ଆଇସିସି ଟି-୨୦ ରାଙ୍କିଙ୍ଗ: ୨ୟ ସ୍ଥାନକୁ ଉଠିଲେ ରାହୁଲ, ଜାଣନ୍ତୁ କୋହଲିଙ୍କ ରାଙ୍କ୍‌

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଟି-୨୦ ରାଙ୍କିଙ୍ଗ୍‌ ସୂଚୀ ଜାରି କରାଯାଇଛି। ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାରେ ଟିମ୍‌ ଇଣ୍ଡିଆର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠି ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପଟେ ଅଧିନାୟକ ବିରାଟ କୋହଲି ପୂର୍ବଭଳି ୭ମ ସ୍ଥାନରେ ରହିଛନ୍ତି।

ରାହୁଲ ୮୧୬ ପଏଣ୍ଟ ସହ ୨ୟ ସ୍ଥାନରେ ଥିବାବେଳେ ଇଂଲଣ୍ଡର ଡେଭିଡ ମଲାନ ୯୧୫ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି। କୋହଲିଙ୍କର ୬୯୭ ପଏଣ୍ଟ ଅଛି। ଅଷ୍ଟ୍ରେଲିଆର ଟି-୨୦ ଅଧିନାୟକ ଆରୋନ ଫିଞ୍ଚ ୮୦୮ ଅଙ୍କ ସହିତ ୩ୟ ସ୍ଥାନରେ ଅଛନ୍ତି। ପାକିସ୍ତାନୀ ଅଧିନାୟକ ବାବର ଆଜମ ୮୦୧ ପଏଣ୍ଟ ସହିତ ୪ର୍ଥ ସ୍ଥାନକୁ ଖସିଆସିଛନ୍ତି।

ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଟିମ୍‌ର କେବଳ ରାହୁଲ ଏବଂ କୋହଲି ଟପ୍‌ ୧୦ ସ୍ଥାନରେ ଅଛନ୍ତି। ବୋଲର ଏବଂ ଅଲ୍‌ରାଉଣ୍ଡର ତାଲିକାରେ ଟପ୍‌ ୧୦ରେ କୌଣସି ଭାରତୀୟ ନାହାନ୍ତି। ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନିକଟରେ ଟି-୨୦ ସିରିଜ ଶେଷ ହେବା ପରେ ଏହି ସୂଚୀ  ଜାରି କରାଯାଇଛି।

ବୋଲର ତାଲିକାରେ ଦକ୍ଷିଣ ଆଫ୍ରିକାର ସ୍ପିନର ରବରେଜ ସାମ୍‌ସୀ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ୨ୟ ରାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଆଫଗାନିସ୍ତାନର ରଶିଦ ଖାନ ଶୀର୍ଷ ସ୍ଥାନରେ ରହିଛନ୍ତି।

Comments are closed.