ଆଇସିସି ଟ୍ବେଣ୍ଟି୨୦ ମାନ୍ୟତା : କୋହଲି ୫ରେ ସ୍ଥିର ; ରାହୁଲ ୬କୁ ଉଠିଲେ

ଦୁବାଇ : ସଦ୍ୟତମ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ କେ.ଏଲ୍‌. ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠି ୬ରେ ପହଞ୍ଚିଛନ୍ତି। ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ଡାୱିଡ୍‌ ମାଲାନ୍ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ୨ୟ, ପାକିସ୍ତାନର ଅଧିନାୟକ ବାବର ଆଜମ୍‌ ୩ୟ ଓ ନ୍ୟୁଜିଲାଣ୍ଡ ଓପ୍‌ନର ଡେଭନ୍ କନ୍‌ୱେ ୪ର୍ଥ ସ୍ଥାନରେ ରହିଛନ୍ତି। ରାହୁଲ ଓ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ସ୍ଥାନର ଉନ୍ନତି ଘଟାଇ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। କୋହଲି ଓ ରାହୁଲଙ୍କୁ ଛାଡ଼ି ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ଆଉ କେହି ଭାରତୀୟ ନାହାନ୍ତି। ପୁଣି ଟି-୨୦ ବୋଲର ଓ ଅଲ୍‌ରାଉଣ୍ଡର ତାଲିକାରେ କୌଣସି ଭାରତୀୟ ନାହାନ୍ତି। ଦିନିକିଆ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ କୋହଲି ୨ୟ ଓ ରୋହିତ ଶର୍ମା ୩ୟ ସ୍ଥାନରେ ରହିଛନ୍ତି। ଦିନିକିଆ ବୋଲର ମାନ୍ୟତାରେ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଗୋଟିଏ ସ୍ଥାନ ତଳକୁ ଖସି ୬ଷ୍ଠରେ ରହିଥିବା ବେଳେ ଦିନିକିଆ ଅଲ୍‌ରାଉଣ୍ଡର ତାଲିକା‌େରେ‌ ରବୀନ୍ଦ୍ର ଜାଡ଼େଜା ୯ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଫାଷ୍ଟବୋଲର କ୍ରିସ୍ ୱକ୍‌ସ ଜୀବନର ଶ୍ରେଷ୍ଠ ମାନ୍ୟତା ୩ରେ ପହଞ୍ଚିଛନ୍ତି।

Comments are closed.