କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପିତୃ ବିୟୋଗ

ବଲାଙ୍ଗିର/ସଇଁନ୍ତଲା: ଓଲିଉଡ୍‍ର ଆଗଧାଡିର ଗାୟକ ହ୍ୟୁମାନ ସାଗରଙ୍କ ବାପା ରବିଚନ୍ଦ୍ର ସାଗରଙ୍କର ମୃତ୍ୟୁ ହୋଇଯାଇଛି। ସଇଁନ୍ତଲା ବ୍ଲକ ଡେଙ୍ଗ ଗାଁର ମୂଳ ବାସିନ୍ଦା ସ୍ୱର୍ଗତ ସାଗର ଦୀର୍ଘ ବର୍ଷ ହେଲା ଟିଟିଲାଗଡରେ ରହି ଆସୁଥିଲେ। ସେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଅଞ୍ଚଳରେ ପରିଚିତ ଥିଲେ। ୬୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସେ ଗତ ୧୫ ଦିନ ହେଲା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗୁରୁବାର ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ କେବଳ ସଙ୍ଗୀତ ନିର୍ଦ୍ଦେଶନା ଦେଉ ନଥିଲେ ଜଣେ ଆଦର୍ଶ ଶିକ୍ଷକ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଜନକ ସେଠ, ରୁକୁ ସୁନା, ଉମାକାନ୍ତ ବାରିକ, ଶାନ୍ତନୁ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, ଯୁଗଳ ସାହୁ, ଶୀତଳ ସାହୁ, ସର୍ବେଶ୍ୱର ଭୋଇ, ବିଶ୍ୱ ବନ୍ଦିତା ପୁରୋହିତଙ୍କ ସହ ଅନେକେ ଶୋକ ପ୍ରକାଶ କରିଛନ୍ତି।

Comments are closed.