ଭାରତ-ପାକ୍‌ ସୀମାଠାରୁ ୪୦ କିମି ଦୂରରେ ଭାରତୀୟ ବାୟୁସେନାର ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବୁଧବାର ଭାରତ-ପାକ୍ ସୀମାଠାରୁ ମାତ୍ର କିଛି କିଲୋମିଟର ଦୂରରେ ରାଜସ୍ଥାନର ବାରମର ସହରର ଜାତୀୟ ରାଜପଥରେ ଥିବା ଏୟାରଷ୍ଟ୍ରିପରେ ସମରାଭ୍ୟାସ ଆରମ୍ଭ କରିଛି। ଭାରତୀୟ ବିମାନ C130, An-32 ସଫଳତାପୂର୍ବକ ଉଡ଼ାଣ ଓ ଅବତରଣ କରିଥିବା ବେଳେ, Su-30MKI ବିମାନ ଅଳ୍ପ ଉଚ୍ଚତାରେ ଉଡ଼ାଣ କରି ସମରାଭ୍ୟାସ କରିଥିଲା। ଉକ୍ତ ଏୟାରଷ୍ଟ୍ରିପ ଭାରତ-ପାକିସ୍ତାନ ସୀମାଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।

ବାରମର ଜାତୀୟ ରାଜପଥରେ ଥିବା ଏହି ଏୟାରଷ୍ଟ୍ରିପକୁ ଆଇଏଏଫ୍‌ କର୍ମଚାରୀଙ୍କ ପରାମର୍ଶକ୍ରମେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଅଧିକାରୀମାନେ ନିର୍ମାଣ କରିଛନ୍ତି। ଏହା ହେଉଛି ପ୍ରଥମ ଏୟାରଷ୍ଟ୍ରିପ୍‌, ଯାହାକୁ ଜାତୀୟ ରାଜପଥ ଉପରେ ବିକଶିତ କରାଯାଇଛି। ପଶ୍ଚିମ ସୀମାରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏହାକୁ ବିକଶିତ କରାଯାଇଥିଲା।

ଇତି ମଧ୍ୟରେ ଏୟାର ଚିଫ୍‌ ମାର୍ସଲ ଆରକେଏସ୍‌ ଭଦୌରିଆ ଭାରତୀୟ ଏରୋସ୍ପେସ୍ କ୍ଷେତ୍ରରେ ଏକ ସମିଳନୀରେ କହିଛନ୍ତି ଯେ, ଭାରତୀୟ ବାୟୁସେନା ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ୩୫୦ ବିମାନ କିଣିବାକୁ ଲକ୍ଷ୍ୟ ରଖିଛି। ଚୀନଠାରୁ ମିଳୁଥିବା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନାର ସାମଗ୍ରିକ ଶକ୍ତିକୁ ବଢାଇବା ପାଇଁ ଅସୀମିତ ଦକ୍ଷତା ବିକାଶର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

 

Comments are closed.