ବିଦ୍ୟାଳୟ ଶିକ୍ଷାର ବିକଳ୍ପ ‘ଗୃହ ଶିକ୍ଷା’

କରୋନା ଛାଟରେ ଛଟପଟ ହେଉଥିବା ଶିକ୍ଷାକ୍ଷେତ୍ରରେ ପରିବାର ଓ ସମାଜର ଭବିଷ୍ୟତ ଶିକ୍ଷାର୍ଥୀ ଗଭୀର ଭାବେ କ୍ଷତିଗ୍ରସ୍ତ। ଏପରି ସମୟରେ ଆନୁଆଲ ଷ୍ଟାଟସ ଅଫ୍‍ ଏଜୁକେସନ୍‍-୨୦୨୦ (ଅସର) ରିପୋର୍ଟ ଆଶା କରିଛନ୍ତି ଯେ, ଏହି ସଙ୍କଟ ସମୟରେ ପରିବାରବର୍ଗ ନିଜ ପିଲାର ଶିକ୍ଷାଦାନ ଦାୟିତ୍ୱ ନେବା ଉଚିତ୍‍। ବିଦ୍ୟାଳୟ ଖୋଲିବାକୁ ଅପେକ୍ଷା ନ କରି ଶିକ୍ଷକ ପିଲାଙ୍କ ଘର ପରିଦର୍ଶନ କରି ସନ୍ଦେହମୋଚନ କରାନ୍ତୁ। ଇତି ମଧ୍ୟରେ ରାଜ୍ୟ ସରକାର ଓ ନିତି ଆୟୋଗଙ୍କ ମିଳିତ ସହଯୋଗରେ ଆରମ୍ଭ ହେବାକୁ ଯାଉଛି ‘ଲର୍ଣ୍ଣିଂଆଉଟ୍‍କମ୍‍ ଟେଷ୍ଟ’ ବୋଷ୍ଟନ କନସଲଟିଂ ଗ୍ରୁପ ସହାୟତାରେ। ଏହି ଟେଷ୍ଟରେ ପ୍ରଥମେ ଅଂଶ ଗ୍ରହଣ କରୁଥିବା କଟକ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲାର ୭୫ରୁ ୯୦ସ୍କୁଲ ସାମିଲ ହେବେ। ପ୍ରତ୍ୟେକ ସ୍କୁଲର ୩ୟ, ୫ମ ଓ ୮ମ ଶ୍ରେଣୀର ବିଦ୍ୟାର୍ଥୀ ଏହି ଟେଷ୍ଟରେ ଅଂଶଗ୍ରହଣ କରିବେ। ଓଡ଼ିଆ, ଇଂରାଜୀ ଓ ଗଣିତ ବିଷୟରେ ୧୦୦ ମାର୍କ ପରୀକ୍ଷା ଦେବେ ଓ ବିଷୟ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ମୂଲ୍ୟାୟନ କରାଯିବ। ପ୍ରାୟ ୪୦ କୋଟି ଟଙ୍କାର ବଜେଟ ହୋଇଛି। ଏହା ଏକ ଭରସାଯୋଗ୍ୟ ପଦକ୍ଷେପ; ମାତ୍ର ବହୁ ପୂର୍ବରୁ ଏ ପ୍ରକାର ପ୍ରସ୍ତାବ ଦିଆଯାଇଥିଲେ ବି ତାହା ହୋଇପାରିନଥିଲା। ଏହି ପ୍ରକଳ୍ପ ମଧ୍ୟ ବିଷୟ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଡ଼ି.ଇ.ଓଙ୍କ ଦକ୍ଷତା ମାପିବାକୁ ଯୋଜନା କରିଛି ଏବଂ ଅପାରଗ ଶିକ୍ଷକଙ୍କୁ ଦଣ୍ଡିତ କରିବା ବ୍ୟବସ୍ଥା ରହିଛି; କିନ୍ତୁ କରୋନା ବାଟ ଓଗାଳିଛି। ପାଶ୍ଚାତ୍ୟ ଦେଶ ଓ ଆମ ଦେଶର ୪ଟି ରାଜ୍ୟରେ ସଫଳତା ହାସଲ କରିଛି ‘ହୋମ୍‌ସ୍କୁଲିଂ’ (ଗୃହଶିକ୍ଷା) ଯୋଜନା। ଅତୀତର ଚାହାଳି, ଆଶ୍ରମ, ପିଣ୍ଡିମାନଙ୍କରେ ଦିଆଯାଉଥିବା ଶିକ୍ଷା ପରି ପ୍ରାୟ ସମାନ। ଆସନ୍ତୁ ଜାଣିବା ହୋମ ସ୍କୁଲିଂ କ’ଣ? ବିଶେଷଜ୍ଞ କହିବାନୁସାରେ ଛୋଟ ପିଲାଙ୍କର ଅନ୍ତର୍ନିହିତ ଶକ୍ତିର ବିକାଶ ପରିବାର ଦ୍ୱାରା ସମ୍ଭବ ହୋଇଥାଏ। କରୋନାକାଳରେ ଏବେ ସ୍କୁଲ ସବୁ ବନ୍ଦଥିବା ଯୋଗୁଁ ସର୍ବାଧିକ ପରିବାରରେ ଘରେ ପାଠପଢ଼ା ଚାଲିଛି। ଏହାର ଲକ୍ଷ୍ୟ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ନପଠାଇ ସ୍କୁଲ ଅନୁସୃତ ପ୍ରଣାଳୀ ଅନୁଯାୟୀ ନିଜ ଘରେ ନିଜେ ପଢ଼ାଉଛନ୍ତି। ଏହି ପ୍ରକାର ଶିକ୍ଷାଦାନ କେବଳ ଘରେ ନୁହେଁ; ଟିଉଟର ଅଥବା ଅନ୍‌ଲାଇନ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲ ବ୍ୟତୀତ ଅନ୍ୟ କୌଣସି ଶୈକ୍ଷଣିକ ସ୍ଥାନରେ ମଧ୍ୟ କରାଯାଇପାରିବ। ବ୍ରିଟେନ୍‌, ଆମେରିକା, ଜର୍ମାନୀ ପ୍ରଭୃତି ଶିକ୍ଷାଶାଳୀ ଓ ଧନଶାଳୀ ଦେଶରେ ୧୯୯୩ ମସିହାରୁ ଜନ୍ମନେଇ “ହୋମସ୍କୁଲିଂ” ଯୋଜନା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଅନେକ ଲେଖକ ଗବେଷକ ବହୁ ପୁସ୍ତକ ରଚନା କରିଚାଲିଛନ୍ତି। ଆମେରିକାର ଜନ୍‍ହଲ୍‌ଟ, ଡ଼ୋରୋଥି ଓ ରେମଣ୍ଡିମୁର୍‍ଙ୍କ ଭଳି କେତେକ କୃତୀ ଗବେଷକଙ୍କ ପ୍ରବର୍ତ୍ତିତ ଏକ ବିକଳ୍ପ ମାର୍ଗ “ହୋମ ସ୍କୁଲିଂ” ସମଗ୍ର ବିଶ୍ୱରେ ଏକ ପ୍ରମୁଖ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ଭାବେ ଆଦୃତି ଲାଭ କରି କୃତୀ ବିଦ୍ୱାନ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ଉଦାହରଣ ବନିଛି। ଏହା ହିଁ ଥିଲା ପ୍ରଖ୍ୟାତ ନୋବେଲ ପୁରସ୍କାର ବିଜୟୀ ରବୀନ୍ଦ୍ରନାଥ ଠାକୁରଙ୍କ ଲକ୍ଷ୍ୟ। ଏକ ଶ୍ରେଣୀ କୋଠରି ମଧ୍ୟରେ ଆବଦ୍ଧ ହୋଇ ସେ ପଢ଼ିପାରିଲେ ନାହିଁ ବୋଲି ମାତ୍ର ୫ମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ମୁକ୍ତାକାଶ ତଳେ ‘ଶାନ୍ତି ନିକେତନ’ ପରେ ‘ବିଶ୍ୱ ଭାରତୀ’ ଭଳି ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ଖୋଲିଥିଲେ। ମହାମାନ୍ୟ ଠାକୁରଙ୍କ ପ୍ରଭାବରେ ପ୍ରଭାବିତ ହୋଇ ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ପ୍ରାକୃତିକ ପରିବେଶରେ “ସତ୍ୟବାଦୀ ବନବିଦ୍ୟାଳୟ” ସ୍ଥାପନ କରିଥିଲେ। ପିଲାଙ୍କୁ ଉଜ୍ଜ୍ୱଳ ଆଲୋକ, ମୁକ୍ତ ମଳୟପବନ, ବକୁଳ ଗଛରୁ ସୁଗନ୍ଧ ଫୁଲ ପତନ, କୋଇଲିର କୁହୁତାନ ସହ ସୂର୍ଯ୍ୟ କିରଣର ଛାଇ ଆଲୁଅ ମଧୁର ମିଳନ ମନ ଖୁସିକର ପ୍ରାକୃତିକ ପରିବେଶ ଛାତ୍ରମାନଙ୍କୁ ଗଭୀର ଭାବେ ପ୍ରୋତ୍ସାହନ ଦେଉଥିଲା।
ଗବେଷକଙ୍କ ମତାନୁସାରେ, ଅଭିଭାବକ ନିଜ ପିଲାର ସଂପୂର୍ଣ୍ଣ ଶିକ୍ଷାଦାନ ଦାୟିତ୍ୱ ବହନ କରନ୍ତୁ ଏବଂ ସ୍କୁଲଗୁଡ଼ିକୁ ଅଜସ୍ର ଅର୍ଥ ଗଣି ଅସନ୍ତୁଷ୍ଟ ନ’ହୁଅନ୍ତୁ। ଲେଖକ ମୁର୍‍ ରେମଣ୍ଡ ମଧ୍ୟ ୮-୧୦ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରେ କଟକଣା ମଧ୍ୟରେ ପାଠ ପଢ଼ାଇବା ଉଚିତ୍‍ ନୁହେଁ। ଅଭିଭାବକଙ୍କ ଉପସ୍ଥିତି, ଶକ୍ତି, ସାମର୍ଥ୍ୟ, ଯତ୍ନ, ପ୍ରଥମରୁ ପିଲାଙ୍କ ମନୋବଳ, ଇଚ୍ଛାଶକ୍ତି ବଢ଼ାଇଥାଏ। ଏହି ବ୍ୟବସ୍ଥାର ଭଲମନ୍ଦ ଦିଗକୁ ଲକ୍ଷ୍ୟ କଲେ ୮୫ ଭାଗ ସଫଳତା ମିଳିଥାଏ। ଆମ ଦେଶରେ ୨୦୧୮ରୁ ଚେନ୍ନଇ, କେରଳ, କଲକାତା ଓ ଗୁଡ଼ଗାଓଁରେ ଏହି ହୋମସ୍କୁଲିଂ ବ୍ୟବସ୍ଥାର ଉପଯୋଗିତା ଅନୁଭବ କରାଯାଇଛି। ୭୦-୮୦ ଭାଗ ପରିବାର ହୋମସ୍କୁଲିଂ ପସନ୍ଦ କରି ପବ୍ଲିକ ସ୍କୁଲ, ସରକାରୀ ଓ ବେସରକାରୀ ସ୍କୁଲଠାରୁ ଉନ୍ନତ ମାନର ବୋଲି କହିଥିବା ସର୍ବେକ୍ଷଣରୁ ଜଣାଯାଇଛି। ହିଂସାତ୍ମକ ଓ ବିଶୃଙ୍ଖଳିତ ପରିବେଶରୁ ଦୂରରେ ରହି ଫଳପ୍ରଦ ଶିକ୍ଷା ଲାଭ କରିବା ସହିତ, ଘର, ସାହି, ପଡ଼ୋଶୀଙ୍କ ସହ ସଂପର୍କ ସ୍ଥାପନ କରିବାରେ ସ୍ୱାଧୀନତା ପାଇଥାଆନ୍ତି। ଘରେ ପାଠପଢ଼ା ସକାଳ ଘ୮ଟିକାରୁ ଅପରାହ୍ଣ ୪ ଘଟିକା ପର୍ଯ୍ୟନ୍ତ ଚାଲିବା ମଧ୍ୟରେ ୨ଟାରୁ ୩ଟା ମଧ୍ୟାହ୍ନ ଭୋଜନପରେ ମଉଜ ମଜଲିସ କରିବାକୁ ସୁଯୋଗ ଥାଏ।
