ବିଧାୟକଙ୍କ ଗାଁରେ ବାସହରା ଗୋବିନ୍ଦ, କେହି ବୁଝିଲେନି ଦୁଃଖ

ଲୋଇସିଂହା: ନିଜ ଘର ନାହିଁ। ଏଣେତେଣେ ହୋଇ ମୁଣ୍ଡ ଗୁଞ୍ଜୁଛନ୍ତି। ସ୍ତ୍ରୀ ଓ ୨ ପୁଅ ସହ ଏଭଳି ଅସହାୟ ଜୀବନ ଜିଉଁଛନ୍ତି ଆଗଲପୁର ବ୍ଲକ ନଆଗାଁ(ଖ)ର ଗୋବିନ୍ଦ ଦାସ। ନଆଗାଁ(ଖ) ହେଉଛି ସ୍ଥାନୀୟ ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କ ଗାଁ। ଖୋଦ୍‍ ବିଧାୟକଙ୍କ ଗାଁରେ ଗୋବିନ୍ଦ ଦାସ ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉ ନଥିବା ବେଳେ ନିର୍ବାଚନ ମଣ୍ଡଳୀର ଅନ୍ୟ ଲୋକଙ୍କ ସମସ୍ୟା କେମିତି ବୁଝୁଥିବେ? ଦୀପ ତଳ ଅନ୍ଧାର ଭଳି ସ୍ଥିତି ବୋଲି ସମାଲୋଚନା ହେଉଛି।

୩ ବର୍ଷ ତଳେ ନଆଗାଁ(ଖ)ର ବନ୍ଧ କଡ଼ରେ ଚାଳ ଛାଉଣି ଘର କରି ରହୁଥିଲେ ଶ୍ରୀ ଦାସ। ଝଡ, ବର୍ଷା, ଶୀତ, ଖରାକୁ ଖାତିର ନକରି ଜୀବନ ସହ ଜୁଝୁଥିଲେ ସେମାନେ। ୨ ପୁଅ ବଡ ହେଲେଣି, ସ୍ୱାମୀ-ସ୍ତ୍ରୀ କିଛି କାମ କଲେ ରୋଜଗାର ହୁଏ। ସେଥିରେ ଚଳିଯାଏ ପରିବାର। କିନ୍ତୁ ଚାଳ ଛାଉଣି ଘର ଝଡ ତୋଫାନରେ କ୍ଷତିଗ୍ରସ୍ତ ହେଲା। ତେଣୁ ସେଠାରେ ନରହି ନିକଟସ୍ଥ ସ୍କୁଲର ଅବ୍ୟବହୃତ ଘରେ ମୁଣ୍ଡ ଗୁଞ୍ଜିବାକୁ ଗାଁର କିଛି ଲୋକ ପରାମର୍ଶ ଦେଇଥିଲେ। ଫଳରେ ୪ ପ୍ରାଣୀ କୁଟୁମ୍ବ ସ୍କୁଲର ଅବ୍ୟବହୃତ ଘରେ ରହୁଥିଲେ। ବିଧାୟକ ଡ.ମହାଲିଙ୍ଗ ସେମାନଙ୍କ ଦୁଃଖ ବୁଝିବେ ବୋଲି ଆଶା ବାନ୍ଧିଥିଲେ ଶ୍ରୀ ଦାସ। ସେହିପରି ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲାପାଳଙ୍କ ଯାଏ ବାସହୀନ ଶ୍ରୀ ଦାସ ନିଜ ଦୁଃଖ ଜଣାଇବା ସହ ତାଙ୍କୁ ସହାୟତା କରିବାକୁ ଅନୁରୋଧ କରିଥିଲେ। ଘର ଡିହ ଓ ଘରଟିଏ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ପବନରେ ଉଡିଗଲା ତାଙ୍କ ଅନୁରୋଧ। ଏବେ ବୋଝ ଉପରେ ନଳିତା ବିଡା। ସେମାନେ ରହୁଥିବା ଅବ୍ୟବହୃତ ଘରେ ପଞ୍ଚାୟତ ପକ୍ଷରୁ ଗୋଦାମ ଘର କରାଯିବ ବୋଲି ସେମାନଙ୍କୁ ଶୁଣାଇ ଦିଆଯାଇଛି। ଫଳରେ ସେମାନେ ଏବେ କେଉଁଠିକୁ ଯିବେ ବୋଲି ଚିନ୍ତାରେ ଶ୍ରୀ ଦାସ ଓ ପରିବାର।

Comments are closed.