ହୃଦୟ-ଦର୍ପଣ

ଆମେ ମୂର୍ତ୍ତି ବା ମନ୍ଦିର ଗଢ଼ିବାର ବ୍ୟର୍ଥ ପ୍ରୟାସ କରୁଛୁ

ଅଧ୍ୟାପକ ବିଶ୍ବରଞ୍ଜନ

ଜଣେ କଳାପ୍ରିୟ ରାଜାଙ୍କ ରାଜ୍ୟର ଘଟଣା। ଥରେ ତାଙ୍କ ଦରବାରକୁ ଅନ୍ୟ ଏକ ରାଜ୍ୟର କିଛି ଚିତ୍ରକର ଆସିଲେ। ସେମାନେ ରାଜାଙ୍କ ନିକଟରେ ନିଜର କଳା ପ୍ରଦର୍ଶନ ପାଇଁ ଅନୁମତି ଭିକ୍ଷା କଲେ; କିନ୍ତୁ ସେହି କଳାପ୍ରିୟ ରାଜାଙ୍କ ରାଜ୍ୟରେ ଅନେକ ପ୍ରସିଦ୍ଧ ଚିତ୍ରକର ଥିଲେ। ସେମାନଙ୍କୁ ଅନ୍ୟ ରାଜ୍ୟରୁ ଆସିଥିବା ଚିତ୍ରଶିଳ୍ପୀମାନଙ୍କ ପ୍ରସ୍ତାବ ଭଲ ଲାଗିଲା ନାହିଁ। ସେମାନେ କହିଲେ, ଯଦି ରାଜା ସେମାନଙ୍କୁ କିଛି ପ୍ରଦର୍ଶନ କରିବାକୁ ସୁଯୋଗ ଦେଉଛନ୍ତି, ତେବେ ଆମେ ମଧ୍ୟ ଆମର କଳାକୃତି ଦେଖେଇବାକୁ ଚାହୁଁ। ରାଜା ଦୁଇପକ୍ଷକୁ ସୁଯୋଗ ଦେଲେ। ନିଜ ରାଜ୍ୟର ଏବଂ ଅନ୍ୟ ରାଜ୍ୟର ଚିତ୍ରଶିଳ୍ପୀଙ୍କୁ ଗୋଟେ ବଡ଼ ଭବନ ଦିଆଗଲା, ଯାହା ଭିତରେ ରହି ସେମାନେ ନିଜ ନିଜର ଚିତ୍ରକଳାର ପ୍ରଦର୍ଶନ କରିପାରିବେ।
ରାଜାଙ୍କ ନିଜ ରାଜ୍ୟର ଚିତ୍ରକରମାନେ ଭବନର ଗୋଟିଏ ପାର୍ଶ୍ବରେ, ଲମ୍ବା ଓ ଓସାରିଆ କାନ୍ଥ ଉପରେ ଚମତ୍କାର ଚିତ୍ରମାନ ଆଙ୍କି ଚାଲିଲେ। ଛ’ମାସ ଧରି ଦିନରାତି ଲାଗିପଡ଼ି କାନ୍ଥରେ ସେମାନେ ଆଖି ଲାଖିଗଲା ଭଳି ଚିତ୍ରମାନ ଖେଳେଇ ଚାଲିଲେ; କିନ୍ତୁ ବିସ୍ମୟର କଥା, ଅନ୍ୟ ରାଜ୍ୟରୁ ଆସିଥିବା ଚିତ୍ରକରମାନେ ଆଦୌ କିଛି କରୁ ନଥିଲେ। ନା, ସେମାନଙ୍କ ପାଖରେ ତୂଳୀ ଥିଲା ନା ରଙ୍ଗ। ଏ କଥା ଲକ୍ଷ୍ୟ କରି ରାଜା କହିଲେ, ତୁମମାନଙ୍କର ଚିତ୍ରାଙ୍କନ ପାଇଁ ଯାହାକିଛି ଆବଶ୍ୟକ, ସବୁ ଯୋଗାଇ ଦିଆଯିବ; କିନ୍ତୁ ସେମାନେ କିଛି ଚାହୁଁ ନଥିଲେ। ସେମାନଙ୍କ ପାଇଁ ନିର୍ଦ୍ଧାରିତ କାନ୍ଥ ଆଗରେ ଏକ ବଡ଼ ପର୍ଦା ଟାଣି ଦେଇଥାଆନ୍ତି।
