ତାତିଲେ ମତ୍ସ୍ୟଜୀବୀ, ୧୨ଟି ଗାଁର ଶତାଧିକ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଗୋପାଳପୁର: ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲକୁ ଅନ୍ୟତ୍ର ଜୋର ଜବରଦସ୍ତ ଉଠାଇବାକୁ କହିବା ଏବଂ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ବିଭିନ୍ନ ଦାବି ପ୍ରତି ପ୍ରଶାସନିକ ଅବହେଳା ନେଇ ଆଜି ଗୋପାଳପୁର ସମେତ ଆଖପାଖ ଅଞ୍ଚଳର ୧୨ ଖଣ୍ଡ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ସେମାନଙ୍କ ପରିବାରର ମହିଳା ଓ ଶିଶୁଙ୍କୁ ନେଇ ଗୋପାଳପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପାଳପୁର ଓ ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ଦିଆଯିବା ନିମନ୍ତେ ବେଳାଭୂମିର କିଛି ଅଂଶକୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ ବନବିଭାଗକୁ ପାଣ୍ଠି ପ୍ରଦାନ ସହ ଅଳ୍ପ ଦିନ ମଧ୍ୟରେ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ପାଇବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ଆଖି ଆଗରେ ରଖି ବେଳାଭୂମିରେ ଚିହ୍ନଟ ହୋଇଥିବା ସ୍ଥାନରେ ମତ୍ସ୍ୟଜୀବୀମାନଙ୍କ ପକ୍ଷରୁ ରଖାଯାଉଥିବା ଡଂଗା ଓ ଜାଲଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ପକ୍ଷରୁ ଗତ ଜାନୁଆରୀ ମାସରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ଡଙ୍ଗା ଓ ଜାଲକୁ ସ୍ଥାନାନ୍ତରିତ କରିବାକୁ କୁହାଯାଇଥିଲା। କିନ୍ତୁ ବୈଠକରେ ମତ୍ସ୍ୟଜୀବୀମାନେ ସେମାନଙ୍କ ନିମନ୍ତେ ବେକ ଓ୍ବାଟରରେ ଥିବା ମୁହାଣକୁ ସବୁଦିନିଆ ମୁହାଣ ଭାବେ ପ୍ରସ୍ତୁତ କରିବା ଏବଂ ଡଙ୍ଗା ରଖିବା ସ୍ଥାନରେ ମତ୍ସ୍ୟଜୀବୀଙ୍କ ସୁବିଧା ନିମନ୍ତେ ଆନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ ଦାବି ଜଣାଇଥିଲେ। ଏହାକୁ ନେଇ ଉପଜିଲ୍ଲାପାଳ ମଧ୍ୟ ନିଜର ସମ୍ମତି ଜଣାଇବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ। ଏହା ମଧ୍ୟରେ ପ୍ରାୟ ୨ ସପ୍ତାହ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମୁହାଣ ନିର୍ମାଣ ନିମନ୍ତେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। କିନ୍ତୁ ଏନ୍ ଏ ସି ପକ୍ଷରୁ ଇତିମଧ୍ୟରେ ଗତ ୧୨ ତାରିଖରେ ବେଳାଭୂମି ସମେତ ରେଉସାହିରେ ସରକାରୀ ଜାଗା ଜବରଦଖଲ କରି ଘର ଓ ଦୋକାନ କରିଥିବା ଲୋକଙ୍କ ଘର ଓ ଦୋକାନ ସମ୍ମୁଖରେ ନୋଟିସ ମରାଯିବା ସହ ସେମାନଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

ଏହା ପରେ ମତ୍ସ୍ୟଜୀବୀ ମାନେ ସେମାନଙ୍କୁ ମଧ୍ୟ ଜୋରଜବରଦସ୍ତ ବେଳାଭୂମିରୁ ହଟାଇ ଦିଆଯିବ ବୋଲି କିଛି ମତ୍ସ୍ୟଜୀବୀ ପ୍ରଚାର କରିବା ପରେ ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲା। ଏହି କ୍ରମରେ ଗତ ଦୁଇଦିନ ହେଲା ମତ୍ସ୍ୟଜୀବୀମାନେ ସେମାନଙ୍କ ଗାଁ ମୁଖିଆ ବି. ଦାନେୟା ଙ୍କ ନେତୃତ୍ବରେ ବୈଠକ କରିବା ସହ ଆଖପାଖ ଅଞ୍ଚଳର ୧୨ ଖଣ୍ଡ ମତ୍ସ୍ୟଜୀବୀ ଗାଁର ମୁଖିଆମାନଙ୍କୁ ଡାକି ବୈଠକ ଅନୁଷ୍ଠିତ ହୋଇଥିଲା। ମଗଂଳବାର ସନ୍ଧ୍ୟାରେ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଗୋପାଳପୁରରେ ଧେଣ୍ଡୁରା ମରାଯାଇ ବୁଧବାର ଓ ଗୁରୁବାର ଦିନ କୈାଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ନ ଯିବା ସହ ମତ୍ସ୍ୟଜୀବୀ ମହିଳାମାନେ ଗାଁ ବାହାରକୁ ନ ଯିବା ନିମନ୍ତେ ସ୍ଥିର କରାଯାଇଥିଲା।