ଏବର ବିପର୍ଯ୍ୟସ୍ତ ବିଦ୍ୟାଳୟ, ରାଜନୀତିକରଣ, କଳୁଷିତ ପରିବେଶ, ତ୍ରୁଟିପୂର୍ଣ୍ଣ ଶିକ୍ଷାଦାନ, ଘରୋଇ ସ୍କୁଲର ଅତ୍ୟଧିକ ଅର୍ଥଦଣ୍ଡ, ସର୍ବୋପରି ଶୃଙ୍ଖଳାହୀନତା, କଠୋର ନୀତିନିୟମରେ ଅତିଷ୍ଠ ହୋଇ ପିଲାଏ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥାଆନ୍ତି। ଅତ୍ୟଧିକ ଦଣ୍ଡ, ଭୟ, ଚାପ ଓ ପ୍ରତିଦ୍ୱନ୍ଦ୍ବିତାରେ ରହି ବିକଶିତ ହେବା ଅସମ୍ଭବ ହୋଇଥାଏ। ଆଜି ଯେପରି ସ୍କୁଲଗୁଡ଼ିକ ବ୍ୟାବସାୟିକ ପ୍ରତିଯୋଗିତାର ଶିକାର ହେଉଛନ୍ତି ବିଚରା ଶିଶୁ ଓ ଅଭିଭାବକ ସେଥିରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି। ଯେହେତୁ ଶିକ୍ଷା ଗ୍ରହଣର ସ୍ୱାଧୀନତା ପରିବାରର ନିଜସ୍ୱ, ଏଣୁ ଘରେ ଶିକ୍ଷା ଗ୍ରହଣ କରି ବ୍ୟକ୍ତିତ୍ୱ ବୃଦ୍ଧି କରିବା ସମସ୍ୟାବହୁଳ ନୁହେଁ। ପରୀକ୍ଷାଜନିତ ମାନସିକ ଚାପରୁ ମୁକ୍ତି ମିଳେ। ହସଖୁସି ମଧ୍ୟରେ ପଢ଼ିବା, ଠିକ ଶିକ୍ଷା ପାଇବା ଓ ସୁରକ୍ଷିତ ରହିବା ହୋମସ୍କୁଲିଂ ଶିକ୍ଷା ବ୍ୟବସ୍ଥାର ପ୍ରଭୂତ ସଫଳତା। ନିଜ ଘରେ ରହି ପଢ଼ିବାଦ୍ୱାରା ପିଲାଏ ମୁକ୍ତ ଥାଆନ୍ତି, ହସ ଖୁସି ମଧ୍ୟରେ ବାପା, ମା’ ଭାଇଭଉଣୀଙ୍କ ଆତ୍ମୀୟତା ମଧ୍ୟରେ ପଢ଼ି ନିଜର ଦାୟିତ୍ୱବୋଧତା ପ୍ରକାଶ କରିଥାଆନ୍ତି। ଏପରି ବି ହୋଇପାରେ ସମଭାବାପନ୍ନ କେତେକ ପରିବାର ଏକତ୍ର ହୋଇ ନିଜ ହୋମ ସ୍କୁଲର୍ସମାନଙ୍କୁ ପରିଭ୍ରମଣ, ବିଭିନ୍ନ ଶୈକ୍ଷିକ, ସାହିତ୍ୟିକ, ସାଂସ୍କୃତିକ, କ୍ରୀଡ଼ା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଭାଗ ନେଇପାରିବେ। ଏପରି କି କୌଣସି ଟିଉଟରଙ୍କ ଦ୍ୱାରା ପ୍ରଶ୍ନପତ୍ର ଓ ମୂଲ୍ୟାୟନ କରାଯାଇପାରେ। “ହୋମସ୍କୁଲିଂ” ପିଲା ଗଠନରେ ପ୍ରମୁଖ ଭୂମିକା ନେଉଥିଲା ବେଳେ ପରିବାର ଓ ଅଭିଭାବକଙ୍କ କ୍ଷେତ୍ରରେ କିଛି ସମସ୍ୟା ଦେଖାଯାଏ। ମୁଖ୍ୟତଃ ଅଭିଭାବକ ଉଭୟ ସୁଶିକ୍ଷିତ, କର୍ମପ୍ରବଣ ଓ ଅର୍ଥସବଳ ହେବା ଜରୁରୀ। କର୍ମଜୀବୀ ବାପାମାଆ, ଅଭାବଗ୍ରସ୍ତ ଓ ନିରକ୍ଷର ପରିବାର ନିମନ୍ତେ ଏହି ଗୃହଶିକ୍ଷା ଆଦୌ ଉପଯୋଗୀ ନୁହେଁ।
