କ୍ରୀଡ଼ାହବ୍‌ ପରିକଳ୍ପନାକୁ ଝଟ୍‌କା ଦେଇପାରେ କରୋନା

୨୦୨୩ ହକି ବିଶ୍ବକପ ପ୍ରସ୍ତୁତିରେ ସାଜିପାରେ ପ୍ରତିବନ୍ଧକ, ୨୦୨୧କୁ ଘୁଞ୍ଚିବ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ

କଟକ  : କରୋନା ମହାମାରୀ ବିଶ୍ବ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି । ଅଲିମ୍ପିକ୍‌ସଠାରୁ ଆରମ୍ଭ କରି ବିଶ୍ବ ଚମ୍ପିଆନସିପ୍‌, ୱିମ୍ବିଲଡନ ଭଳି ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ପଡ଼ିଛି। କୋଭିଡ୍‌-୧୯ ପ୍ରଭାବ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉପରେ ପଡ଼ିବାରେ ଲାଗିଛି। ଆଗକୁ ଭାରତୀୟ କ୍ରୀଡ଼ାର ରୂପରେଖ କଣ ରହିବ ତାହାକୁ ନେଇ ଏ​‌େ​‌​‌ବ ସବୁଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥଳେ ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଭୁବନେଶ୍ବର ବିଶ୍ବ କ୍ରୀଡ଼ାର ହବ୍ ପଥରେ ଅଗ୍ରସର ହେଉଥିବାବେଳେ କୋଭିଡ୍‌-୧୯ ଆଗାମୀ ଦିନରେ ପ୍ରତିବନ୍ଧକ ସାଜିବାରେ ସମ୍ଭାବନା ସୃଷ୍ଟି କରିଛି।
ଦେଶର କ୍ରୀଡ଼ା ରାଜଧାନୀ ଭୁବନେଶ୍ବର, କ୍ରୀଡ଼ା ହବ୍‌ର ପରିକଳ୍ପନା ନେଇ ଆଗକୁ ବଢି ଚାଲିଛି। ୨୦୧୪ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ପରିକଳ୍ପନା ୨୦୨୦ରେ ଏକପ୍ରକାର ବାସ୍ତବତା ପଥେ ଅଗ୍ରସର ହୋଇଛି। ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସହ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେବାରେ ଲାଗିଛି। ୨୦୧୪ରେ ଚମ୍ପିଆନ୍ସ ଟ୍ରଫି ହକିରୁ ଆରମ୍ଭ କରି ୨୦୧୭ ଏସୀୟ ଦୌଡ଼କୁଦ, ୨୦୧୮ ହକି ବିଶ୍ବକପ, ୨୦୧୯ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ଚମ୍ପିଆନସିପ୍‌ ଆୟୋଜନ କରି ଓଡ଼ିଶା ବିଶ୍ବ କ୍ରୀଡ଼ାରେ ସ୍ବତନ୍ତ୍ର ଦକ୍ଷତା ସୃଷ୍ଟି କରିପାରିଛି। ଓଡ଼ିଶା ସରକାର କେବଳ କ୍ରୀଡ଼ା ପ୍ରତିଯୋଗିତା ନୁହେଁ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନେଇ ମଧ୍ୟ ଆଗକୁ ବଢି ଚାଲିଥିଲେ। କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ବସ୍ତରୀୟ ହକି ଗ୍ରାଉଣ୍ଡ, ଆଥ୍‌ଲେଟିକ୍‌ ଟ୍ରାକ୍‌ , ଫିଫା ମାନ୍ୟତାର ଫୁଟବଲ ପଡ଼ିଆ, କଟକର ଜବାହରଲାଲ୍‌ ଇନଡୋର ଷ୍ଟାଡ଼ିୟମକୁ ବିଶ୍ବସ୍ତରୀୟ ଇନଡୋର ଷ୍ଟାଡ଼ିୟମରେ ପରିଣତ କରାଯାଇଛି। ଏହାଛଡ଼ା ଦୌଡ଼କୁଦ, ଭାରୋତ୍ତୋଳନ, ବ୍ୟାଡ଼ମିଣ୍ଟନ, ହକି, ରଗ୍‌ବୀ, ଫୁଟବଲ, ସନ୍ତରଣ, ବନ୍ଧୁକଚାଳନା ଏକାଡ଼େମୀ ଭଳି କ୍ରୀଡ଼ାରେ ହାଇପରଫରମାନ୍ସ ସେଣ୍ଟର ନିର୍ମାଣ ନେଇ ବିଭିନ୍ନ ସଂସ୍ଥା ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସେଥିମଧ୍ୟରୁ ଦୌଡ଼କୁଦ, ହକି, ଭାରୋତ୍ତୋଳନ, ସ୍ପୋର୍ଟ୍ସ ୱାଲ କ୍ଳାଇମ୍ବିଂ ଭଳି ହାଇପରଫରମାନ୍ସ ସେଣ୍ଟର କାର୍ଯ୍ୟକ୍ଷମ ହେଇଛି। ଟାଟା ସହାୟତାରେ ନାଭାଲ -ଟାଟା -ଓଡ଼ିଶା