୬ ମାସ ପରେ ଖୋଲିଲା ହୋଟେଲ ଓ ରେସ୍ତୋରାଁ; ଆସୁନାହାନ୍ତି ଗ୍ରାହକ, ଚିନ୍ତାରେ ବ୍ୟବସାୟୀ

ସମ୍ବଲପୁର : କରୋନା ସାରା ବିଶ୍ୱର ଅର୍ଥନୀତିକୁ ମନ୍ଥର କରି ଦେଇଥିବାବେଳେ ହୋଟେଲ ବ୍ୟବସାୟ ଏହାର ଏକ ପ୍ରମୁଖ ମାଡ଼ର ଶିକାର ହୋଇଛି। ପୂର୍ବରୁ ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ଏହି ବ୍ୟବସାୟକୁ କରୋନା ଆହୁରୀ ପଛକୁ ଠେଲି ଦେଇଥିବାବେଳେ ଇତି ମଧ୍ୟରେ ରାଜ୍ୟ ସରକାର ହୋଟେଲ ଓ ରେସ୍ତୋରାଁଗୁଡିକୁ କୋଭିଡ–୧୯ ନିୟମାନୁଯାୟୀ ଖୋଲିବା ପାଇଁ ବୁଧବାର ଅନୁମତି ପ୍ରଦାନ କରିଥିଲେ। କିନ୍ତୁ କରୋନାର ମାଡ଼ ଯୋଗୁଁ ଅତ୍ୟନ୍ତ କ୍ଷତି ସହି ଚାଲିଥିବା ବହୁ ହୋଟେଲ ଓ ରେସ୍ତୋରାଁ ମାଲିକ ସରକାରୀ ନିର୍ଦ୍ଦେଶ ମିଳିବା ପରେ ମଧ୍ୟ ଗୁରୁବାର ଖୋଲି ନାହାନ୍ତି। ସରକାର ହୋଟେଲ ଓ ରେସ୍ତୋରାଁଗୁଡିକୁ ଖୋଲିବାକୁ ଅନୁମତି ଦେଇଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟ କିମ୍ବା ଜିଲା ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ଏସଓପି ଜାରି କରାଯାଇ ନାହିଁ। ଏହା ସହିତ ଅନ୍ୟାନ୍ୟ ଅସୁବିଧାମାନ ରହିଥିବାରୁ ଏବେ ବହୁ ହୋଟେଲ ଓ ରେସ୍ତୋରାଁ ମାଲିକ ସେମାନଙ୍କର ପ୍ରତିଷ୍ଠାନ ଗୁଡିକୁ ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି।

ଏ ସର୍ମ୍ପକରେ ପାନ୍ଥ ନିବାସର ମ୍ୟାନେଜ ଦେବାଶିଷ ସାହୁ କହିଛନ୍ତି ଯେ, ଗତକାଲି ସରକାରୀ ନିର୍ଦ୍ଦେଶ ମିଳିବା ପରେ ଆମେ ଗୁରୁବାରଠାରୁ ସରକାର ଜନତାଙ୍କ ପାଇଁ କୋଭିଡ – ୧୯ ନିୟମାନୁଯାୟୀ ଖୋଲିଛୁ। ଆମେ ରେସ୍ତୁରାଁକୁ ସାନିଟାଇଜ କରି କୋଭିଡ ନିୟମାନୁଯାୟୀ ଟେବୁଲଗୁଡିକୁ ଲଗାଇଛୁ। କିନ୍ତୁ ଆଜି ରେସ୍ତୁରାଁ ଖୋଲିବା ପରେ କୌଣସି ଗ୍ରାହକ ରେସ୍ତୁରାଁ ସେବାର ଉପଯୋଗ କରି ନାହାନ୍ତି। ପୂର୍ବରୁ ୩୦ ପ୍ରତିଶତ ରୁମ ସେବା ଚାଲୁ ରହିଥିବାବେଳେ ରୁମ ଗୁଡିକ ମଧ୍ୟ କମ ବୁକିଂ ରହିଛି। ଏବେ ଲୋକେ ଯାତାୟାତ କରୁ ନ ଥିବାରୁ ଆମର ୩୦ ପ୍ରତିଶତ ସୁଟ୍ ଗୁଡିକ ମଧ୍ୟ ଭଡାରେ ଲାଗୁ ନାହିଁ।

