ବିପଦ ସଂକେତ ପାଖାପାଖି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୫ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି । ଜଳଭଣ୍ଡାରର ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୬୧୫.୩୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୨୭ ହଜାର ୬୨୪ କ୍ୱିସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳଭଣ୍ଡାରର ୧୫ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରରୁ  ୧ ଲକ୍ଷ ୯୪ ହଜାର ୧୪୫ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି।  ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରୁଛି । ପରିସ୍ଥିତିକୁ ଦେଖି ଆଉ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ହୀରାକୁଦରେ ଏବେ ୧୫ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ୧୫ ଟି ଗେଟ ଖୋଲିବା ପରେ ଖଇରମାଲରେ ୪ ଲକ୍ଷ ୬୦ ହଜାର, ବରମୂଳ ଠାରେ ୪ ଲକ୍ଷ ୬୦ ହଜାର, ଓ ମୁଣ୍ଡଳୀ ନିକଟରେ ୨ ଲକ୍ଷ ୫୭ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ଜଳଭଣ୍ଡାରର ଜଳସ୍ତରକୁ ଆଖି ଆଗରେ ରଖି ଯେତିକି ଜଳ ପ୍ରବେଶ କରୁଛି ସେତିକି ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଲଘୁଚାପ ଯେମିତି ଦାନା ବାନ୍ଧୁଛି ତାକୁ ଦୃଷ୍ଟିରେ ରଖିବା ସହ ମହାନଦୀ ତଳ ମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ ସେଥି ପାଇଁ କମ ସଂଖ୍ୟକ ଗେଟ ଖୋଲାଯାଇ ବନ୍ୟା ଜଳ ପରିଚାଳନା କରାଯାଉଛି ବୋଲି ମଧ୍ୟ ବନ୍ଧ କର୍ତ୍ୟୁପକ୍ଷ ସୂଚନା ଦେଇଛନ୍ତି । ତେବେ ହୀରାକୁଦ ଜଳଭଣ୍ଡାରର ବନ୍ୟା ଜଳ ଓ ଅନ୍ୟ ଶାଖା ନଦୀ ଗୁଡିକର ପାଣି ମୁଣ୍ଡୁଳିରେ ପହଂଚିବା ପରେ ଜଳସ୍ତର ବଢିବ ବୋଲି ମୁଣ୍ଡୁଳି ବ୍ୟାରେଜ କର୍ତ୍ତୃପକ୍ଷ କହିଛନ୍ତି।

Comments are closed.