ହକି ଗୌରବର ପ୍ରକଳ୍ପ ‘ହକି ହଲ ଅଫ ଫେମ୍‍’

ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ କେବେ?

ରାଉରକେଲା : ହକିର ଗଡ଼ ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲାରେ ହକି ଖେଳ ସାଧାରଣ ଜନଜୀବନର ଭାବପ୍ରବଣତା ସହିତ ଜଡ଼ିତ। ଏହି ଜିଲାର ଖେଳାଳି ବିଶ୍ୱସ୍ତରରେ ଜିଲା ଓ ରାଜ୍ୟ ପାଇଁ କେବଳ ନୁହେଁ ବରଂ ଦେଶ ପାଇଁ ଗର୍ବ, ଗୌରବ ଆଣିଛନ୍ତି। ଏହି ଗୌରବକୁ ନେଇ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ହକି ହଲ ଅଫ୍ ଫେମ୍ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା। ବିଧାନସଭାଠାରୁ ସ୍ମାର୍ଟସିଟି ବୋର୍ଡ଼ ବୈଠକ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଜୁନ, ୨୦୧୮ରେ ଅନୁଷ୍ଠିତ ସ୍ମାର୍ଟସିଟି ବୋର୍ଡ଼ ବୈଠକରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ରାଉରକେଲା ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ସୂଚନା ଦିଆଯାଇଥିବାବେଳେ ଏହି ପ୍ରକଳ୍ପ ସେଥିରେ ସ୍ଥାନ ପାଇଥିଲା। ତତକାଳୀନ ଉନ୍ନୟନ କମିଶନର ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନ୍ୟ ପ୍ରକଳ୍ପ ସହିତ ଏହାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଉନ୍ନୟନ କମିଶନର କହିଥିଲେ। ଏହା ହକି ପାଇଁ ଏକ ମ୍ୟୁଜିୟମର ସ୍ୱାକ୍ଷର ବହନ କରିବ। ଜିଲାର ଜାତୀୟ ଓ ଅର୍ନ୍ତଜାତୀୟ ଖେଳାଳୀଙ୍କ ସଫଳତାର କାହାଣୀ ସହିତ ହକିକୁ ନେଇ ଦେଶର ଗୌରବର ଗାଥା ଏଥିରେ ସ୍ଥାନ ପାଇବ। ସେମାନଙ୍କ ଜୀବନବ୍ୟାପୀ ସଫଳତା ସହିତ ହକି ସମ୍ପର୍କରେ ବହୁ ଅନାଲୋଚିତ ତଥ୍ୟ ଏଥିରେ ସ୍ଥାନ ପାଇବ ବୋଲି ସେତେବେଳେ କୁହାଯାଇଥିଲା। ଏଭଳି ଏକ ପ୍ରକଳ୍ପ ଜିଲାର ଯୁବ ହକି ଖେଳାଳିଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ। ଏହା ସହିତ ପର୍ଯ୍ୟଟକ ବିଶେଷ କରି କ୍ରୀଡ଼ାକୁ ଭଲ ପାଉଥିବା ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କେବଳ ଉନ୍ନୟନ କମିଶନରଙ୍କ ସୂଚନା ନୁହେଁ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ସ୍ଥାନ ପାଇଥିଲା। ରାଉରକେଲାର ତତ୍‌କାଳୀନ ବିଧାୟକ ଦିଲ୍ଲୀପ ରାୟ ସେପ୍ଟେମ୍ବର, ୨୦୧୮ରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ତତ୍‌କାଳୀନ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଏଥିପାଇଁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହୋଇଛି ଏବଂ ମାର୍ଚ୍ଚ, ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମନ୍ତ୍ରୀଙ୍କ ଘୋଷଣା କାଗଜ କଲମରେ ଅଟକି ଯାଇଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଥିବା ମୂଳ ପ୍ରକଳ୍ପରେ ଏହା ସ୍ଥାନିତ ହୋଇଥିଲା। କିନ୍ତୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନ୍ୟ ପ୍ରକଳ୍ପ ଦୃତ ଗତିରେ ଚାଲିଥିବାବେଳେ ଏହି ପ୍ରକଳ୍ପ ସ୍ଥାନ ପାଇନାହିଁ। ବହୁତଳ ବିଶିଷ୍ଟ କାର ପାର୍କିଂ, ୧୦ହଜାର ସିଟ୍ ବିଶିଷ୍ଟ ୪ଟି ଗ୍ୟାଲେରୀ, ୮ଲାଇନ୍ ବିଶିଷ୍ଟ ସୁଇମିଂ ପୁଲ୍‍, ଆଥଲେଟିକ୍ ଟ୍ରାକ୍ ଆଦି କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ୧୨୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ତ୍ୱରାନ୍ୱିତ ହେଉଥିବାବେଳେ ନଭେମ୍ବର ୨୦୨୧ ଏହାର ପୂର୍ଣ୍ଣାଙ୍ଗ ସମୟ ରହିଛି। କିନ୍ତୁ ହକି ହଲ୍ ଅଫ୍ ଫେମ୍ ଏହି ପ୍ରକଳ୍ପରେ ସ୍ଥାନ ପାଇ ନାହିଁ। ଜଣେ ଅଧିକାରୀଙ୍କ କହିବା କଥା ହେଲା ମୂଳ ପ୍ରକଳ୍ପରେ ଏହା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିପାଇଁ ଆବଶ୍ୟକ ସ୍ଥାନକୁ ଦୃଷ୍ଟିରେ ରଖି ଅନ୍ୟ ଏକ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପାନପୋଷ ହକି ଛକ ନିକଟରେ ସ୍ମାର୍ଟ ସିଟି ଲିମିଟେଡ଼ର ଅନ୍ୟ ଏକ ବୃହତ ପ୍ରକଳ୍ପ ରାଉରକେଲା ୱାନ୍ ୧୦୪ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଛି। ଏଥିରେ ଅଡିଟୋରିୟମ, ଟ୍ରାଇବାଲ୍ ମ୍ୟୁଜିୟମ୍ ଆଦି ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପରେ ହକି ହଲ ଅଫ୍ ଫେମ୍ ରହିବ ବୋଲି ଜଣେ ଅଧିକାରୀ ଔପଚାରିକ ଭାବେ କହିଥିବାବେଳେ ବିଭାଗ ପକ୍ଷରୁ ପୂର୍ବ ଭଳି ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଉନାହିଁ। ମନ୍ତ୍ରୀଙ୍କଠାରୁ ସ୍ମାର୍ଟସିଟି ଲିମିଟେଡ଼ର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆନଯିବା ଆଲୋଚନାର ବିଷୟ ହୋଇଛି। ଏହି ପ୍ରକଳ୍ପ ଅନ୍ୟ ପ୍ରକଳ୍ପ ଭଳି କାଗଜ କଲମରେ ସୀମିତ ରହିଯିବ କିମ୍ବା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ, ତାହା ଚର୍ଚ୍ଚାର ବିଷୟ ହୋଇଛି। ହକି ଖେଳାଳିଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏହି ପ୍ରକଳ୍ପ ଅନେକ ଗୁରୁତ୍ୱ ବହନ କରୁଥିଲା। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ପାଇଁ ଏହା ଆକର୍ଷଣୀୟ ପ୍ରକଳ୍ପ ହୋଇ ପାରନ୍ତା। ଏଦିଗରେ କର୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Comments are closed.