ହୋଟେଲ ଶିଳ୍ପକୁ ଭିତ୍ତିଭୂମି ମାନ୍ୟତା, ସୁଧ ଉପରେ ୫% ଟିକସ ରିହାତି, ଓଡ଼ିଶା ପର୍ଯ୍ୟଟନର ଅଧିକ ପ୍ରଚାର, ପ୍ରସାର ପାଇଁ ନିତି ଆୟୋଗଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,୧୫ା୧୨: କୋଭିଡ-୧୯ ମହାମାରୀ ପ୍ରଭାବରେ ଓଡ଼ିଶା ସମେତ ସମୁଦାୟ ଦେଶର ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହାର ସ୍ଥିତି କେବେ ସମ୍ପୂର୍ଣ୍ଣ ସୁଧୁରିବ ତାହା ଜଣାନଥିବାବେଳେ ମହାମାରୀ କାରଣରୁ ଗତ ଦୁଇବର୍ଷ ମଧ୍ୟରେ ଅଧିକାଂଶ ହୋଟେଲ ଶିଳ୍ପ ଋଣଭାରରେ ବୁଡିଯାଇଛି । ତାହା ପୂର୍ବରୁ ମଧ୍ୟ ଏହା ନାନା ପ୍ରତିବନ୍ଧକ ମଧ୍ୟ ଦେଇ ଗତିକରୁଥିଲା । ଦେଶର ନିଯୁକ୍ତି ଏବଂ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଏହି ଶିଳ୍ପର ସ୍ଥିତି ସୁଧାରିବାକୁ ନିତି ଆୟୋଗଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ ପ୍ରସ୍ତାବ ପ୍ରଦାନ କରିଛନ୍ତି ଭାରତୀୟ ହୋଟେଲ ଆସୋସିଏସନର ଅବୈତନିକ ସଂପାଦକ ତଥା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟସ ଆସୋସିଏସନ ଅଫ ଓଡ଼ିଶା ଏବଂ ଆଇଏଟିଓ ପୂର୍ବାଞ୍ଚଳ ଅଧ୍ୟକ୍ଷ ଜେ କେ ମହାନ୍ତି ।
ନିତି ଆୟୋଗର ଉପାଧ୍ୟକ୍ଷ ଡଃ ରାଜୀବ କୁମାରଙ୍କ ନିକଟକୁ ଏକ ପତ୍ର ଲେଖି ଶ୍ରୀ ମହାନ୍ତି କହିଛନ୍ତି ଯେ ହୋଟେଲ ଶିଳ୍ପ ତିଷ୍ଠି ରହିବା ଏବଂ ତାହାର ବିକାଶ ନିମନ୍ତେ ଏହାକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ହୋଟେଲ ଶିଳ୍ପ ପାଇଁ ବିଦ୍ୟୁତ, ଜଳ ଓ ଜମି ଆଦି ଶିଳ୍ପ ପାଇଁ ଉଦ୍ଦିଷ୍ଟ ଦରରେ ଉପଲବ୍ଧ ହୋଇପାରିବ ଏବଂ ଭିତ୍ତିଭୂମି ଶିଳ୍ପ ପାଇଁ ଉପଲବ୍ଧ ଋଣ ହାର ଏବଂ ବୈଦେଶିକ ବାଣିଜ୍ୟିକ ଋଣ ସୁଯୋଗ ହୋଟେଲ ଶିଳ୍ପ ନେଇପାରିବ । ଭାରତରେ ଅନେକ ବିଶ୍ୱଶ୍ରେଣୀର ପର୍ଯ୍ୟଟନ ସ୍ଥଳ ରହିଥିଲେ ମଧ୍ୟ ବିଶ୍ୱଶ୍ରେଣୀର ହୋଟେଲ, ସଂଯୋଗିକରଣ, ବୃତ୍ତିଗତ ପରିଚାଳନା, ପର୍ଯ୍ୟଟକଙ୍କ ସ୍ୱାଚ୍ଛନ୍ଦ୍ୟ ଯାତାୟତ ବ୍ୟବସ୍ଥା ପଡୋଶୀ ରାଷ୍ଟ୍ରଗୁଡିକ ତୁଳନାରେ ବହୁ ପଛରେ ପଡିଛି । ହୋଟେଲଗୁଡିକର କ୍ଷମତା ବୃଦ୍ଧି ପାଇଁ ଦେଶର ପ୍ରତ୍ୟେକ ରାଜ୍ୟର ବଛା ବଛା ପର୍ଯ୍ୟଟନ ସ୍ଥଳରେ ୩ ତାରକା ପର୍ଯ୍ୟନ୍ତ ହୋଟେଲଗୁଡିକ କ୍ଷେତ୍ରରେ ସୁଧ ଉପରେ ୫% ରିହାତି ତିନିବର୍ଷ ପାଇଁ ଯୋଗାଇବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ।
ଏହି ପତ୍ରରେ ଶ୍ରୀ ମହାନ୍ତି ଆଉ ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ଏହାର ପଡୋଶୀ ରାଜ୍ୟଗୁଡିକରେ ତୁଳନାରେ ସର୍ବନିମ୍ନ ରହୁଛି । ଏହାର କାରଣ ହେଉଛି ଏ ସମ୍ପର୍କିତ ପ୍ରଚାର ପ୍ରସାରର ଅଭାବ । ସେଥିପାଇଁ ପ୍ରଚାର ପ୍ରସାର ଦାୟିତ୍ୱ ନେଇଥିବା ଦଳକୁ ଓଡ଼ିଶାର ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ ସ୍ଥଳଗୁଡିକ ସମ୍ପର୍କରେ ଉତ୍ତମ ମାନର ୩ଡି ଭିଡିଓ, ପ୍ରଚାରପତ୍ର, ଲେଖା ପ୍ରସ୍ତୁତ କରିବାକୁ କୁହାଯିବା ଏବଂ ଅତୁଲ୍ୟ ଭାରତ ପ୍ରଚାର ଅଭିଯାନରେ ଓଡ଼ିଶାକୁ ସ୍ଥାନିତ କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟରେ ବେଳାଭୂମି, ପର୍ବତ, ସଂସ୍କୃତି, ଧର୍ମୀୟ ସ୍ତଳ, ବୌଦ୍ଧ ଧର୍ମସ୍ଥଳ ଆଦିର ଅନେକ ସ୍ଥାନ ରହିଛି । ଏଗୁଡିକର ଉପଯୁକ୍ତ ପ୍ରଚାର ପ୍ରସାର କରାଯାଇ ପୂର୍ବ ଭାରତକୁ ଦେଶରେ ଏବଂ ବିଶ୍ୱସ୍ତରରେ ଏକ ପର୍ଯ୍ୟଟନର କେନ୍ଦ୍ରସ୍ଥଳ ଭାବରେ ଉପସ୍ଥାପିତ କରାଯିବାର ଆବଶ୍ୟକତା ରହିଛି । ଭାରତର ପର୍ଯ୍ୟଟନ ବିଭାଗର ପ୍ରଚାର ପ୍ରସାରରେ ଓଡ଼ିଶା ସହିତ ବିହାର ଓ ଝାଡଖଣ୍ଡର ବୌଦ୍ଧ ଧର୍ମସ୍ଥଳଗୁଡିକ ବୁଦ୍ଧିଷ୍ଟ ସର୍କିଟରେ ସେଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁନାହିଁ । ସେଥିପାଇଁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହିତ ଆନ୍ତର୍ଜାତିକ ସ୍ତରରେ ବ୍ୟାଙ୍କକ, କୁଆଲାଲମ୍ପୁର, ସିଙ୍ଗାପୁର, ଶ୍ରୀଲଙ୍କା, ନେପାଳ ଆଦି ରାଷ୍ଟ୍ର ସହିତ ପୂବାଞ୍ଚଳ ରାଜ୍ୟଗୁଡିକର ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ଆବଶ୍ୟକ । ଏସବୁ ସହିତ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପରେ ନିବେଶ ନିମନ୍ତେ ଆଗାମୀ ଦୁଇରୁ ଚାରିବର୍ଷ ପର୍ଯ୍ୟନ୍ତ ଏକ ସ୍ୱଳ୍ପମିଆଦୀ ଏବଂ ଦୀର୍ଘାବଧି ଯୋଜନା ଭାରତ ସରକାର ପ୍ରସ୍ତୁତ କରିବାକୁ ବର୍ତ୍ତମାନ ସଠିକ ସମୟ । ସରକାରଙ୍କ ପକ୍ଷରୁ ହୋଟେଲ ଶିଳ୍ପର ବିକାଶ ନିମନ୍ତେ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଗଲେ ଘରୋଇ କ୍ଷେତ୍ର ଏଥିରେ ନିବେଶ କରିବାକୁ ଅ।।ଗେଇ ଆସିବେ ।
ହୋଟେଲ ଶିଳ୍ପ ପାଇଁ ଉଦାର ନୀତି, ଟିକସ କୋହଳ କରାଯିବା, ପୂର୍ଣ୍ଣାଙ୍ଗ ପ୍ୟାକେଜ ଦ୍ୱାରା ଅଧିକ ପର୍ଯ୍ୟଟକ ଏବଂ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରାଯାଇପାରିବ । ଭାରତ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଗତି କରିବା ଏବଂ ବିଶ୍ୱ ବଜାରରେ ନିଜର ସ୍ଥିତି ସୁଦୃଢ କରିବାକୁ ହେଲେ ସରକାର ପର୍ଯ୍ୟଟନକୁ ଏକ ଅଗ୍ରାଧିକାର କ୍ଷେତ୍ର ଭାବରେ ବିବେଚନା କରିବାକୁ ହେବ । ଓଡ଼ିଶା ସରକାର ଏହାକୁ ଅଗ୍ରାଧିକାର କ୍ଷେତ୍ର ଘୋଷଣା କରିଥିଲେ ମଧ୍ୟ ରାଜ୍ୟରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ପାଇଁ କୌଣସି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ । ନିତି ଆୟୋଗ ଏହି ସମସ୍ତ ବିଷୟ ପ୍ରତି ଦୃଷ୍ଟିଦେବା ଏବଂ ସଂପୃକ୍ତ ସରକାରୀ କର୍ତ୍ତୃପକ୍ଷ ଏହି ସମସ୍ତ ପ୍ରସ୍ତାବଗୁଡିକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବା ଦିଗରେ ସେମାନଙ୍କୁ ପରାମର୍ଶ ଦେବାକୁ ଶ୍ରୀ ମହାନ୍ତି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ସମ୍ପର୍କରେ ଏକ ବୈଠକରେ ଯୋଗଦେବାକୁ ନିତି ଆୟୋଗର ଉପାଧ୍ୟକ୍ଷ ଆମନ୍ତ୍ରଣ କରିଥିବାବେଳେ ତାଙ୍କର ବ୍ୟକ୍ତିଗତ କାରଣରୁ ଉକ୍ତ ବୈଠକରେ ଯୋଗଦେଇନପାରି ଶ୍ରୀ ମହାନ୍ତି ଏହି ପ୍ରସ୍ତାବ ପଠାଇଥିବା ଜଣାଯାଇଛି ।

Comments are closed.