ସାମ୍ନାସାମ୍ନି ଦୁଇଟି କାନ୍ଥ। ଗୋଟିଏ କାନ୍ଥରେ ରାଜାଙ୍କ ନିଜ ରାଜ୍ୟର ଚିତ୍ରକରଙ୍କ ଚିତ୍ରକଳା ଚାଲିଥାଏ, ଅଥଚ ଅନ୍ୟ କାନ୍ଥ ପୂରାପୂରି ପର୍ଦାରେ ଘୋଡ଼ାଇ ଦିଆଯାଇଥାଏ। ସେପଟେ କ’ଣ ଚିତ୍ର ଅଙ୍କା ହେଉଛି, କେହି କିଛି ଜାଣିପାରୁ ନଥାନ୍ତି। ଛ’ମାସର ସମୟ ସୀମା ପୂରିଗଲା। ରାଜା ବ୍ୟାକୁଳ ଦେଖିବାକୁ। ଅନ୍ତିମ ବେଳା ଆସିଗଲା। ନିଜ ରାଜ୍ୟର ଶିଳ୍ପୀମାନଙ୍କ ଚିତ୍ର ଦେଖି ଚମତ୍କୃତ ହେଲେ ରାଜା। ଚିତ୍ରାଙ୍କନ ଏତେ ନିଖୁଣ ଓ ଜୀବନ୍ତ ହୋଇଥାଏ ଯେ ସତେ ଯେମିତି କାନ୍ଥ ଭିତରୁ ଚିତ୍ରଚରିତ୍ରମାନେ ପଦାକୁ ବାହାରି ଆସୁଛନ୍ତି। କାନ୍ଥ ଉପରେ ଅଙ୍କା ହୋଇଥିବା ବୃକ୍ଷଲତା ଦେଖିଲେ ଯେ କେହି ଭ୍ରମରେ ପଡ଼ିଯିବ, ତାହା ଅସଲ କି ନକଲ। ରାସ୍ତାର ଚିତ୍ର ଦେଖିଲେ, ମନ ହେଉଥିଲା ତାହା ଉପରେ ସତସତିକା ଚାଲିଯିବା ପାଇଁ। ଅଦ୍ଭୁତ ଥିଲା ସେ ଚିତ୍ରକଳା। ରାଜା ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ କେବେ କଳ୍ପନା କରି ନଥିଲେ ଯେ ତାଙ୍କ ରାଜ୍ୟରେ ଏଭଳି ଚିତ୍ରକର ଅଛନ୍ତି।
ଏହା ପରେ ରାଜ୍ୟ ବାହାରୁ ଆସିଥିବା ଚିତ୍ରକରମାନଙ୍କ କଳାନୈପୁଣ୍ୟ ଦେଖିବାପାଇଁ ରାଜା ଅନ୍ୟ କାନ୍ଥ ଆଡ଼କୁ ମୁହଁ ବୁଲାଇଲେ। କହିଲେ, “ହଟାଅ ଏ ପର୍ଦା। ତୁମେମାନେ ତ ଏଇ ଛଅମାସ ଧରି ମୋ’ ନିଦ ହଜେଇ ଦେଇଛ। ମୁଁ ପ୍ରତି ମୁହୂର୍ତ୍ତରେ ଭାବୁଥାଏ, ତୁମେମାନେ କ’ଣ କରୁଛ ପର୍ଦା ପଛରେ ?” ରାଜାଙ୍କ ନିର୍ଦେଶରେ ପର୍ଦା ହଟାଇ ଦିଆଗଲା। ରାଜା ଓ ଅନ୍ୟ ସମସ୍ତ ଦେଖଣାହାରୀ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ। ଯେଉଁ ଚିତ୍ର ରାଜାଙ୍କ ଚିତ୍ରକରମାନେ ଆଙ୍କିଥିଲେ ଅବିକଳ ସେହି ଚିତ୍ର ହିଁ ସାମ୍ନା କାନ୍ଥରେ ଝଲସି ଉଠୁଥିଲା। ଅନ୍ୟ ରାଜ୍ୟର ଚିତ୍ରକରମାନେ ଆଦୌ କୌଣସି ଚିତ୍ର ଆଙ୍କି ନଥିଲେ। ସେମାନେ କେବଳ ଛ’ମାସ ଧରି ନିଜ କାନ୍ଥକୁ ଘଷିଘଷି ଦର୍ପଣ ପରି କରିଦେଇଥିଲେ। ପୂରା କାନ୍ଥ ହୋଇଯାଇଥିଲା ଏକ ଦର୍ପଣ ପରି। ଦର୍ପଣ ଭିତରେ ସେହି ଚିତ୍ର ପ୍ରତିଫଳିତ ହୋଇ ହଜାରେ ଗୁଣ ଅଧିକ ସୁନ୍ଦର ଦେଖାଯାଉଥିଲା।
ଅନ୍ୟ ରାଜ୍ୟରୁ ଆସିଥିବା ଚିତ୍ରକର କହିଲେ, ମହାରାଜା! ଆମେ ତ କେବଳ ଦର୍ପଣ ବନେଇବା ଜାଣିଛୁ। ଏ ସଂସାରରେ ଚିତ୍ର ତ ପରମପିତା ପରମାତ୍ମା ବନେଇ ସାରିଛନ୍ତି। ଆମେ କେବଳ ଦର୍ପଣ ବନେଇଥାଉ। କହିବା ବାହୁଲ୍ୟ ମାତ୍ର, ପରମାତ୍ମା ହଜାର ଗୁଣ ସୁନ୍ଦର ହୋଇ ସେହି ଦର୍ପଣରେ ପ୍ରତିବିମ୍ବିତ ହେଉଥିଲେ।
ଏହି କାହାଣୀଟି କହିସାରି ଜଣେ ମହାତ୍ମା ତାଙ୍କର ପ୍ରିୟଜନମାନଙ୍କୁ କହୁଥିଲେ, ଆମେ ସମସ୍ତେ ମୂର୍ତ୍ତିି ବା ମନ୍ଦିର ଗଢ଼ିବାର ମାୟାରେ ପଡ଼ି ଈଶ୍ୱରଙ୍କୁ ଖୋଜିବାର ବ୍ୟର୍ଥ ପ୍ରୟାସ କରୁଛେ। ଅଥଚ ନିଜ ହୃଦୟକୁ ସ୍ୱଚ୍ଛ ଦର୍ପଣର ରୂପ ଦେବାକୁ ଭୁଲିଯାଇଛେ। ହୃଦୟକୁ ଦର୍ପଣ କରିଦେଲେ ସେଥିରେ ଦେଖିପାରିବା ଈଶ୍ୱରଙ୍କୁ ଏବଂ ଈଶ୍ୱରଙ୍କର ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟକୁ।
କହିପାରିବି ନାହିଁ, ମହାତ୍ମାଙ୍କ ଏ ବାଣୀ ବା କାହାଣୀ ତାଙ୍କର ପ୍ରିୟ ଶିଷ୍ୟମାନଙ୍କର ମର୍ମକୁ କେତେଦୂର ଭେଦ କରିଥିଲା। ଆଉ ଆମେ ?

ନେତାଜୀ ନିବାସ, ୟୁନିଟ-୬, ଭୁବନେଶ୍ବର
ମୋ:୮୭୬୩୨୩୬୨୧୨

Comments are closed.