ମହାମାରୀ ପରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

କରୋନା ମହାମାରୀ ଫଳରେ ଗତ ୧୭ ମାସ ଧରି ସମଗ୍ର ଦେଶରେ ବିଦ୍ୟାଳୟ ସବୁ ବନ୍ଦ ରହିଛି। ଶିକ୍ଷାଦାନ ବ୍ୟବସ୍ଥା ବ୍ୟାପକ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି; କିନ୍ତୁ ଦେଶରେ ଶିକ୍ଷା ବ୍ୟବସ୍ଥା କେତେ ମାତ୍ରାରେ ଓ କିପରି କ୍ଷତିଗ୍ରସ୍ତ ହୋଇଛି ତାହାର ଏକ ସ୍ପଷ୍ଟ ଚିତ୍ର ଗତ ସେପ୍ଟେମ୍ବର ୬ରେ ‘ସ୍କୁଲ୍‌’ ନାମକ ଏକ ସର୍ବେକ୍ଷଣ ଦ୍ବାରା ପ୍ରସ୍ତୁତ ବିଦ୍ୟାଳୟ ଶିକ୍ଷା ବିଷୟରେ ଜରୁରୀକାଳୀନ ବିବରଣୀରୁ ଜଣାପଡ଼େ। ପ୍ରଖ୍ୟାତ ଅର୍ଥନୀତିଜ୍ଞ ଜଁା ଦ୍ରେଜ୍‌ଙ୍କ ତତ୍ତ୍ବାବଧାନରେ ଗତ ଅଗଷ୍ଟ ମାସରେ ଭାରତର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସର୍ବେକ୍ଷଣ କରାଯାଇଥିଲା।
ଏହି ସର୍ବେକ୍ଷଣଟି ଓଡ଼ିଶା ସ​‌େ​‌ମତ ଆସାମ, ବିହାର, ଗୁଜୁରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଦିଲ୍ଲୀ ଓ ଚଣ୍ଡିଗଡ଼ ପରି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କରାଯାଇଛି। ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୩୬୨ ଗୃହରେ ୧୩୬୨ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଉପରେ ସର୍ବେକ୍ଷଣ କରାଯାଇଛି। ସର୍ବେକ୍ଷଣ ସମୟରେ ଗୋଟିଏ ବର୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନ୍ୟ ଗୋଟିଏ ବର୍ଗରେ ରଖାଯାଇଥିଲା। ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ମଧ୍ୟ ସ୍କୁଲ ସର୍ବେକ୍ଷଣରେ ବିଦ୍ୟାର୍ଥୀମାନଙ୍କ ବିଷୟ ଉପରେ ପୃଥକ ପୃଥକ ଭାବରେ ତଥ୍ୟ ସଂଗ୍ରହ କରାଯାଇଛି।
ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ସହରାଞ୍ଚଳରେ ୨୪ ଶତାଂଶ ଛାତ୍ରଛାତ୍ରୀ ନିୟମିତ ଭାବରେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବାବେଳେ ଗ୍ରାମାଞ୍ଚଳରେ ମାତ୍ର ୮ ପ୍ରତିଶତ ପିଲା ନିୟମିତ ଅନଲାଇନରେ ଶିକ୍ଷା ଗ୍ରହଣ କରିବା ପାଇଁ ସମର୍ଥ ହେଉଛନ୍ତି। ମାତ୍ର ୫ ଶତାଂଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନେ ନିୟମିତ ଭାବରେ ପାଠପଢା ଚାଲୁ ରଖିଛନ୍ତି। ଗ୍ରାମାଞ୍ଚଳରେ ନିୟମିତ ଶିକ୍ଷା ଗ୍ରହଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଛି। ସେହିପରି ସହରାଞ୍ଚଳରେ ୧୯ ଶତାଂଶ ବିଦ୍ୟାର୍ଥୀଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଥିବା ବେଳେ ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ପିଲାଙ୍କ ପାଠପଢା ବନ୍ଦ ହୋଇଗଲାଣି। ଏହାର କାରଣ ଗ୍ରାମାଞ୍ଚଳରେ ଦୁର୍ବଳ ଇଣ୍ଟରନେଟର ସଂଯୋଗ ବ୍ୟବସ୍ଥା। ଏହା ସହିତ ମହାମାରୀ ଫଳରେ ଦାରିଦ୍ର୍ୟ ବୃଦ୍ଧି ପାଇଛି। ସହରାଞ୍ଚଳରେ କାର୍ଯ୍ୟରତ ଥିବା କର୍ମଜୀବୀମାନେ ଗ୍ରାମକୁ ଫେରି ସେଠାରେ ବେରୋଜଗାର ଅଛନ୍ତି। ସେମାନଙ୍କ ପକ୍ଷରେ ଦାମିକା ସ୍ମାର୍ଟଫୋନ ଓ ଇଣ୍ଟରନେଟ ଡାଟା କିଣିବା ସମ୍ଭବ ହେଉନାହିଁ। ବିଗତ ଦେଢ଼ ବର୍ଷ ମଧ୍ୟରେ ସହରାଞ୍ଚଳରେ ୪୨ ଶତାଂଶ ପିଲା ବହୁତ ଅଳ୍ପ ପାଠ ପଢ଼ିଛନ୍ତି। ଗ୍ରାମାଞ୍ଚଳରେ ଏହା ୪୮ ଶତାଂଶ ରହିଛି। ସହରାଞ୍ଚଳରେ ଗତ ତିନି ମାସ ମଧ୍ୟରେ ୫୨ ପ୍ରତିଶତ ପିଲା କୌଣସି ପ୍ରକାରର ପରୀକ୍ଷା ଦେଇନାହାନ୍ତି। ଗ୍ରାମାଞ୍ଚଳରେ ଏହା ୭୧ ଶତାଂଶ ରହିଛି। ସ୍କୁଲ ସର୍ବେକ୍ଷଣ ଅନୁସାରେ ମହାମାରୀ ଫଳରେ ବିଦ୍ୟାଳୟ ସବୁ ବନ୍ଦ ରହିଥିବାରୁ କିଛି ମାତ୍ରାରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶିକ୍ଷା ପ୍ରତି ବୀତସ୍ପୃହ ହେବାର ଲକ୍ଷ୍ୟ କରାଯାଇଛି। ସର୍ବେକ୍ଷଣ ସମୟରେ ଯେଉଁ ଗୃହରେ ସ୍ମାର୍ଟ ଫୋନ ଥିଲା ସେଥିମଧ୍ୟରୁ ସହରାଞ୍ଚଳରେ ୩୧ ଶତାଂଶ ନିୟମିତ ପାଠ ପଢୁଥିବା ବେଳେ ଗ୍ରାମାଞ୍ଚଳରେ ୧୫ ଶତାଂଶ ପିଲା ନିୟମିତ ଅନଲାଇନରେ ପାଠ ପଢୁଛନ୍ତି। ସହରାଞ୍ଚଳରେ ୭୭ ପ୍ରତିଶତ ପିଲାଙ୍କ ପରିବାରରେ ସ୍ମାର୍ଟ ଫୋନ ଥିବା ବେଳେ ଗ୍ରାମାଞ୍ଚଳରେ ୫୧ ପ୍ରତିଶତ ପିଲାଙ୍କ ପରିବାର ପାଖରେ ସ୍ମାର୍ଟ ଫୋନ ରହିଛି। ସହରାଞ୍ଚଳରେ ୩୦ ପ୍ରତିଶତ ପିଲାଙ୍କ ପାଖରେ ନିଜସ୍ୱ ସ୍ମାର୍ଟ ଫୋନ ନ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୩୬ ପ୍ରତିଶତ ରହିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୯ ପ୍ରତିଶତ ପିଲା ଦୁର୍ବଳ ଇଣ୍ଟରନେଟ ସଂଯୋଗ ହେତୁ ନିୟମିତ ଭାବରେ ଅନଲାଇନରେ ପାଠ ପଢି ପାରୁ ନାହାନ୍ତି। ସହରାଞ୍ଚଳରେ ୬ ପ୍ରତିଶତ ପିଲା ଇଣ୍ଟରନେଟ ଡାଟା କ୍ରୟ କରିବା ପାଇଁ ଅର୍ଥ ବ୍ୟୟ କରି ପାରୁ ନଥିବାରୁ ପାଠପଢାରେ ବ୍ୟତିକ୍ରମ ସୃଷ୍ଟି ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୯ ପ୍ରତିଶତ ରହିଛି।