କେବଳ ଆଜିର କରୋନା ନୁହେଁ ଶିକ୍ଷାକ୍ଷେତ୍ରର ଅସମାହିତ ଦୁର୍ବିପାକ ହିଁ ବିକଳ୍ପ ଶିକ୍ଷାକୁ ଆମନ୍ତ୍ରଣ କରିଛି। ଏଠାରେ ପରିବାରର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। କେବଳ ସରକାରଙ୍କ ଆତ୍ମସନ୍ତୋଷ ନିମନ୍ତେ ପିଲାଟିକୁ ସ୍କୁଲରେ ରେକର୍ଡ଼ଭୁକ୍ତ କରି ପରୀକ୍ଷାରେ ଭାଗ ନେଇ ହୋମସ୍କୁଲିଂ ଆଦରି ନିଆଯାଇପାରେ। ଏହି ଉପଯୋଗୀ ବିକଳ୍ପ ‘ହୋମସ୍କୁଲିଂ’ର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା କରାଯାଏ। ଘରେ ପଢ଼ି ସରକାରୀ ନିର୍ଦ୍ଧାରିତ ପତ୍ର ମାଧ୍ୟମ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଓପନ ସ୍କୁଲିଂ, ସି.ବି.ଏସ୍‍., କେମ୍ବ୍ରିଜ ଇଣ୍ଟର ନ୍ୟାସନାଲ ଏଜୁକେସନ ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ଅଂଶ ଗ୍ରହଣ କରି, ପ୍ରମାଣ ପତ୍ରପାଇ ଉଚ୍ଚ ଶିକ୍ଷା ମଧ୍ୟ ପାଇପାରିବେ। ଅନେକ ବିଦେଶୀ ସଂସ୍ଥା ଯଥା ଆମାଜନ ଏବଂ ଗୁଗୁଲ ଭଳି କଂପାନୀ କର୍ମ ଯୋଗାଣ କ୍ଷେତ୍ରରେ ଏହି ହୋମସ୍କୁଲର୍ସମାନଙ୍କୁ ଅଗ୍ରାଧିକାର ଦେଉଥିବା ଦେଖାଯାଏ। ପରିବର୍ତ୍ତନ ହିଁ ବିକାଶର ମାର୍ଗଦର୍ଶକ। ଆବ୍ରାହମ୍‌ ଲିଙ୍କନଙ୍କ ଉକ୍ତି: “ସର୍ବଦା ମନେରଖିବାକୁ ହେବ ଆପଣଙ୍କ ସଂକଳ୍ପ ସବୁ ଜିନିଷଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ।” ହାତୁଡ଼ିଟିଏ କାଚ ପଥରକୁ ଭାଙ୍ଗି ଗୁଣ୍ଡ କରିଥାଏ, ହେଲେ ଲୁହାଖଣ୍ଡକୁ ବାଡ଼େଇ ସୁଦୃଶ୍ୟ କରିଥାଏ। ସେହିପରି କଅଁଳ ପିଲାଟିକୁ ନିଜ ଦାୟିତ୍ୱରେ ଠିକ୍‍ ଗଢ଼ି ନ’ପାରିଲେ ବାହ୍ୟ ସାହାଯ୍ୟ ସହାୟକ ହୋଇନ’ଥାଏ।

ସୁକାନ୍ତ କୁମାର ମହାନ୍ତି

ଚଉଦ୍ବାର, କଟକ

Comments are closed.