ହକି ଏକାଡ଼େମୀ କାର୍ଯ୍ୟକ୍ଷମ ହେଉଥିବାବେଳେ ଭାରୋତ୍ତୋଳନ ଓ ଦୌଡ଼କୁଦ ହାଇପରଫରମାନ୍ସ ସେଣ୍ଟର, ଫିଟ୍‌ନେସ ଓ ଆହତ ସମସ୍ୟାକୁ ଦୂର କରିବା ନେଇ ଅଭିନବ ବିନ୍ଦ୍ରା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଗ୍ରାଉଣ୍ଡ ସହ କଟକ , ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ସାଟେଲାଇଟ୍‌ ଷ୍ଟାଡ଼ିୟମ ନିର୍ମାଣ ନେଇ ମଧ୍ୟ ଯୋଜନା କରାଯାଇଛି। ବ୍ରହ୍ମପୁର ଓ ସମ୍ବଲପୁରରେ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପରିବର୍ଦ୍ଧିତ ଶାଖା ନେଇ ପରିକଳ୍ପନା କରାଯାଇଛି। ଉକ୍ତ ଯୋଜନାକୁ ବାସ୍ତବ ରୂପ ଦେବା ନେଇ ଆଗକୁ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶା କରାଯାଉଛି। ଗତ ଫେବୃଆରୀରେ ଭୁବନେଶ୍ବର ଓ କଟକରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜିତ ହୋଇଥିଲା। ସୁନ୍ଦର ପ୍ରସ୍ତୁତି ଆଗକୁ ୟୁଥ୍‌ ଅଲିମ୍ପିକ୍‌ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ପ୍ରତିଯୋଗିତା ମଧ୍ୟ ଓଡ଼ିଶା ଆୟୋଜନ କରିପାରିବ ବୋଲି ନିଜର ଦକ୍ଷତା ସୃଷ୍ଟି କରିଥିଲା। ଆସନ୍ତା ନଭେମ୍ବରରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଭେନ୍ୟୁ​‌େ​‌ର ମଧ୍ୟ ଭୁବନେଶ୍ବର ସ୍ଥାନ ପାଇଛି।କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫିଫା ପ୍ରତିଯୋଗିତାକୁ ସ୍ଥଗିତ ରଖିଥିବାବେଳେ ୨୦୨୧ରେ ଆୟୋଜିତ ହେବା ନେଇ ଆଶା କରାଯାଉଛି। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି। ସେହିପରି ୨୦୨୩ରେ ମଧ୍ୟ ଓଡ଼ିଶା ହକି ବିଶ୍ବକପ ଆୟୋଜନ କରିବ। ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ ଆୟୋଜିତ ହେବ। ଭୁବନେଶ୍ବରରେ ବିଶ୍ବକପ ଆୟୋଜନ ନେଇ ଭିତ୍ତିଭୂମି ରହିଥିବାବେଳେ ରାଉରକେଲାରେ ଅଧିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ରହିଛି। ନୂତନ ଭିତ୍ତିଭୂମି ସୃଷ୍ଟିରେ ଆଗକୁ ଅର୍ଥ ପ୍ରତିବନ୍ଧକ ସାଜିବାର ସମ୍ଭାବନା ସୃଷ୍ଟି କରିଛି। ଓଡ଼ିଶା ସରକାର ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିଥିବାବେଳେ ଆଇଏସ୍‌ଏଲ ଦଳ ଓଡ଼ିଶା ଏଫ୍‌ସି ସମେତ ୧୬ ଓ ୧୯ ବର୍ଷରୁ କମ୍‌ ଜାତୀୟ ଫୁଟବଲ ଦଳର ମୁଖ୍ୟ ପ୍ରାୟୋଜକ ରହିଛନ୍ତି। ଏବେ କରୋନା ଭଳି ମହାମାରୀ ପରେ ଭାରତ ସମେତ ବିଶ୍ବ ଅର୍ଥନୀତି ଦୋହଲିବାରେ ଲାଗିଛି।ଏଥିରେ ଓଡ଼ିଶା ମଧ୍ୟ ପ୍ରଭାବିତ ହେବ। କାରଣ କରୋନା ଯୁଦ୍ଧ ଏକ ଲମ୍ବା ଲଢେଇ। ଏଥିରୁ ମୁକୁଳିବା ନେଇ ଲମ୍ବା ସମୟ ଲଢେଇ କରିବାକୁ ପଡ଼ିବ। ଯାହା ଫଳରେ ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପକାଇବ। ଆର୍ଥିକ ଅବସ୍ଥା ଓଡ଼ିଶା କ୍ରୀଡ଼ାର ଅଗ୍ରଗତିରେ ପ୍ରତିବନ୍ଧକ ସାଜିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

Comments are closed.