ହୀରାକୁଦର ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ; ଜଳସ୍ତର ରହିଛି  ୬୨୬,୮୭ ଫୁଟ୍‌

ସମ୍ବଲପୁର: ହୀରାକୁଦ ନଦୀବନ୍ଧର ଜଳସ୍ତର ବିପଦସଂକେତ ୬୩୦ ଫୁଟର ନିକଟବର୍ତ୍ତୀ ​‌ହୋଇଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୮୭ ଫୁଟ ରହିଛି । ଗତକାଲି (ମଙ୍ଗଳବାର) ଦୁଇଟି ପର୍ଯ୍ୟାୟରେ ଆଉ ଅତିରିକ୍ତ ୧୪ଟି ଗେଟ୍‌ ଖୋଲଯାଇ ମୋଟ୍‌ ୪୦ଟି ଗେଟରେ ମହାନଦୀକୁ ସେକେଣ୍ଡ ପିଛା ୬ଲକ୍ଷ ୭୧ହଜାର ୮୯୭ ଘନଫୁଟ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ସେହିପରି ଡ୍ୟାମକୁ ପ୍ରବେଶ କରୁଛି ୫ଲକ୍ଷ ୯୮ହଜାର ୮୪୯ ଘନଫୁଟ ବନ୍ୟାଜଳ । ଗତକାଲି କଟକ ମୁଣ୍ଡଳି ଦେଇ ୧୨,୦୧,୪୨୬ ଘନଫୁଟ ଜଳ ସେକେଣ୍ଡ ପିଛା ପ୍ରବାହିତ ହେଉଥିଲା । ଗତ ଦୁଇ ଦିନ ହେଲା ମହାନଦୀ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ପରେ ହୀରାକୁଦର ଖୋଲାଥିବା ୩୪ ଗେଟରୁ ୮ଟି ଗେଟ୍‌ ବନ୍ଦ କରି ଦିଆଯାଉଥିଲା।

ମାତ୍ର ଏହି ସମୟରେ ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ସେକେଣ୍ଡ ପିଛା ପ୍ରାୟ ୭ଲକ୍ଷ ଘନଫୁଟରୁ ୧୦ଲକ୍ଷକୁ ବୃଦ୍ଧି ପାଇଥିଲା। ତେଣୁ ଜଳସ୍ତର ବିପଦସଂକେତ ଛୁଇଁବା ପୂର୍ବରୁ ପରିସ୍ଥିତିକୁ ଦେଖି ଦୁଇଟି ପର୍ଯ୍ୟାୟରେ ଅତିରିକ୍ତ ୧୪ଟି ଗେଟ୍‌ ଖୋଲଯାଇ ରାତି ୯ଟା ସୁଦ୍ଧା  ୪୦ଟି ଗେଟ୍‌ ଖୋଲି ବନ୍ୟା ଜଳ ନିଷ୍କାସନ ଆରମ୍ଭ କରାଯାଇଥିଲା।  ତେବେ ଏଥିପାଇଁ ମହାନଦୀ ତଳମୁଣ୍ଡରେ ବନ୍ୟା ପରିସ୍ଥିତିର ଆଶଙ୍କା ପ୍ରାୟତଃ ରହିବ ନାହିଁ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। କାରଣ ୪୦ଟି ଗେଟ୍‌ରେ ସେକେଣ୍ଡ ପିଛା ହେବାକୁ ଥିବା ପ୍ରାୟ ୬ଲକ୍ଷ ଘନଫୁଟ ଜଳ ମୁଣ୍ଡଳି ନିକଟରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗୁଥିବାରୁ ଏହି ସମୟରେ ମହାନଦୀର ଅତିରିକ୍ତ ଜଳ ନିଷ୍କାସିତ ହୋଇ ସାରିଥିବ ବୋଲି ପ୍ରକାଶ କରାଯାଇଛି।

Comments are closed.