ଲଘୁଚାପଜନିତ ବର୍ଷାରେ ଭୁଶୁଡ଼ିଲା ଘରର କାନ୍ଥ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ବିଜୟନଗର ସର୍କଲର ସୁଳିପଦର ଗାଁର ଶିବ ମାଣ୍ଡାଙ୍ଗ(୫୬)ଙ୍କ ଘରର ଲମ୍ବା କାନ୍ଥ ଲଘୁଚାପଜନିତ ବର୍ଷାରେ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଦିନ ଧରି କଲ୍ୟାଣସିଂହପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗିରହିଥିଲା। ଯାହାଫଳରେ ଶିବ ମାଣ୍ଡାଙ୍ଗର ଝାଟିମାଟି ଝିଙ୍କର ଘରର ଲମ୍ବା କାନ୍ଥ ଆଜି ମଧ୍ୟାହ୍ନରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି । ସେ ରଖିଥିବା ମାଣ୍ଡିଆ, ଚାଉଳ, ଧାନ, ସବୁ ଲୁଗାପଟା ସମେତ ଆସବାପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ବିଜୟନଗର ରାଜସ୍ୱ ଅଧିକାରୀ ଅରୁଣ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ସବୁ ଅନୁଧ୍ୟାନ କରିବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ଦେଇଥିଲେ । ଏହି ପରିବାରରେ ତିନିଜଣ ସଦସ୍ୟ। ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ତୁରନ୍ତ ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.