ବ୍ୟାଟିଂରେ ସୂର୍ଯ୍ୟ ୩ୟ ସ୍ଥାନରେ ; ହାର୍ଦିକ ୫ନଂ ଅଲ୍‌ରାଉଣ୍ଡର

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଥାନ ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ୪ର୍ଥରୁ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବାବର ୩ୟ ସ୍ଥାନରୁ ୪ର୍ଥ ସ୍ଥାନକୁ ଖସି ଆସିଛନ୍ତି। ସୂର୍ଯ୍ୟକୁମାର ମଙ୍ଗଳବାର ମୋହାଲିରେ ଅଷ୍ଟ୍ରେଲିଅ​‌ା ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ୪୬ ରନ୍‌ କରିବାରୁ ତାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ ୮୨୫ ପଏଣ୍ଟ ସହ ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। କରାଚିରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଥିଲେ ମଧ୍ୟ ରିଜ୍‌ୱାନ ସର୍ବାଧିକ ୬୮ ରନ୍‌ କରିଥିଲେ।
ଦକ୍ଷିଣ ଆଫ୍ରିକାର ଐଡେନ ମାର୍କରାମ ୭୯୨ ପଏଣ୍ଟ ସହ ୨ୟ ଓ ସୂର୍ଯ୍ୟକୁମାର ୭୮୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଏସିଆ କପ୍‌ ବିଫଳତା ପରେ ବାବର ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ୩୧ ରନ କରିବା ସତ୍ତ୍ବେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ଇଂଲଣ୍ଡର ଡାୱିଡ୍‌ ମଲାନ୍‌ ୫ମ ଓ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ୭୧୫ ୬ଷ୍ଠ ସ୍ଥାନରେ ରହିଛନ୍ତି। ଭାରତର ତାରକା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ ମାନ୍ୟତାରେ ୨୩ଟି ସ୍ଥାନ ଉପରକୁ ଉଠି ୬୫ତମ ସ୍ଥାନରେ ରହିଛନ୍ତି। ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଅପରାଜିତ ୭୧ ରନ କରିଥିଲେ। ଟ୍ବେଣ୍ଟି୨୦ ବୋଲିଂ ମାନ୍ୟତାରେ ସ୍ପିନର ଅକ୍ଷର ପଟେଲ ୨୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୩ତମ ସ୍ଥାନରେ ପହଞ୍ଚିଛନ୍ତି। ଅକ୍ଷର ପ୍ରଥମ ଟ୍ବେଣ୍ଟି୨୦ରେ ୩ଟି ୱିକେଟ ନେବା ପରେ ମାନ୍ୟତାରେ ଉନ୍ନତି କରିଛନ୍ତି। ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ ଟି୨୦ ବୋଲିଂ ମାନ୍ୟତାରେ ୧ନଂ ସ୍ଥାନ ବଜାୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକାର ସ୍ପିନର ତାବ୍ରେଜ୍‌ ସାମ୍‌ସି ୨ୟ ଓ ଇଂଲଣ୍ଡର ଲେଗ୍‌ସ୍ପିନର ଆଦିଲ ରସିଦ୍‌ ୩ୟ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ହାରିସ ​ରୌଫ୍‌ ୪ଟି ସ୍ଥାନ ଉପରକୁ ଉଠି ୨୧ତମ ଓ ସାଥୀ ସ୍ପିନର ମହମ୍ମଦ ନୱାଜ ୩ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନରେ ରହିଛନ୍ତି। ଟି୨୦ ଅଲ୍‌ରାଉଣ୍ଡର ମାନ୍ୟତାରେ ଭାରତର ହାର୍ଦିକ ପାଣ୍ଡ୍ୟା ଉନ୍ନତି କରିଛନ୍ତି। ପ୍ରଥମଥର ପାଣ୍ଡ୍ୟା ଶୀର୍ଷ ୫ ଅଲ୍‌ରାଉଣ୍ଡରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ପାଣ୍ଡ୍ୟା ମାତ୍ର ୩୦ ବଲ୍‌ରୁ ଅପରାଜିତ ବିସ୍ଫୋରକ ୭୧ ରନ୍‌ କରିଥିଲେ। ଏହା ପାଣ୍ଡ୍ୟାଙ୍କ ଜୀବନର ସର୍ବାଧିକ ଟ୍ବେଣ୍ଟି୨୦ ସ୍କୋର୍‌। ୨୦୨୨ ଆଇପିଏଲ୍‌ରେ ଗୁଜରାଟ ଟାଇଟାନ୍‌ସର ନେତୃତ୍ବ ନେଇ ଏହାକୁ ଚମ୍ପିଆନ୍ କରାଇବା ପରେ ହାର୍ଦିକ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଜଣେ ପ୍ରତିଷ୍ଠିତ ବ୍ୟାଟ୍‌ସମ୍ୟାନ ଭାବେ ସୀମିତ ଓଭର କ୍ରିକେଟ୍‌ରେ ପ୍ରଦର୍ଶନ କରୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଭାରତୀୟ ଦଳକୁ ଫେରିବା ପରେ ହାର୍ଦିକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୩୩ ରନ୍‌କୁ ଛାଡ଼ି ପାଣ୍ଡ୍ୟା ଅବଶ୍ୟ ଭଲ ପ୍ରଦର୍ଶନ କରି ପାରିନଥିଲେ। ଟ୍ବେଣ୍ଟି୨୦ ଅଲ୍‌ରାଉଣ୍ଡର ମାନ୍ୟତାରେ ପ୍ରଥମ ୪ଟି ସ୍ଥାନରେ ଅଛନ୍ତି ବାଂଲାଦେଶର ସାକିବ୍ ଅଲ୍ ହାସନ୍, ଆଫ୍‌ଗାନିସ୍ତାନର ମହମ୍ମଦ ନବି, ଇଂଲଣ୍ଡର ମୋଇନ୍ ଅଲୀ ଓ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା।

Comments are closed.