ସମ୍ବଲପୁର କାରାଗାରରୁ ୨୪ ଥର ବାହାରିଥିଲା ହାଇଦର

ସମ୍ବଲପୁର: ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା କୁଖ୍ୟାତ ଅପରାଧୀ ଶେଖ ହାଇଦର ସମ୍ବଲପୁର କାରାଗାରରେ ରହିବା ଦିନରୁ ୨୪ଥର ବାହାରକୁ ବାହାରିଥିଲା। ପ୍ରେତ୍ୟକ ଥର ଏକ ମାତ୍ର ବାହାନା ଥିଲା ‘ରୋଗ’। ୨୦୧୮ରେ ଏହି କାରାଗାରକୁ ଆସିବା ପରଠାରୁ ସେ ମୋଟ ୨୪ ଥର କାରାଗାରରୁ ବାହାରିଛି। ହାଇଦର ଭଳି ଜଣେ କୁଖ୍ୟାତ ଅପରାଧୀକୁ ବାରମ୍ବାର କାରାଗାରରୁ ବାହାରକୁ ନିଆଯିବା ହିଁ ତାକୁ ଖସିଯିବା ପାଇଁ କ୍ଷେତ୍ର ପ୍ରସ୍ତୁତିେର ସହାୟକ ହୋଇଥିଲା।

ସମ୍ବଲପୁର ସର୍କଲ ଜେଲରେ ହାଇଦରର ୩ ବର୍ଷର ରହଣି କାଳରେ କାରାରକ୍ଷୀ ଶିବନାରାୟଣ ନନ୍ଦଙ୍କ ସହିତ ତା’ର ମଧୁର ସମ୍ପର୍କ ଗଢ଼ି ଉଠିଥିଲା। ହାଇଦର ଏହି ‘ସମ୍ପର୍କ’ର ମଧ୍ୟ ସଦୁପଯୋଗ କରିଥିଲା। ସମ୍ବଲପୁରରୁ ମାର୍ଚ୍ଚ ୨୩ ତାରିଖରେ କଟକ ଯିବା ରାସ୍ତାରେ କାରାରକ୍ଷୀ ଶିବନାରାୟଣ ତାଙ୍କ ମୋବାଇଲ ଫୋନ ହାଇଦରକୁ ଧରାଇ ଦେଇଥିଲେ। ହାଇଦର କାରାରକ୍ଷୀଙ୍କ ଫୋନରେ ତା’ ସଂପର୍କୀୟମାନଙ୍କ ସହ ବାରମ୍ବାର କଥା ଲାଗୁଥିଲା। ହାଇଦର ଡାକ୍ତରଖାନାରେ ରହଣି କାଳରେ ଏହି ଫୋନରେ ବିଭିନ୍ନ ଲୋକଙ୍କ ସହିତ କଥା ହୋଇ ଚମ୍ପଟ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା ବୋଲି କମିଶନରେଟ ପୁଲିସ ତଦନ୍ତରୁ ଜାଣିପାରିଛି। କାରାରକ୍ଷୀଙ୍କ ଏହି ବଦାନ୍ୟତାର ପ୍ରତିଦାନରେ ହାଇଦର ଶିବନାରାୟଣଙ୍କୁ କଟକର ହୋଟେଲରେ ରଖାଇଥିଲା ଓ ତାଙ୍କ ହୋଟେଲ ଖର୍ଚ୍ଚ ବହନ କରୁଥିଲା।

ନମ୍ବର ୩ରେ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥାରେ ଥିବା ହାଇଦର ସେହି ବାହାନାର ସଦୁପଯୋଗ କରି ପରବର୍ତ୍ତୀ ସମୟରେ କଟକ ବଡ଼ଡାକ୍ତରଖାନାରୁ ଖସିଗଲା। ହାଇଦରକୁ ଡାକ୍ତର ଦେଖାଇବା, ତା’ ଡାକ୍ତରୀ ପରୀକ୍ଷା କରାଇବା ଓ ଔଷଧ ଖୁଅାଇବା ପାଇଁ ଏଠାରୁ ତା’ ସହିତ ସହାୟକ ଭାବେ ଯାଇଥିବା ଏହି କାରଗାରର କାରାରକ୍ଷୀ ଶିବନାରାୟଣ ନନ୍ଦଙ୍କୁ କମିଶନରରେଟ ପୁଲିସ ମଙ୍ଗଳବାର ଗିରଫ କଲା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ହାଇଦର ଦେହରେ ଏକାଧିକ ରୋଗ ଥିବାରୁ ଭିମ୍ସାର ଶଲ୍ୟ ବିଭାଗ ତାକୁ କଟକ ବଡ଼ ଡାକ୍ତରଖାନାକୁ ନିର୍ଦେଶ କରିଥିଲା। ଏହା ହାଇଦର ପାଇଁ ବଡ଼ ସୁଯୋଗ ଆଣି ଦେଇଥିଲା।

