ଆଇସିସି ଟେଷ୍ଟ ମାନ୍ୟତା : କୋହଲି, ରୋହିତ, ଅଶ୍ବିନଙ୍କ ଶୀର୍ଷ-୧୦ ସ୍ଥାନ ବଜାୟ

ଦୁବାଇ : ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଘୋଷିତ ଟେଷ୍ଟ ମାନ୍ୟତା ତାଲିକାରେ ୩ ଭାରତୀୟ ତାରକା କ୍ରିକେଟର ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ବିନ ପ୍ରଥମ ୧୦ ଖେଳାଳିଙ୍କ ମଧ୍ୟରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୮ମ ସ୍ଥାନରେ ଥିବା ବେଳେ ପୂର୍ବତନ ଅଧିନାୟକ କୋହଲି ୧୦ମ ସ୍ଥାନରେ ରହିଛନ୍ତି। ଶୀର୍ଷ-୨୦ ମଧ୍ୟରେ ଥିବା ଅନ୍ୟ ୨ ଭାରତୀୟ ବ୍ୟାଟ୍‌ସମ୍ୟାନ ହେଲେ ଋଷଭ ପନ୍ତ୍ (୧୧) ଓ ମୟଙ୍କ ଅଗ୍ରୱାଲ (୨୦)। ରୋହିତ ୭୫୪, କୋହଲି ୭୪୨ ଓ ପନ୍ତ୍‌ ୭୩୮ ପଏଣ୍ଟ ପାଇଛନ୍ତି।
ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ ହୋଇ ରହିଛନ୍ତି। ୨ୟ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଥିବା ବେଳେ ୩ୟ ସ୍ଥାନରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍‌ ୪ର୍ଥ, ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ୫ମ, ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେ ୬ଷ୍ଠ ଓ ଅଷ୍ଟ୍ରେଲିଆର ଉସ୍‌ମାନ ଖାୱାଜା ୭ମ ସ୍ଥାନରେ ରହିଛନ୍ତି। ଚଳିତ ଟେଷ୍ଟ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ବାଂଲାଦେଶର ଲିଟନ୍ ଦାସ ଓ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୮୮ ଓ ୨ୟ ଟେଷ୍ଟରେ ଶତକ ହାସଲ କରିଥିବା ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଲିଟନ ଦାସ ୩ଟି ସ୍ଥାନର ଉନ୍ନତି ଘଟାଇ ୧୭ଶ ସ୍ଥାନରେ ପହଞ୍ଚିଛନ୍ତି। ପ୍ରଥମ ଟେଷ୍ଟରେ ୧୯୯ ରନ୍‌ କରିଥିବା ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍‌ ୫ଟି ସ୍ଥାନର ଉନ୍ନତି ଘଟାଇ ୨୧ଶ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶର ମୁସ୍‌ଫିକୁର ରହିମ୍‌ ଓ ତମିମ୍ ଇକ୍‌ବାଲଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ଉଭୟ ଟେଷ୍ଟରେ ଶତକ ମାରିଥିବା ରହିମ୍ ୪ଟି ସ୍ଥାନର ଉନ୍ନତି ଘଟାଇ ୨୫ତମ ସ୍ଥାନରେ ଥିବା ବେଳେ ତମିମ୍ ୬ଟି ସ୍ଥାନ ଉପରକୁ ଉଠି ୨୭ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍‌ସଙ୍କ ପଛକୁ ଭାରତୀୟ ଅଫ୍‌ସ୍ପିନର ଆର୍. ଅଶ୍ବିନ ୨ୟ ସ୍ଥାନରେ ଅଛନ୍ତି। ଶୀର୍ଷ-୧୦ରେ ଥିବା ଅନ୍ୟ ଭାରତୀୟ ବୋଲର ଯଶପ୍ରୀତ ବୁମ୍‌ରା ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥ ସ୍ଥାନରେ ପାକିସ୍ତାନର ସାହିନ୍ ଶାହା ଆଫ୍ରିଦି ଓ ୫ମ ସ୍ଥାନରେ ନ୍ୟୁଜିଲାଣ୍ଡର କାଏଲ୍‌ ଜେମିସନ୍‌ ଅଛନ୍ତି। ବାଂଲାଦେଶୀ ସ୍ପିନର ସାକିବ୍ ଅଲ୍‌ ହାସନ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୨୯ନଂରେ ଥିବା ବେଳେ ନଇମ୍ ହାସନ୍ ୫ତମ ସ୍ଥାନକୁ ଉଠିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ୩୮୫ ପଏଣ୍ଟ ସହ ଭାରତର ରବୀନ୍ଦ୍ର ଜାଡ଼େଜା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୨ୟ ସ୍ଥାନରେ ଜାଡ଼େଜାଙ୍କ ସାଥୀ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍‌ଡର ୩ୟ, ସାକିବ୍ ଅଲ୍‌ ହାସନ୍ ୪ର୍ଥ ଓ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ୫ମ ସ୍ଥାନରେ ରହିଛନ୍ତି।

Comments are closed.