ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲା; ତଦନ୍ତ ଆରମ୍ଭ କଲେ ଏନଏଚଆରସି

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣା ପାଇଁ ପୁଲିସ ବିରୋଧରେ ୨ ଜଣ ଓକିଲ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହିତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି।

ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ଏହି ଏନକାଉଣ୍ଟର ବିରୋଧରେ ପିଟିଶନ ଦାଖଲ କରିଥିଲେ। ଏମାନଙ୍କ କହିବା ଅନୁସାରେ ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡ୍‌ଲାଇନ ପାଳନ କରାଯାଇ ନାହିଁ। ଏନକାଉଣ୍ଟରରେ ସାମିଲ ପୁଲିସ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରିବା, ତଦନ୍ତ କରିବା ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ପିଟିଶନରେ ଦାବି କରାଯାଇଛି। ଏହି ଘଟଣାରେ ଆଉ ଏକ ପିଟିଶନ ମଧ୍ୟ ଦାୟର ହୋଇଛି। କୋର୍ଟଙ୍କ ଅଧୀନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ଏଥିରେ ଦାବି କରାଯାଇଛି। ଏହି ପିଟିଶନଟି ଓକିଲ ଏମ.ଏଲ. ଶର୍ମା ଦାଖଲ କରିଛନ୍ତି। ଏହା ସହିତ ସେ ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ବାତି ମାଲିୱାଲଙ୍କ ବିରୋଧରେ ଆଇନର ହତ୍ୟାକାରୀଙ୍କୁ ସମର୍ଥନ କରିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କମିଶନଙ୍କ ଏକ ଟିମ୍‌ ଶନିବାର ହାଇଦ୍ରାବାଦ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଛନ୍ତି।

Comments are closed.