ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା

ବ୍ୟବସ୍ଥା ନକରି ସମୟ ସୀମା କାହିଁକି?

କଟକ : ବିଭିନ୍ନ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିର୍ଦେଶନାମା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି। ନମ୍ବର ପ୍ଲେଟ ଲଗାଇବା ପାଇଁ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ନକରି ଏଥିପାଇଁ ପରିବହନ ବିଭାଗ ପକ୍ଷରୁ କାହିଁକି ସମୟସୀମା ନିର୍ଦ୍ଧାରଣ ସହ ଜୋରିମାନା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ ବ୍ୟବସ୍ଥା ନ ଥିବାବେଳେ ‘ଏଚଏସଆରପି’ରେ ବୁକିଂ କରିବା ସମ୍ଭବ ହେଉନାହିଁ। ତେଣୁ ଏ କ୍ଷେତ୍ରରେ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ସମ୍ପର୍କରେ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ପବିତ୍ରମୋହନ ଖଟୁଆଙ୍କ ଆବେଦନର ଶୁଣାଣି କରି ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଲୋକ, ଅଶିକ୍ଷିତ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ଗାଡି ଫିଟ୍‌ମେଣ୍ଟ ପାଇଁ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି; ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଅକ୍ଟୋବର ପହିଲା (୧ ତାରିଖ)ରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ଚେକିଂ କଡାକଡି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ତେବେ ତା ପୂର୍ବରୁ ଦୁଇ ଦିନ ମଧ୍ୟରେ ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପ୍ରକାଶଥାଉକି, ଦେଶରେ ୨୦୧୯ ଏପ୍ରିଲ ୧ରୁ ବିଭିନ୍ନ ଯାନବାହାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବା ଏଚଏସଆରପି ଲାଗୁ କରାଯାଇଛି। ତା ପୂର୍ବରୁ ଥିବା ଯାନ ଗୁଡିକରେ ମଧ୍ୟ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସ୍‌ଆରପି ଫିଟ୍‌ମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିଵହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ନିଗମ ମେ ଶେଷ ସପ୍ତାହରେ ବିଜ୍ଞପ୍ତି ଜାରି କରିଥିଲେ। ନିଜ ଗାଡି ନମ୍ବର ଶେଷରେ ୧ ଓ ୨ ଥିଲେ ଅଗଷ୍ଟ ୩୧ ଏଚଏସ୍‌ଆରପି ଫିଟ୍‌ମେଣ୍ଟ ପାଇଁ ଶେଷ ତାରିଖ ଥିଲା। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ଆଉ ଏକମାସ ବୃଦ୍ଧି କରାଯାଇଥିଲା। ୧,୨,୩,୪ ନମ୍ବର ପାଇଁ ସେପ୍ଟେମ୍ବର ୩୦, ଗାଡି ନମ୍ବର ଶେଷରେ ୫ ଓ ୬ ଥିଲେ ଅକ୍ଟୋବର ୩୧, ୭ ଓ ୮ ଥିଲେ ନଭେମ୍ବର ୩୦, ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ଡିସେମ୍ବର ୩୧ ଶେଷ ତାରିଖ ଭାବେ ଏଚଏସଆରପି ଫିଟମେଣ୍ଟ ପାଇଁ ଧାର୍ଯ୍ୟ କରିଛି ବିଭାଗ। କିନ୍ତୁ ବୁକିଂ କରିବା ଓ ସ୍ଲଟ ପାଇବାରେ ନାହିଁ ନ ଥିବା ଅସୁବିଧା ହେଉଥିବା ଲକ୍ଷ୍ୟ କରାଯାଉଛି।
ଗତ ୨୬ ତାରିଖରେ ରାଜ୍ୟ ପରିବହନ ନିଗମ ଅନ୍ୟ ଏକ ବିଜ୍ଞପ୍ତି ଜରିଆରେ ଯଦି ଏଚଏସ୍‌ଆରପି ଫିଟମେଣ୍ଟ ପାଇଁ ଗାଡି ମାଲିକ ବୁକିଂ କରିଥିବେ; ସେହି ସ୍ଲିପ ଦେଖାଇଲେ ଧାର୍ଯ୍ୟ ଜୋରିମାନାରୁ ମୁକ୍ତି ପାଇପାରିବେ। କିନ୍ତୁ କଟକ ଭୁବନେଶ୍ୱରରେ ଟ୍ରାଫିକ ପୋଷ୍ଟରେ ସିସିଟିଭି କ୍ୟାମେରାର ଫଟୋ ଉଠାଇ ଭିସିଆର ମେସେଜ ମୋବାଇଲକୁ ଛଡା ଯାଉଛି। ଏଭଳି ସ୍ଥଳେ କାହାକୁ ଗାଡି ମାଲିକ ଫିଟ୍‌ମେଣ୍ଟ ବୁକିଂ କରିଥିବା ରସିଦ ଦେଖାଇବେ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ। ଏଚଏସ୍‌ଆରପି ଫିଟମେଣ୍ଟ ପାଇଁ ଅଧିକ ଦୁଇ ମାସ ସମୟ ଦେଇହେବ କି ନାହିଁ ବୋଲି ସେ ସମ୍ପର୍କରେ ବିଭାଗରୁ ବୁଝି ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦେଶ ଦେଇଛନ୍ତି ଖଣ୍ଡପୀଠ।

Comments are closed.