ସେହିପରି ବିଦ୍ୟାଳୟ ପକ୍ଷରୁ ମଧ୍ୟ ପିଲାମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳରେ ୪୩ ଶତାଂଶ ପିଲା ନିୟମିତ ଭାବରେ ବିଦ୍ୟାଳୟରୁ କୌଣସି ପ୍ରକାର ବହିର ଫଟୋ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ପାଉନାହାନ୍ତି। ସହରାଞ୍ଚଳରେ ଏହା ଟିକିଏ ସନ୍ତୋଷଜନକ ଅବସ୍ଥାରେ ଅଛି। ସହରରେ ୧୪ ପ୍ରତିଶତ ବିଦ୍ୟାର୍ଥୀ ସ୍କୁଲରୁ ନିରାଶ ହେଉଛନ୍ତି। ଦୁଇ ତୃତୀୟାଂଶ ଅଭିଭାବକ ଅନୁଭବ କରିଛନ୍ତି ଯେ ବିଦ୍ୟାଳୟ ବନ୍ଦ ରହିବା ଫଳରେ ସେମାନଙ୍କ ପିଲାଙ୍କ ପଢିବା ଓ ଲେଖିବା ଦକ୍ଷତା ବହୁତ ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ଚାଲୁ କରାଯାଇଥିଲେ ମଧ୍ୟ ଏହା ସେତେ ସଫଳତା ହାସଲ କରିବା ପାଇଁ ସକ୍ଷମ ହୋଇ ନାହିଁ। ସହରାଞ୍ଚଳରେ ୮ ପ୍ରତିଶତ ପିଲା ଓ ଗ୍ରାମାଞ୍ଚଳରେ ମାତ୍ର ୧ ପ୍ରତିଶତ ପିଲା ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି, କିନ୍ତୁ ତାହା ମଧ୍ୟ ନିୟମିତ ନୁହେଁ।
ସର୍ବେକ୍ଷଣରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ପ୍ରମାଣିତ ହୋଇଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଭାବରେ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ରହିବା ପାଇଁ ସରକାରଙ୍କ ନିୟମ ଥିଲେ ମଧ୍ୟ ଏହା ଫଳବତୀ ହୋଇ ପାରୁ ନାହିଁ। ଅଗଷ୍ଟ ମାସରେ ସର୍ବେକ୍ଷଣ ଚାଲିଥିବା ବେଳେ ସହରାଞ୍ଚଳରେ ୫୧ଶତାଂଶ ଓ ଗ୍ରାମାଞ୍ଚଳରେ ୫୮ ଶତାଂଶ ବିଦ୍ୟାର୍ଥୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଯୋଗାଯୋଗରେ ନ ଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ କେବଳ ହ୍ବାଟସଆପ୍‌ ଗ୍ରୁପରେ ୟୁଟ୍ୟୁବର ‘ଲିଙ୍କ୍‌’ ପଠାଇ ଦେଉଛନ୍ତି। ପିଲାମାନେ ଭିଡିଓ ଦେଖି ସାରିବା ପରେ ସେମାନେ ସେଥିରୁ କଣ ବୁଝିପାରିଲେ କିମ୍ବା ଅନ୍ୟ କୌଣସି ସନ୍ଦେହ ରହିଛି ସେ ବିଷୟ ଉପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧ୍ୟାନ ଦିଅନ୍ତି ନାହିଁ।
ସର୍ବେକ୍ଷଣର ନିଷ୍କର୍ଷ ଅନୁଯାୟୀ ଯେତେବେଳେ ବିଦ୍ୟାଳୟ ସବୁ ଖୋଲି ଯିବ ଓ ନିୟମିତ ଭାବରେ ପାଠପଢା ଆରମ୍ଭ ହେବ ସେତେବେଳେ ଛାତ୍ରଛାତ୍ରୀମାନେ ନିଜର ଶ୍ରେଣୀ ପାଠ୍ୟକ୍ରମ ଅନୁସାରେ ‘ତିନିଥର ଅପସାରିତ’ ହେବାର ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହେବେ। ମହାମାରୀ ପୂର୍ବରୁ ପିଲାମାନେ ଯେଉଁ ଶ୍ରେଣୀରେ ଥିଲେ ସେମାନଙ୍କ ମଧ୍ୟରେ ପଢା ଉପରେ କିଛି ଦୁର୍ବଳତା ଥିଲା। ବିଦ୍ୟାଳୟ ସବୁ ବନ୍ଦ ହେବା