ସ୍ୱାମୀର ଦ୍ୱିତୀୟ ବିବାହ ଦିନ ଘର ଛାଡ଼ିଥିବା ପତ୍ନୀ ଥାନାର ଦ୍ବାରସ୍ଥ, ସ୍ବାମୀ ଅଟକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ପ୍ରଫୁଲ୍ଲ ନାଏକ(୪୦) ଗତ ୨୦୦୪ ରେ ବାରିଆ ଥାନା ଅନ୍ତର୍ଗତ ପାହାଡ଼ପୁର ଗ୍ରାମର ପ୍ରେମଲତା ନାଏକଙ୍କୁ ବିବାହ କରିଥିଲେ। ଗତ ୧୫ ଦିନ ତଳେ ସ୍ବାମୀଙ୍କ ଉପରେ ଅସନ୍ତୋଷ ହୋଇ ପତ୍ନୀ ପ୍ରେମଲତା ଘର ଛାଡି ଚାଲିଥିବା ପରେ ସ୍ଵାମୀ ପ୍ରଫୁଲ୍ଲ ନାଏକ ଏନେଇ ତୁରୁମୁଙ୍ଗା ଥାନାରେ ମଧ୍ୟ ଏକ ନିଖୋଜ ମାମଲା ଦେଇଥିଲେ। ଏହାପରେ ପ୍ରଫୁଲ୍ଲ ଦ୍ୱିତୀୟ ବିବାହ ପାଇଁ ଆଜି ସଜବାଜ ହେଉଥିବା ଖବର ପାଇ ତାଙ୍କ ପତ୍ନୀ ପ୍ରେମଲତା ତୁରୁମୁଙ୍ଗା ଥାନାକୁ ଯାଇ ସ୍ବାମୀଙ୍କ ନାମରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ମିଳିବା ପରେ ତୁରୁମୁଙ୍ଗା ଥାନା ଆରକ୍ଷୀ ଖିରେଇଟାଙ୍ଗିରୀ ଗ୍ରାମକୁ ଯାଇ ପ୍ରଫୁଲ୍ଲ ନାଏକଙ୍କୁ ଥାନାକୁ ଆଣି ଅଟକ ରଖିଛି। ଉଭୟ ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ପ୍ରେମଲତାଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ ପରେ ଯାହାକିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.