ଭୀମସାର ଶଲ୍ୟ ଡାକ୍ତରଙ୍କ ସୁପାରିସ ଆଧାରରେ ହାଇଦର ଜାନୁଆରୀ ୧୯, ଫେବୃଆରୀ ୧୯ ଓ ମାର୍ଚ୍ଚ ୨୩ ତାରିଖରେ କଟକ ଯିବାକୁ ସୁଯୋଗ ପାଇଥିଲା। କାରାଗାର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ୨୦୧୮, ୨୦୧୯ ଓ ୨୦୨୦ ମସିହାରେ ହାଇଦର ୭ ଥର ଲେଖାଏଁ କରି ୨୧ ଥର କାରାଗାରରୁ ବିଭିନ୍ନ ହାସ୍ପାତାଳକୁ ଯାଇଥିଲା ବୋଲି କାରାପାଳ ଆଲୋକ କର ସୂଚନା ଦେଇଛନ୍ତି। ୨୦୨୧ର ପ୍ରଥମ ୩ ମାସରେ ୩ଥର କଟକ ବଡ଼ଡାକ୍ତରଖାନାକୁ ଯାଇଥିଲା। ମାର୍ଚ୍ଚ ୨୩ କଟକ ଗସ୍ତରେ ସେ ନିଜ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିଲା। ଜଣେ କୁଖ୍ୟାତ ଅପରାଧୀ ଚିକିତ୍ସା ବାହାନାରେ ବାରମ୍ବାର କାରାଗାର ବାହାରକୁ ଯିବା ପାଇଁ ସୁଯୋଗ ଦିଆଯିବା ପଛରେ କାରାଗାର, ପୁଲିସ ବିଭାଗ ଓ ବୁର୍ଲା ଡାକ୍ତରଖାନାର କାହା କାହାର ଦରଦ ଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି। ହାଇଦରକୁ ତା’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେହି କାରାରକ୍ଷୀ ଶିବନାରାୟଣ ନନ୍ଦ ପରୋକ୍ଷରେ ସୁବିଧା କରି ଦେଇଥିଲେ।

ଏପ୍ରିଲ ୧୦ ତାରିଖ ଅପରାହ୍ନ ୪ରେ ହାଇଦରକୁ ଜଗିବା କାର୍ଯ୍ୟ ଥିଲେ ମଧ୍ୟ ଶିବନାରାୟଣ କର୍ତ୍ତବ୍ୟସ୍ଥଳରେ ନ ଥିଲେ। ଏକା କନଷ୍ଟେବଳ ମହମ୍ମଦ ମୌସିମ ହାଇଦର ପାଖରେ ଥିଲେ। ଶିବନାରାୟଣଙ୍କ ଅନୁପସ୍ଥିତିକୁ ହାଇଦର ସୁଯୋଗ ଭାବେ ବ୍ୟବହାର କରିଥିଲା ଓ କନଷ୍ଟେବଳ ମୌସିମଙ୍କୁ ଖାଦ୍ୟରେ ନିଶା ଦେଇ ଚମ୍ପଟ ମାରିଥିଲା। କାରାରକ୍ଷୀ ଶିବନାରାୟଣ କାର୍ଯ୍ୟସ୍ଥଳ ଛାଡ଼ି କୁଆଡ଼େ ଯାଇଥିଲେ ବୋଲି ପଚାରିବାରେ ସେ କଟକର ଜଣେ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ ବୋଲି ସଫେଇ ଦେଇଛନ୍ତି। କିନ୍ତୁ ଠିକ୍ ସେହି ସମୟରେ ସଂପର୍କୀୟଙ୍କ ଘରକୁ ବୁଲିଯିବା ମଧ୍ୟ ହାଇଦରର ଚମ୍ପଟ ଯୋଜନାର ଅଂଶବିଶେଷ ଥିଲା ବୋଲି ପୁଲିସର ସନ୍ଦେହ ଦୃଢ଼ୀଭୂତ ହେଉଛି। ତେଣୁ ପୁଲିସ ଶିବନାରାୟଣଙ୍କ ଭୂମିକା ଓ ତାଙ୍କ ମୋବାଇଲ ଫୋନ୍ର କଲ୍ ରେକର୍ଡ ଉପରେ ତଦନ୍ତକୁ କେନ୍ଦ୍ରୀଭୂତ କରୁଛି।

Comments are closed.