ପରେ ଏହି ଦୁର୍ବଳତା ଆହୁରି ଗଭୀର ହୋଇଛି। ବିଦ୍ୟାଳୟ ସବୁ ଖୋଲିଗଲେ ଯେତେବେଳେ ଛାତ୍ରଛାତ୍ରୀମାନେ ଉଚ୍ଚ ଶ୍ରେଣୀକୁ ଯିବେ ସେତେବେଳେ ସେମାନେ କିପରି ପାଠ ପଢିବେ ତାହା ଚିନ୍ତାର ବିଷୟ। ତାଲାବନ୍ଦ ଆରମ୍ଭରେ ଯେଉଁ ବିଦ୍ୟାର୍ଥୀମାନେ ତୃତୀୟ ଶ୍ରେଣୀରେ ପଢୁ ଥିଲେ ସେମାନେ ସେତେବେଳେ ଦ୍ବିତୀୟ ଶ୍ରେଣୀର ପାଠ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ଦକ୍ଷ ହୋଇ ପାରି ନ ଥିଲେ। ପାଠପଢା ବନ୍ଦ ହେବାରୁ ସେମାନଙ୍କ ଦକ୍ଷତା ବର୍ତ୍ତମାନ ପ୍ରଥମ ଶ୍ରେଣୀ ପିଲା ସହିତ ସମାନ ହୋଇ ଯାଇଛି। ବିଦ୍ୟାଳୟ ଖୋଲିଲେ ସେମାନେ ପଞ୍ଚମ ଶ୍ରେଣୀରେ ପଢିବେ। ଗୋଟିଏ ନିମ୍ନ ପ୍ରାଥମିକ ଛାତ୍ର ମଧ୍ୟ ପ୍ରାଥମିକ ଶ୍ରେଣୀରେ କିପରି ପଢିବାକୁ ସମର୍ଥ ହେବେ ତାହା ଘୋର ଉଦ୍‌ବେଗର ବିଷୟ। ମଧ୍ୟପ୍ରାଥମିକ ବିଦ୍ୟାର୍ଥୀମାନେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ପଢ଼ିବା ପାଇଁ ବାଧ୍ୟ ହେବେ। ଅଭିଭାବକମାନଙ୍କ ମଧ୍ୟରୁ ୯୭ ଶତାଂଶ ଯଥାଶୀଘ୍ର ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି।
ଏସବୁ ସହିତ ଘରୋଇ ବିଦ୍ୟାଳୟଗୁଡ଼ିକ ଅର୍ଥ ଶୋଷଣ ମନୋବୃତ୍ତି ଅଭିଭାବକଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଅଭିଭାବକମାନେ ଯେତେବେଳେ ଦେୟ ପୈଠ କରି ନ ପାରି ବିଦ୍ୟାଳୟ ପରିବର୍ତ୍ତନ କରିବା ପାଇଁ ଚାହିଁଲେ ତାହା ମଧ୍ୟ ସମ୍ଭବ ହେଲା ନାହିଁ। ସମସ୍ତ ବକେୟା ଦେୟ ପୈଠ ନ କଲା ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ଥାନାନ୍ତର ପ୍ରମାଣପତ୍ର ମିଳିଲା ନାହିଁ। ସ୍କୁଲ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଏକ ପଞ୍ଚମାଂଶ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥିଲେ।
ବର୍ତ୍ତମାନ କରୋନା ସଂକ୍ରମଣ ବହୁତ ମାତ୍ରାରେ ହ୍ରାସ ପାଇଛି। ତେଣୁ ବିଦ୍ୟାଳୟକୁ ଖୋଲିବାରେ ବିଶେଷ ଭାବରେ ବଡ଼ ପ୍ରତିବନ୍ଧକ ନାହିଁ। କିନ୍ତୁ ଏହାପୂର୍ବରୁ ବିଦ୍ୟାଳୟର ଅଟ୍ଟାଳିକାର ସଫେଇ ଆବଶ୍ୟକ। ପିଲାମାନଙ୍କୁ କୋଭିଡ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ସହିତ ବିଦ୍ୟାଳୟରେ ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ହେବ।

ସନ୍ତୋଷ କୁମାର ମିଶ୍ର
ବେଲେଶ୍ବର, ନୟାବଜାର, କଟକ
ଦୂରଭାଷ:୯୪୩୭୧୨୮୪୬୪
msantosh64@yahoo.com

Comments are closed.