କଡ଼ା ସୁରକ୍ଷା ବଳୟରେ ହାଇଦରକୁ କବର

କେନ୍ଦ୍ରାପଡ଼ା : କଡ଼ା ସୁରକ୍ଷା ବଳୟରେ ହାଇଦର ମୃତଦେହକୁ ବାଲେଶ୍ୱରରୁ କେନ୍ଦ୍ରାପଡ଼ା ଅଣାଯାଇ ରଣପଡ଼ାସ୍ଥିତ କବରଖାନାରେ ଶେଷକୃତ୍ୟ କରାଯାଇଛି। ହାଇଦର ମୃତଦେହ ଏଠାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘର ଚାରିପଟେ ପୁଲିସ ବଳ ମଧ୍ୟ ମୁତୟନ କରାଯାଇଥିଲା। ସହରରେ ଶନିବାର ରାତିରୁ ୧୪୪ ଜାରି କରାଯାଇଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ସହରର ବିଭିନ୍ନ ପ୍ରବେଶ ପଥରେ ପୁଲିସ ମୁତୟନ କରାଯାଇଥିଲା। ମୁଖ୍ୟତଃ କେନ୍ଦ୍ରାପଡ଼ା ରଣପଡ଼ା ପୋଲ ପାଖରୁ ରଣପଡ଼ା ଗାଁ ପର୍ଯ୍ୟନ୍ତ ସିଲ୍‌ କରାଯାଇଥିଲା। ସକାଳବେଳା ଉଚ୍ଚବିଦ୍ୟାଳୟ ଛକରୁ ଗରାପୁର କାଳୀମନ୍ଦିର ଛକ ପର୍ଯ୍ୟନ୍ତ କୌଣସି ଗାଡି କିମ୍ବା ବ୍ୟକ୍ତି ବିଶେଷଙ୍କୁ ଛଡା ଯାଇ ନଥିଲା। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସ୍‍ପି ସନ୍ଦୀପ ସମ୍ପଦ ମଡ଼କରଙ୍କ ଉପସ୍ଥିତିରେ ହାଇଦରକୁ କବର ଦିଆଯାଇଥିଲା। କବର ସ୍ଥାନରେ ଜଣେ ମୌଲବୀ ଓ ୧୨ ଜଣ ସମ୍ପର୍କୀୟ ପୁରୁଷଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା।
କ’ଣ ଥିଲା ଇସ୍‍ଲାମୀୟ ରୀତିନୀତି
ଇସ୍‍ଲାମ ଧର୍ମ ଅନୁଯାୟୀ ମୃତଦେହ ପହଞ୍ଚିବା ପୂର୍ବରୁ ସକାଳୁ ମହିଳାମାନେ ତଜବି ପାଠ(ମାଳି ଗଣିବା) କରାଯାଇଥିଲା। ମୃତଦେହ ପହଞ୍ଚିବା ପରେ ମୃତଦେହକୁ ଗୋସଲ(ଗାଧୋଇ ଦିଆଯିବା) କରାଯାଇଥିଲା। ଏହାପରେ କଫନ କପଡ଼ା ପିନ୍ଧା ଯାଇଥିଲା। ପରେ ଅତର, କର୍ପୁର ଓ ଚନ୍ଦନ କପଡ଼ା ଉପରେ ଲେପନ କରାଯାଇଥିଲା। ପରେ ତାବୁଚ(ଆଲୁମିନିୟମ ବାକ୍ସ) ମଧ୍ୟରେ ମୃତଦେହ ରଖା ଯାଇଥିଲା। ଜନାଜା ପାଠ (ଆତ୍ମା ଶାନ୍ତି ହେବା ପାଇଁ ପ୍ରାର୍ଥନା) କରାଯାଇଥିଲା। ଶେଷରେ ମୃତଦେହକୁ କବରଖାନାକୁ ନିଆଯାଇଥିଲା। ସେଠାରେ ପରିବାର ସଦସ୍ୟ ଓ ପୁଲିସ ଉପସ୍ଥିତିରେ କବର ଦିଆଯାଇଥିଲା।
ଚାନ୍ଦବାଲି ଦେଇ ଆସିଲା ମୃତଦେହ
ମୃତଦେହ ଆଣିବା ପାଇଁ ହାଇଦରର ସ୍ତ୍ରୀ ହସିନା ବିବି, ଦୁଇ ବୋହୂ, ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ରବିବାର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ଏହା ପରେ ହାଇଦର ଶରୀରରୁ ୪ଟି ଗୁଳି ବାହାର କରାଯାଇଥିଲା। ଦୁଇଟି ଗୁଳି ଛାତିରୁ ଓ ଦୁଇଟି ଗୁଳି ଅଣ୍ଟା ପାଖରୁ ବାହାର କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ମୃତଦେହ ଧରି କେନ୍ଦ୍ରାପଡ଼ା ଫେରିଥିଲେ। ବାଲେଶ୍ୱରରୁ ଚଣ୍ଡିଖୋଲ ଦେଇ କେନ୍ଦ୍ରାପଡ଼ାରେ ପହଞ୍ଚିଲେ ବାଟରେ କିଛି ଅଘଟଣ ଘଟିବା ଆଶଙ୍କାରେ ପୁଲିସ ମୃତଦେହକୁ ଭଦ୍ରକ ଚାନ୍ଦବାଲି, ରାଜକନିକା, ଆଳି ଦେଇ କେନ୍ଦ୍ରାପଡ଼ାକୁ ଆଣିଥିଲା। ରାଜକନିକା ଠାରୁ କେନ୍ଦ୍ରାପଡ଼ା ମଧ୍ୟରେ ବିଭିନ୍ନ ଛକରେ ବନ୍ଧୁକଧାରୀ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସମୀକ୍ଷା
କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ରବିବାର କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ଏସ୍‍ପିଙ୍କ କାର୍ଯ୍ୟାଳୟକୁ ଯାଇ ଏସ୍‍ପି ମଡ଼କର ସନ୍ଦୀପ ସମ୍ପଦଙ୍କ ସହ ଆଇନ୍‍ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଶାନ୍ତିଶୃଙ୍ଖଳାର ସହ କିପରି ମୃତଦେହ କେନ୍ଦ୍ରାପଡ଼ାରେ ପହଞ୍ଚିବ, ଏଠାରେ କିପରି ଶେଷକୃତ୍ୟ ସମ୍ପନ୍ନ ହେବ, କେଉଁ କେଉଁ ସ୍ଥାନରେ ଫୋର୍ସ ମୁତୟନ ହୋଇଛି ତାହା ମଧ୍ୟ ପଚାରି ବୁଝିଥିଲେ। ପରେ ହାଇଦର ଘର ନିକଟକୁ ଯାଇଥିଲେ। ସେଠାରେ ସୁରକ୍ଷା ବ୍ୟବସ୍ଥା କ’ଣ ରହିଛି ତାହା ତଦାରଖ କରିଥିଲେ। ସେଠାରୁ କବର ସ୍ଥାନକୁ ଯାଇଥିଲେ। ସେଠାରେ ମଧ୍ୟ ପାରିପାର୍ଶ୍ବିକ ଅବସ୍ଥା ଯାଞ୍ଚ କରିଥିଲେ। କେନ୍ଦ୍ରାପଡ଼ାରେ ତିନିଜଣ ମାଜିଷ୍ଟ୍ରେଟ୍‍, ୧୦ଜଣ ଇନ୍ସପେକ୍ଟର, ୫ ଜଣ ଡିଏସ୍‍ପି ଓ ୧୦ ପ୍ଲାଟୁନ୍‍ ଫୋର୍ସ ମୁତୟନ ହୋଇଛି। ମୁଖ୍ୟତଃ ସହରର ପ୍ରବେଶ ପଥ ଦୁହୁରିଆ, ତିନିମୁହାଣୀ, ପୁରୁଣା ବସଷ୍ଟାଣ୍ଡ, ଗରାପୁର ଡାକବଙ୍ଗଳା ଛକ, ବାଇପାସ ରାସ୍ତା, ହାଇଦରର ଘର ନିକଟ ରଣପଡ଼ା ଇତ୍ୟାଦି ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
୧୪୪ ଲାଗୁ ଅଞ୍ଚଳରେ ଖୋଲିବନି ବିଦ୍ୟାଳୟ
ସରକାରଙ୍କ ନିର୍ଦେଶ ଅନୁଯାୟୀ ୨୬ ତାରିଖରେ ରାଜ୍ୟବ୍ୟାପୀ ବିଦ୍ୟାଳୟ ଖୋଲିବ। ହେଲେ ଯେଉଁ ସ୍ଥାନଗୁଡିକରେ ୧୪୪ ଧାରା ଜାରି କରାଯାଇଛି ସେହି ସ୍ଥାନଗୁଡିକରେ ଥିବା ବିଦ୍ୟାଳୟଗୁଡିକ ଖୋଲିବ ନାହିଁ ବୋଲି ଜିଲାପାଳ ନିର୍ଦେଶ ଜାରି କରିଛନ୍ତି। ଏହା ଦୁଇଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲାପାଳ ଅମ୍ରିତ ଋତୁରାଜ କହିଛନ୍ତି।
ପରିବାର ସହ ପ୍ରଶାସନର ଆଲୋଚନା
ଜିଲାପାଳଙ୍କ ସୂଚନା ଅନୁଯାୟୀ ପ୍ରଶାସନ ପକ୍ଷରୁ ହାଇଦରର ପରିବାର ସହ ଆଲୋଚନା କରାଯାଇଛି। ମୃତଦେହ ପହଞ୍ଚିବାରେ ପୁଲିସକୁ ସହଯୋଗ କରିବା, ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ପରିବାର ଲୋକେ ମଧ୍ୟ ସହମତି ଦେଇଥିଲେ ଯେ ସେମାନେ ପ୍ରଶାସନକୁ ସହଯୋଗ କରିବେ।

Comments are closed.