତାରେ ଉନ୍ନତି ଘଟିନାହିଁ। ଫଳରେ ସ୍ମିଥ୍‌ଙ୍କଠାରୁ କୋହଲି ୧୭ ପଏଣ୍ଟ ଆଗରେ ରହିଛନ୍ତି। କୋହଲି ୯୨୮ ପଏଣ୍ଟରେ ଥିବା ବେଳେ ସ୍ମିଥ୍ ୯୧୧ ପଏଣ୍ଟରେ ରହିଛନ୍ତି। ଆସେସ୍ ସିରିଜ୍‌ରେ ୪ଟି ଟେଷ୍ଟରୁ ୭୭୪ ରନ୍‌ କରିବା ପରେ ଷ୍ଟିଭେନ୍ ସ୍ମିଥ୍ ଆଇସିସି ଟେଷ୍ଟ ମାନ୍ୟତାରେ ୧ନଂ ବ୍ୟାଟ୍‌ସମ୍ୟାନ୍ ହୋଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସହ ଭଲ ପ୍ରଦର୍ଶନ କରି ସ୍ମିଥ୍‌ଙ୍କୁ ପଛରେ ପକାଇ କୋହଲି ୧ନଂ ସ୍ଥାନ ଫେରି ପାଇଥିଲେ ଏବଂ ବର୍ଷ ଶେଷ ପର୍ଯ୍ୟନ୍ତ କୋହଲି ଏହାକୁ ବଜାୟ ରଖି ପାରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିଲେ କୋହଲିଙ୍କୁ ପଛରେ ପକାଇ ସ୍ମିଥ୍ ୧ନଂ ସ୍ଥାନ ହାସଲ କରି ପାରିଥାଆନ୍ତେ। ତେବେ ୨ଟି ଟେଷ୍ଟରୁ ସ୍ମିଥ୍ ମୋଟ୍‌ ୧୫୧ ରନ୍ କରିବାରୁ କୋହଲିଙ୍କୁ ଅତିକ୍ରମ କରିବାରେ ସେ ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍‌ସନ୍ ୩ୟ, ଅଷ୍ଟ୍ରେଲିଆର ମାର୍ନସ ଲାବୁସାନ୍ ୪ର୍ଥ, ଭାରତର ଚେତେଶ୍ବର ପୂଜାରା ୫ମ ଓ ପାକିସ୍ତାନର ବାବର ଆଜମ୍ ୬ଷ୍ଠ ସ୍ଥାନରେ ରହିଛନ୍ତି। ଶୀର୍ଷ-୧୦ରେ ଥିବା ଅନ୍ୟ ଭାରତୀୟ ହେଲେ ଅଜିଙ୍କ୍ୟ ରାହାଣେ (୮ମ)।

Comments are closed.