ସୋମବାର ଦିନ ସ୍ଥାନୀୟ ଗୋପାଳପୁର ଥାନାକୁ ମତ୍ସ୍ୟଜୀବୀଙ୍କ ପକ୍ଷରୁ ବୁଧବାର ଦିନ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରାଯିବା ସହ ଲିଖିତ ଭାବେ ଦାବି କରାଯାଇଥିଲା। କିନ୍ତୁ ମତ୍ସ୍ୟଜୀବୀଙ୍କୁ ବିକ୍ଷୋଭ କିମ୍ବା ରାସ୍ତାରୋକ ନିମନ୍ତେ କୈାଣସି ଅନୁମତି ନମିଳିବା ଏବଂ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ବିକ୍ଷୋଭ ପ୍ରଦର୍ଶନ ନକରିବାକୁ ତାଗିଦ୍ କରାଯିବାରୁ ମତ୍ସ୍ୟଜୀବୀମାନେ ଉତକ୍ଷିପ୍ତ ହେବା ସହ ଶହଶହ ସଂଖ୍ୟାରେ ପୁରୁଷ, ମହିଳା ଓ ଶିଶୁମାନେ ଦିନ ୧୦ରେ ପ୍ରଥମେ ଷଣ୍ଢ ଛକଠାରେ ବିକ୍ଷୋଭ କରିବା ସହ ରାସ୍ତା ରୋକ ଆରମ୍ଭ କରିଥିଲେ।

ଏହା ଜଣାପଡିବା ପରେ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମତ୍ସ୍ୟଜୀବୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ମତ୍ସ୍ୟଜୀବୀମାନେ ନିଜ ଜିଦ୍’ରେ ଅଟଳ ରହିବା ସହ ସେଠାରୁ ଗୋପାଳପୁର କଲେଜ ଛକକୁ ଯାଇ ସେଠାରେ ଟାୟାର ଜାଳି ରାସ୍ତାରୋକ କରିବା ସହ ସମସ୍ତଙ୍କ ନିମନ୍ତେ ରୋଷେଇ କରି ଖାଇ ବିକ୍ଷୋଭ ଜାରି ରଖିଥିଲେ। ପ୍ରାୟ ଅପରାହ୍ନ ୩ଟା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଗୋପାଳପୁର ଆସୁଥିବା ଜଣାପଡିବା ପରେ ମତ୍ସ୍ୟଜୀବୀ ମାନେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାୟ ୪ଟା ବେଳେ ଉପଜିଲ୍ଲାପାଳ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ମତ୍ସ୍ୟଜୀବୀ ନେତାମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ମୁହାଣ କାର୍ଯ୍ୟ ଆରମ୍ଭ କରାଯିବ, ଆସନ୍ତା ୨୧ ତାରିଖରେ ମତ୍ସ୍ୟ ବିଭାଗ, ପ୍ରଶାସନ ଓ ମତ୍ସ୍ୟଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବା ସହ ସେଠାରେ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯିବ ଏବଂ ବ୍ଲୁ ଫ୍ଲାଗ ବିଚ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ଡଂଗା ଓ ଜାଲକୁ ସ୍ଥାନାନ୍ତରିତ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହା ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମତ୍ସ୍ୟଜୀବୀମାନେ ବିକ୍ଷୋଭରୁ ଓହରି ଯାଇଥିଲେ। ଆଜି ଗୋପାଳପୁର ସମେତ ରେଉକତୁରୁ ଗାଁ ମୁଖିଆ ଏସ ସିମାଦ୍ରୀ, ବନ୍ଦର ଗାଁ ମୁଖିଆ ପି ସାତେୟା, ନୂଆ ବକ୍ସିପଲ୍ଲୀ ଗାଁ ମୁଖିଆ କେ ଗିରିଧାରୀ ପ୍ରମୁଖଙ୍କ ସମେତ ଅନ୍ୟ ଗାଁର ମୁଖିଆମାନେ ସାମିଲ ରହିଥିଲେ। ବିକ୍ଷୋଭକୁ ଆଖି ଆଗରେ ରଖି କନିଷି ତହସିଲଦାର ତାପସ ରାଉତ, ପୁଲିସ ଅତିରିକ୍ତ ଅଧିକ୍ଷକ ପ୍ରଭାତ ରାଉତରାୟ, ପ୍ରଶାନ୍ତ ମିଶ୍ର ଙ୍କ ସମେତ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଏହା ସହ ବିକ୍ଷୋଭକୁ ସମର୍ଥନ କରି ଗୋପାଳପୁରର‌ କଂଗ୍ରେସ ନେତା ଏସ ଧର୍ମରାଜ ରେଡ୍ଡୀ, ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଏ ଜାନକୀ ରାମ,ଏମ ଚନ୍ଦ୍ରଶେଖର,ଇ ଲୋକନାଥ ଓ ଏଲ କାମରାଜୁ ପ୍ରମୁଖ ସାମିଲ ରହିଥିଲେ।

Comments are closed.