କବି ହୃଷୀକେଶ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଦିଗରାଜ ବ୍ରହ୍ମାଙ୍କୁ ‘ବାଲ୍‌ ସାହିତ୍ୟ ପୁରସ୍କାର’; ଦେବବ୍ରତ ଦାସଙ୍କୁ ‘ଯୁବ ସାହିତ୍ୟ ପୁରସ୍କାର’

ଭୁବନେଶ୍ବର: ୨୦୨୧ ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ କବି ହୃଷୀକେଶ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ଲାଗି ମନୋନୀତ କରାଯାଇଛି। ଚଳିତ ବର୍ଷ ପିଲାଙ୍କ ସାହିତ୍ୟ ରଚନା କ୍ଷେତ୍ରରେ ଦିଆଯାଉଥିବା ‘ବାଲ୍‌ ସାହିତ୍ୟ ପୁରସ୍କାର’ ଦିଗରାଜ ବ୍ରହ୍ମାଙ୍କୁ ପ୍ରଦାନ କରାଯିବାକୁ ଥିବାବେଳେ ‘ଗୀତ କହେ ମିତର କଥା’ ଶୀର୍ଷକ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହାସହିତ ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଦେବବ୍ରତ ଦାସଙ୍କୁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ଲାଗି ମନୋନୀତ ହୋଇଥିବା ହୃଷୀକେଶ ମଲ୍ଲିକଙ୍କୁ ଏହାପୂର୍ବରୁ ତାଙ୍କର କବିତା ପୁସ୍ତକ ‘ଧାନ ସାଉଁଟା ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଛି। ସେହିପରି ‘ଜେଜେ ଦେଖି ନ ଥିବା ଭାରତ’ କବିତା ପୁସ୍ତକ ପାଇଁ ତାଙ୍କୁ ସମ୍ମାନଜନକ ସାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। କବି ହୃଷୀକେଶ ମଲ୍ଲିକଙ୍କ ରଚିତ ୪୦ରୁ ଊର୍ଦ୍ଧ୍ବ ପୁସ୍ତକ ମଧ୍ୟରୁ ୧୨ଟି ହେଉଛି କବିତା, ୨ଟି କ୍ଷୁଦ୍ରଗଳ୍ପ ଏବଂ ଅନ୍ୟୂନ ୧୦ଟି ପୁସ୍ତକ ସାହିତ୍ୟ ସମାଲୋଚନା ଉପରେ ଆଧାରିତ।
ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ଶ୍ରୀ ମଲ୍ଲିକ କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଝଙ୍କାର ବିଷୁବ ପୁରସ୍କାର, ସଚ୍ଚି ରାଉତରାୟ କବିତା ପୁରସ୍କାର ଓ ଧରିତ୍ରୀ କବିତା ପୁରସ୍କାର ଭଳି ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ତାଙ୍କର ଅନେକ ଓଡ଼ିଆ କବିତା ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦିତ ହୋଇଛି।

ସେହିପରି ଚଳିତ ବର୍ଷ ପିଲାଙ୍କ ସାହିତ୍ୟ ରଚନା କ୍ଷେତ୍ରରେ ଦିଆଯାଉଥିବା ‘ବାଲ୍‌ ସାହିତ୍ୟ ପୁରସ୍କାର’ ଦିଗରାଜ ବ୍ରହ୍ମାଙ୍କୁ ପ୍ରଦାନ କରାଯିବାକୁ ଥିବାବେଳେ ‘ଗୀତ କହେ ମିତର କଥା’ ଶୀର୍ଷକ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୧୯୪୯ ମସିହା ଏପ୍ରିଲ୍‌ ୧୩ ତାରିଖରେ କଟକ ଜିଲ୍ଲାର ଛତିଆ ଅନ୍ତର୍ଗତ ରୁଦ୍ରପୁରରେ ଜନ୍ମିତ ଦିଗରାଜ ବ୍ରହ୍ମା ଦୀର୍ଘ ଦିନ ଧରି ଶିଶୁ-ସାହିତ୍ୟ ରଚନା କରି ଆସୁଛନ୍ତି ପିଲାମାନଙ୍କ ପାଇଁ ଗଳ୍ପ, କବିତା, ଉପନ୍ୟାସ, ଭ୍ରମଣ କାହାଣୀ ଏବଂ ଜୀବନୀ ଭଳି ସେ ପ୍ରାୟ ୧୦ଟି ପୁସ୍ତକର ରଚୟିତା। ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ‘ସାର୍‌ ଜନ୍‌ଙ୍କ ପ୍ରିୟ ସାଥୀ’ ନାମକ ଗଳ୍ପର ଲେଖକ ଭାବେ ସେ ସୁପରିଚିତ। କଲେଜସ୍ତରରେ ମଧ୍ୟ ତାଙ୍କର ଅନେକ ଲେଖା ପାଠ୍ୟ ପୁସ୍ତ‌କରେ ଚଳୁଛି। ପିଲାମାନଙ୍କ ପାଇଁ ରେଡିଓ ଏବଂ ଟେଲିଭିଜନ୍‌ରେ ସେ ବିଭିନ୍ନ ଶୈକ୍ଷିକ କାର୍ୟ୍ୟକ୍ରମ ପ୍ରସ୍ତୁତି ଓ ସମ୍ପାଦନା କରିଛନ୍ତି।
ଶିକ୍ଷାରେ ସ୍ନାତକୋତ୍ତର ଏବଂ ‘ଶିଶୁ ସାହିତ୍ୟର ଶିକ୍ଷାଗତ ପ୍ରୟୋଗ’ରେ ପିଏଚ୍‌ଡି କରିଥିବା ଶ୍ରୀ ବ୍ରହ୍ମା ଭୁବନେଶ୍ବରସ୍ଥିତ ରାଜ୍ୟ ଶିକ୍ଷା ଓ ଶିକ୍ଷକ ଶିକ୍ଷା ନିର୍ଦେଶାଳୟରେ ଉପନିର୍ଦେଶକ ଥିଲେ। ଏହାଛଡ଼ା, ସେ କୋରାପୁଟସ୍ଥିତ ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଥିଲେ।

Comments are closed.