ଫିକା ପଡିଲା ବଡ଼ଦିନ – ଫିଲିପାଇନ୍ସରେ ବାତ୍ୟା ‘ଫନଫୋନ’ର ତାଣ୍ଡବ

ମାନିଲା: ମଧ୍ୟ ଫିଲିପାଇନ୍ସରେ ବାତ୍ୟା ‘ଫନଫୋନ’ ଯୋଗୁ ନାହିଁ ନ ଥିବା କ୍ଷତି ହୋଇଛି। ଫଳରେ କ୍ୟାଥୋଲିକ ସମ୍ପ୍ରଦାୟର ଖୀଷ୍ଟିଆନ ବହୁଳ ଦେଶର ଲକ୍ଷ ଲକ୍ଷ ଲୋକ ବଡ଼ଦିନ ଅବସରରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ଏହି ବାତ୍ୟା ଫିଲିପାଇନ୍ସରେ ପ୍ରବେଶ କରିବା ପରେ ମାତ୍ର କିଛି ସମୟ ମଧ୍ୟରେ ଅନେକ ଦ୍ୱୀପରେ ତାଣ୍ଡବଲୀଳା ସୃଷ୍ଟି କରିଥିଲା। ବାତ୍ୟା ଯୋଗୁ ଫସିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ସେଠାକାର ସରକାର କହିଛନ୍ତି।

ବାତ୍ୟା ‘ଫନଫୋନ’ର ପ୍ରଭାବରେ ଅନେକ ବାସଗୃହ ଓ ବଡ ବଡ ଗଛ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଅନେକଗୁଡ଼ିଏ ସହର ଏବେ ମଧ୍ୟ ଅନ୍ଧାରରେ ରହିଛି। କେତେକ ସ୍ଥାନରେ ପାଣି ପଶିଯିବା ଯୋଗୁ ଅବସ୍ଥା ଅସମ୍ଭାଳ ହୋଇପଡିଛି। ସେଠାକାର ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ବାତ୍ୟା ଯୋଗୁ ପ୍ରବଳ ବର୍ଷାରେ କଚ୍ଚା ଘର ଭାସି ଯିବା ଫଳରେ ସେହି ବ୍ୟକ୍ତିଙ୍କ ସମେତ ତାଙ୍କ ୩ ପିଲା ଓ ସମ୍ପର୍କୀୟ ନିଖୋଜ ଅଛନ୍ତି। ଯଦିଓ ୨୦୧୩ରେ ଆସିଥିବା ବାତ୍ୟା ‘ହେୟାନ’ ତୁଳନାରେ ‘ଫନଫୋନ’ କାମ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହା ଏକ ଦିଗରେ ଅତିକ୍ରମ କରୁଥିବାରୁ ଅତ୍ୟଧିକ କ୍ଷୟକ୍ଷତି ଘଟାଇଛି। ବାତ୍ୟା ‘ହେୟାନ’ରେ ୭ ହଜାର ୩ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ‘ଫନଫୋନ’ରେ ୧୬ ହଜାରରୁ ଅଧିକ ଲୋକଙ୍କୁ ସ୍କୁଲ, କଲେଜ ଓ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖାଯାଇଛି।

Comments are closed.