ଶୁକ୍ରବାର ଆଇସିସି ବୋର୍ଡ ବୈଠକ

ଦୁବାଇ : ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଆଇସିସି ପଦାଧିକାରୀଙ୍କ ସହ ବିଭିନ୍ନ ଦେଶ କ୍ରିକେଟ୍‌ ବୋର୍ଡର ଅଧିକାରୀମାନେ ଆଲୋଚନା କରିବେ।
କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ବିଶ୍ବବ୍ୟାପୀ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହାଦ୍ବାରା ବିଭିନ୍ନ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉପରେ ଏହାର ଯେଉଁ ପ୍ରକାର ପ୍ରଭାବ ପଡ଼ିଛି ସେ ସଂପର୍କରେ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଥାଉକି ଆସନ୍ତା ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆଇସିସି ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶ୍ବକପ୍‌ ଆୟୋଜିତ ହେବାକୁ ଯାଉଛି। ସେହିପରି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ଅନେକ ଦ୍ବିପାକ୍ଷିକ ଟେଷ୍ଟ ସିରିଜ୍‌ ଆୟୋଜିତ ହେବାକୁ ଯାଉଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପରିସ୍ଥିତି ଏସବୁ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ କ’ଣ ପ୍ରଭାବ ପକାଇବାର ଆଶଙ୍କା ରହିଛି ସେ ସଂପର୍କରେ ବୈଠକରେ ଆଲୋଚନା ହେବ।
ଅନ୍ୟପକ୍ଷରେ ଏହି ବୈଠକରେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ନାହିଁ ବୋଲି ଜନୈକ ସଦସ୍ୟ ଗଣମାଧ୍ୟମକୁ ସ୍ପଷ୍ଟ କରି ଦେଇଛନ୍ତି। ଯଦି ପରିସ୍ଥିତି ଅଧିକ ଖରାପ ହୁଏ ତେବେ ଆଇସିସି ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ସଂପର୍କରେ ବୈଠକରେ ଆଲୋଚନା ହେବ ବୋଲି ସଦସ୍ୟ ଜଣକ ସ୍ପଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ବେଶ୍‌ ଗୁରୁତର ରହିଥିବା ବେଳେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆସନ୍ତା ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ବେଳେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ ୨୦୨୧ ମସିହାର ଜୁନ୍‌ରେ ଖେଳାଯିବ। ସେତେବେଳକୁ ପରିସ୍ଥିତିରେ ବେଶ୍‌ କିଛି ଉନ୍ନତି ଘଟିବାର ଆଶା ରହିଥିବାରୁ ବର୍ତ୍ତମାନ ଠାରୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି।

Comments are closed.