୧୦ଟି ଡ୍ରୋନ ନିରୋଧୀ ବ୍ୟବସ୍ଥା କିଣିବ ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଜମ୍ମୁସ୍ଥିତ ବାୟୁସେନା ଘାଟି ଉପରେ ଡ୍ରୋନ ଆକ୍ରମଣ ହେବା ସହିତ ପରବର୍ତ୍ତୀ ସମୟରେ ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଡ୍ରୋନ ଉଡିବା ପରେ ବାୟୁ ସେନା ତୁରନ୍ତ ୧୦ଟି ଡ୍ରୋନ ନିରୋଧୀ ବ୍ୟବସ୍ଥା କ୍ରୟ କରିବାକୁ ନିଷ୍ପତ୍ତି ନେଇଛି । ବାୟୁସେନା ଘାଟିଗୁଡିକୁ ଡ୍ରୋନ ଆପଦରୁ ସୁରକ୍ଷା ଦେବାକୁ ଏହି ଜବାବି ମାନବ ରହିତ ବିମାନ ବ୍ୟବସ୍ଥା (ସିୟୁଏଏସ) ଭାରତୀୟ କମ୍ପାନୀଗୁଡିକ ନିକଟରୁ ଖରିଦ କରାଯିବ । ସିୟୁଏଏସଗୁଡିକ ଯେକୌଣସି ପ୍ରକାର ଡ୍ରୋନ ଅଥବା ଉଡନ୍ତା ପଦାର୍ଥକୁ ଠାବ କରିବା ସହିତ ତାହାର ଗତିବିଧି ଉପରେ ନଜର ରଖିବ, ତାହା କି ପ୍ରକାରର ତାହାକୁ ଚିହ୍ନଟ କରିବା ପରେ ତାହାକୁ ନିଷ୍କ୍ରିୟ କରିବା କାର୍ଯ୍ୟ ତୁଲାଇବ । ଏଥିରେ ଥିବା ଲେଜର ନିର୍ଦ୍ଦେଶିତ ଅସ୍ତ୍ର ବ୍ୟବସ୍ଥା ଡ୍ରୋନଗୁଡିକୁ ଖସାଇ ଦେବ । ତେବେ ଏଭଳି ବ୍ୟବସ୍ଥା ଯେମିତି ପରିବେଶ ପ୍ରତି ସର୍ବନିମ୍ନ ପ୍ରଭାବ ପକାଇବ ତାହା ସୁନିଶ୍ଚିତ କରିବାକୁ ବାୟୁସେନା ପକ୍ଷରୁ ସର୍ତ୍ତ ରଖାଯାଇଛି ।
ଏଥିପାଇଁ ବାୟୁସେନା ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡରରେ ସର୍ତ୍ତ ରଖାଯାଇଛି ଯେ ସିୟୁଏଏସଗୁଡିକ ସ୍ୱଦେଶୀ ଯାନ ଉପରେ ଖଞ୍ଜାଯାଇ ତାହାକୁ ଅନ୍ୟତ୍ର ପରିବହନ କରାଯାଇପାରୁଥିବ ଏବଂ ସେଗୁଡିକ ସ୍ୱଦେଶୀ ବିଦ୍ୟୁତ ଶକ୍ତି ଯୋଗାଣ ବ୍ୟବସ୍ଥାରେ ପରିଚାଳିତ ହୋଇପାରୁଥିବା ଆବଶ୍ୟକ । ତତ୍‍ସହିତ ଏହାର ସମସ୍ତ ଅଂଶକୁ ଯାନରୁ ପୃଥକ କରି ଛାତ ଉପରେ ଅଥବା ଖୋଲା ସ୍ଥାନରେ ଭୂମି ଉପରେ ଯେଭଳି ଖଞ୍ଜାଯାଇପାରୁଥିବ, ତାହା ସୁନିଶ୍ଚିତ ହେବା ଆବଶ୍ୟକ । ସେଥିରେ ଫେଜେଡ ଆରେ ରାଡାର, ଆରଏଫ ସେନ୍‍ସର, ଇଲେକଟ୍ରୋ ଅପ୍ଟିକାଲ ଏବଂ ଇନଫ୍ରା ରେଡ ବ୍ୟବସ୍ଥା ମଧ୍ୟ ରହିଥିବା ଆବଶ୍ୟକ ।

Comments are closed.