ମମତା ଦିବସ ସ୍ତରୀୟ ଗର୍ଭବତୀଙ୍କ ଏଚ୍‍ଆଇଭି ଓ ସିଫିଲିସ୍‍ ପରୀକ୍ଷଣ ଶୁଭାରମ୍ଭ

ବୌଦ୍ଧ : ବିଶ୍ୱ ଏଡ୍‍ସ ଦିବସ ଅବସରରେ ଗ୍ରାମାଞ୍ଚଳ ସ୍ତରରେ ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ହୋଇଆସୁଥିବା ମମତା ଦିବସରେ ନିୟମିତ ଗର୍ଭପରୀକ୍ଷା କରିବାକୁ ଆସୁଥିବା ଗର୍ଭବତୀମାନଙ୍କର ସାମୁହିକ ଏଚ୍‍ଆଇଭି ଓ ସିଫିଲିସ୍‍ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ କିଟ୍‍ ଦ୍ୱାରା ପରୀକ୍ଷଣ ସେବାର ଶୁଭାରମ୍ଭ ହୋଇଯାଇଛି। ହରଭଙ୍ଗା ବ୍ଲକର ବୀରନରସିଂହପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଗର୍ଭାବସ୍ଥାରେ ମାଆଠାରୁ ଗର୍ଭସ୍ଥ ଶିଶୁକୁ ଏଚ୍‍ଆଇଭି ସଂକ୍ରମଣକୁ ନିଦାନ ଓ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ସେବା ବୌଦ୍ଧର ସମସ୍ତ ୬୭ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନରେ କାର୍ଯ୍ୟକାରୀ ହେଉଥିବା ୫୫୨ ଗୋଟି ମମତା ଦିବସରେ ଉପଲବ୍ଧ ହେବ। ପୂର୍ବରୁ ଏହି ସୁବିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ନିର୍ଦ୍ଦିଷ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସୀମିତ ରହିଥିଲା। ଏହି ସୁବିଧାକୁ ମମତା ଦିବସ ସ୍ତରରେ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଚ୍‍ଆଇଭି ଓ ସିଫିଲିସ୍‍ କିଟ୍‍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣର ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗାଁ ପର୍ଯ୍ୟନ୍ତ କିଟ୍‍କୁ ଥର୍ମସ୍‍ ବକ୍ସରେ ପରିବହନ କରିବା ନିମନ୍ତେ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରୁ ଗର୍ଭବତୀ ମାଆ ତଥା ଜନସାଧାରଣ ଅନେକ ଉପକୃତ ହେବେ ବୋଲି ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ, ଡା. ହେମ୍ବ୍ରମ୍‍ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଜିଲ୍ଲା ଏଚ୍‍ଆଇଭି ଏଡ୍‍ସ ପରାମର୍ଶଦାତା ବନୋଜ କୁମାର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ଅହନା ସହାୟକ ସମୀର ମହାକୁଡ, ହରଭଙ୍ଗା ବ୍ଲକ ବିପିଏମ୍‍ ଅରୁଣ କୁମାର ପାଢୀ, ବୀରନରସିଂହପୁର ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି କହଁର, କେନ୍ଦ୍ର ଅଧୀନସ୍ଥ ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.