ସେହିଭଳି ଜାତୀୟ ରାଜପଥ କଡରେ ଅଇଁଠାପାଲି ସ୍ଥିତ ହୋଟେଲ କାବେରୀର ମାଲିକ ଅଜିତ ସାମନ୍ତରାୟ କହିଛନ୍ତି ଯେ, ଏବେ ଗ୍ରାହକ ଆସୁନାହାନ୍ତି। ଏହା ସହିତ ବହୁ ବିଷୟକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଗାଇଡଲାଇନ ସରକାର କିମ୍ବା ଜିଲା ପ୍ରଶାସନ ତରଫରୁ ଜାରି କରାଯାଇନାହିଁ। ଏଣୁ ଆମର ରେସ୍ତୁରାଁକୁ ଏବେ ଆଉ କିଛି ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆମେ ନିଷ୍ପତ୍ତି ନେଇଛୁ। ଆମର ହୋଟେଲରେ ୩୦ଟି ରୁମ୍ ଥିବାବେଳେ ସରକାରୀ ନିର୍ଦ୍ଦେଶାନୁଯାୟୀ ୧୦ଟି ରୁମ୍ ଗ୍ରାହକ ସେବାରେ ଦିଆଯାଉଛି। କିନ୍ତୁ ନିୟମିତ ୨ କିମ୍ବା ୩ଟି ରୁମ ପାଇଁ ଗ୍ରାହକ ଆସୁଥିବାବେଳେ ବାକି ସବୁ ଖାଲି ରହୁଛି। ଏ ପର୍ଯ୍ୟନ୍ତ ଗମନାଗମନ ଯଥା ବିମାନ, ବସ୍, ଟ୍ରେନ ଆଦି ସାର୍ବଜନୀନ ପରିବହନ ବ୍ୟବସ୍ଥା ସାମନ୍ୟ ହୋଇ ନ ଥିବାରୁ ଗ୍ରାହକ ଆସୁ ନାହାନ୍ତି। ଏହା ସହିତ କରୋନା ମାଡ ଯୋଗୁଁ ସମସ୍ତ ବ୍ୟବସାୟ, ସରକାରୀ, ଆଦି ଗତିବିଧି ଠପ୍ ରହିଛି। ଏବେ ଦୈନନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡିଛି।

ସେହିପରି ସମ୍ବଲପୁରର ଅନ୍ୟତମ ହୋଟେଲ ଗ୍ରାଣ୍ଡ ଶିବାର ମାଲିକ ଶିବ ପ୍ରସାଦ କହିଛନ୍ତି ଯେ, ସରକାରୀ ନିର୍ଦ୍ଦେଶ ଆସିବା ପରେ ରେସ୍ତୁରାଁ ଖୋଲିଛୁ। ସରକାରୀ ନିୟମାନୁଯାୟୀ ୬ ଫୁଟ ଦୂରତା ରଖାଯାଇ ଟେବୁଲ ଗୁଡିକର ବ୍ୟବସ୍ଥା କରାଯାଇଛି, ଫଳରେ ପୂର୍ବରୁ ୫୦ ଜଣଙ୍କ ଏକାଠି ବସି ଖାଇବାର କ୍ଷମତା ରହିଥିବା ବେଳେ ତାହା ଏବେ ୧୫ ଜଣଙ୍କୁ ଖସି ଯାଇଛି। ସମସ୍ତ ବ୍ୟବସ୍ଥା ସତ୍ୱେ ଏ ପର୍ଯ୍ୟନ୍ତ ଜଣେ ହେଲେ ଗ୍ରାହକ ଆସି ନାହାନ୍ତି। ୩୦ ପ୍ରତିଶତ କ୍ଷମତାରେ ରୁମ ସେବା ଜାରି ରହିଥିବା ବେଳେ ତାହା ମଧ୍ୟ ପୁର୍ଣ୍ଣ ହେଉ ନାହିଁ। ଏବେ ଗ୍ରାହକ ଆସୁ ନ ଥିବାରୁ ବ୍ୟବସାୟ ଘୋର କ୍ଷତି ମଧ୍ୟରେ ଚାଲୁଛି। ଏହି ଅବସ୍ଥା କେବେ ସୁଧରିବ ତାହାକୁ ନେଇ ଆମେ ଆତଙ୍କିତ।

