୩ ଜିଲାରେ ୩୮ ସଂକ୍ରମିତ: କରୋନା ’ହଟସ୍ପଟ’ ହେବ କି ଯାଜପୁର-ଭଦ୍ରକ-ବାଲେଶ୍ବର

ଭୁବନେଶ୍ବର(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୪ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ବରର ୪୬ ଜଣ ଥିବାବେଳେ ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲାରେ ଚିହ୍ନଟ ହେଲେ ୩୮ ରୋଗୀ  । ଭଦ୍ରକ ଜିଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ବାଲେଶ୍ବର ଜିଲାରେ ଜଣେ ସଂକ୍ରମିତ ବ୍ୟକ୍ତି ବହୁ ଲୋକଙ୍କୁ ସଂକ୍ରମିତ କରିଛନ୍ତି ଏବଂ ଏହି ଜିଲାରେ ସଂଖ୍ୟା ୧୦ରେ ପହଞ୍ଚିଛି । ଭଦ୍ରକ ପରି ଯାଜପୁରରେ କଲକତା ଫେରନ୍ତା ବି କରୋନା ବୋହି ଆଣିଛନ୍ତି । ଭଦ୍ରକ ଜିଲାରେ ୧୬ ଜଣ ସଂକ୍ରମିତଙ୍କୁ ବିଭିନ୍ନ କୋବିଦ-୧୯ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ଯାଜପୁରରେ ୧୦ ଜଣ ସଂକ୍ରମିତ ଚିକିତ୍ସା ପାଇଁ ଯାଇଛନ୍ତି ।

ଏହି ୩ ଜିଲାର କରୋନା ସ୍ଥିତିକୁଦେଖିଲେ ଯଦିଓ ଏହା ସମୂହ ସଂକ୍ରମଣ ବୋଲି କୁହାଯାଇ ପାରିବ ନାହିଁ ତଥାପି ସ୍ଥିତି ଅତ୍ୟନ୍ତ ସ୍ପର୍ଶକାତର ରହିଥିବା ସ୍ପଷ୍ଟ । ସାମାନ୍ୟ ଅସାବଧାନ ହେଲେ ଏହା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଯାଇପାରେ । ତେଣୁ ରାଜ୍ୟ ସରକାର ଏହି ଅଞ୍ଚଳକୁ ୬୦ ଘଣ୍ଟା ସଟ୍ଡ଼ାଉନ ଘୋଷଣା କରିଛନ୍ତି । ଏହା ସହ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସ୍ବତଃପ୍ରବୃତ୍ତ ଭାବରେ ପରୀକ୍ଷା ଲାଗି ଆଗେଇ ଆସିବା ଓ ସଙ୍ଗରୋଧ ହୋଇ ରହିବା ଲାଗି ପରାମର୍ଶ ଦେଇଛନ୍ତି ।

ରାଜଧାନୀରେ ସଂକ୍ରମଣ ତୀବ୍ର ହେବା ପୂର୍ବରୁ ରାଜ୍ୟ ସରକାର ସହରକୁ ୪୮ ଘଣ୍ଟା ଲାଗି ସଟ୍ଡ଼ାଉନ କରିଥିଲେ। ଏହାଫଳରେ ସଂକ୍ରମଣ ଶିକୁଳି ଭାଙ୍ଗିଥିଲା । ଏହାପରେ ରାଜଧାନୀରେ ସଂକ୍ରମଣ ନେଇ ନୂଆ ଖବର ମିଳିନାହିଁ । ଶେଷ ସଂକ୍ରମଣ ସୂଚନା ୧୪ ତାରିଖରେ ଆସିଥିଲା ଏବଂ ତାହାକୁ ବର୍ତମାନ ସୁଦ୍ଧା ​ଶେଷ ସଂକ୍ରମଣ ମାନ୍ୟତା ଦିଆଯାଇଛି । ଏହି ପରୀକ୍ଷାନିରୀକ୍ଷାକୁ ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ମଧ୍ୟ କରାଯାଇଛି । ଗତକାଲି ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ଏହାକୁ ଦୋହରାଇଛନ୍ତି । ବିଶେଷ ଭାବରେ ପଶ୍ଚିବବଙ୍ଗରୁ କରୋନା ଏହି ତିନି ଜିଲାକୁ ବ୍ୟାପୁଥିବାରୁ ବିଭିନ୍ନ ଯୋଗାଯୋଗ ପଥକୁ ସିଲ କରି ଦିଆଯାଇଛି ଏବଂ ଲୋକଙ୍କ ଆତଯାତ ଉପରେ କଟକଣା ଜାରି ହୋଇଛି । କିଛି ଲୋ କ ଅତ୍ୟନ୍ତ ଅମାନବୀୟ ଆଚରଣ ପ୍ରଦର୍ଶନ ପୂର୍ବକ ଆମ୍ବୁଲାନ୍ସରେ ଲୁଚି ଛପି ଓଡିଶା ଭିତରକୁ ପଳାଇ ଆସୁଛନ୍ତି । ଯାହା କରୋନାକୁ ଅଧିକ ସଂକ୍ରମଣ କରିବାର ଆଶଙ୍କା ରହିଛି । ତେଣୁ ଏ ଦିଗରେ ଏବେଠାରୁ ସାଧାରଣ ଲୋକମାନେ ସଚେତନ ନ ହେଲେ ଏହି ତିନି ଜିଲା ପରିସ୍ଥିତି ଭୟଙ୍କର ନ ହେବ ବୋଲି କୁହାଯାଇ ପାରିବ ନାହିଁ । 

Comments are closed.