ଗୋଟିଏ ପଟରେ ସରକାର ହୋଟେଲ ଓ ରେସ୍ତୁରାଁ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିଥିବା ବେଳେ ଅନ୍ୟପଟରେ ବହୁ ବିଷୟକୁ ନେଇ ସ୍ଥିତି ଅସ୍ପଷ୍ଟ ଥିବା ବେଳେ ଏ ପର୍ଯ୍ୟନ୍ତ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର) ମଧ୍ୟ ଜାରି କରାଯାଇ ନାହିଁ। ଫଳରେ ହୋଟେଲ ଓ ରେସ୍ତୁରାଁ ମାଲିକମାନେ ସେମାନଙ୍କର ପ୍ରତିଷ୍ଠାନ ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି। ପୂର୍ବରୁ ଖାଦ୍ୟ ହୋମ ଡେଲିଭରି ଓ ପାର୍ସଲ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ପରେ ଆରମ୍ଭ କରାଯାଇଥିବା ବେଳେ ତାର ପ୍ରତିକ୍ରିୟା ଉତ୍ସାହଜନକ ନୁହେଁ। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଥିବାରୁ ଜନତା ମଧ୍ୟ ହୋଟେଲ, ରେଷ୍ଟୁରାଣ୍ଟ, ଢ଼ାବା ଆଦି ସାର୍ବଜନୀନ ସ୍ଥାନ ଗୁଡିକରେ ଖାଦ୍ୟପେୟ ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ଏହା ସହିତ ହୋଟେଲ ଓ ରେଷ୍ଟୁରାଣ୍ଟର ବହୁ କର୍ମଚାରୀ ମାନେ ବ୍ୟବସାୟ ଠପ୍ ଯୋଗୁଁ ଘର ମାନଙ୍କୁ ଚାଲି ଯାଇଥିବା ବେଳେ ଏବେ ଗମନାଗମନ ସୁବିଧା ନ ଥିବାରୁ ସେମାନେ ଆସୁ ନାହାନ୍ତି। ଯଦି ବି କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଲେ ବ୍ୟବସାୟ ପୂର୍ବବତ ଚାଲିବା ଭଳି ସ୍ଥିତ ନ ଥିବାରୁ ମାଲିକ ମାନେ ସେମାନଙ୍କୁ ଦରମା ଦେବାରେ ଅସୁବିଧା ହେବ ବୋଲି ଏବେ ହୋଟେଲ ଓ ରେସ୍ତୁରାଁ ଆଦିକୁ ଖୋଲିବାକୁ ଭୟ କରୁଛନ୍ତି। ସରକାରୀ ନିର୍ଦ୍ଦେଶ ପରେ ମଧ୍ୟ ସିଂହଭାଗ ହୋଟେଲ ଓ ରେଷ୍ଟୁରାଣ୍ଟ ସମ୍ବଲପୁରରେ ବନ୍ଦ ରହିଥିବା ଦେଖାଯାଉଛି। ଏହା ସହିତ ଏବେ ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ ସେପ୍ଟେମ୍ବର ମାସ ପାଇଁ କୌଣସି ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇ ନ ଥିବାରୁ ଲୋକେ ମଧ୍ୟ ଅପରାହ୍ନରେ ବାହାରିବା କମିଯାଇଛି। ଏଭଳି ସ୍ଥିତିରେ ହୋଟେଲ ଓ ରେସ୍ତୁରାଁ ଶିଳ୍ପ ତାର ପୂର୍ବାବସ୍ଥାକୁ ଫେରିବାକୁ ବେଶ ସମୟ ଲାଗି ବୋଲି ଜଣାପଡୁଛି।

Comments are closed.