ପୋତି ହେଉଛି ହୀରାକୁଦ

ପ୍ରଭାବିତ ହେବ ବିଦ୍ୟୁତ୍‌ ଉତ୍ପାଦନ, ବିଫଳ ହେବ ବନ୍ୟା ନିୟନ୍ତ୍ରଣ : ବିଶେଷଜ୍ଞ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଧୀରେ ଧୀରେ ପୋତି ହେଉଛି। ଫଳରେ ଏହାର କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି। ବନ୍ଧର ଉପଯୋଗିତା କମୁଛି। ଯେଉଁ ହାରରେ ଜଳଭଣ୍ଡାର ପୋତି ହେଉଛି, ସେଥିରେ ବହୁତ ଶୀଘ୍ର ତଳ ମୁଣ୍ଡ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ନିକଟ ଭବିଷ୍ୟତରେ ସାଂଘାତିକ ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହି ସ୍ଥିତି ବିଦ୍ୟୁତ୍‌ ଉତ୍ପାଦନକୁ ମଧ୍ୟ ଗୁରୁତର ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ଆଗକୁ ରାଜ୍ୟ ବିଦ୍ୟୁତ୍‌ ସଙ୍କଟର ସାମ୍ନା କରିପାରେ। ଏହି ଦୁଇ ଆସନ୍ନ ପ୍ରାୟ ସମସ୍ୟା ସମ୍ପର୍କରେ ଏବେଠୁ ଚିନ୍ତା ନକଲେ ହୀରାକୁଦ ବନ୍ଧ ଗତ ୬୫ ବର୍ଷରେ ଓଡ଼ିଶାର ଯେତିକି ଉପକାର କରିଛି ତା’ଠାରୁ ବହୁଗୁଣ ସମସ୍ୟାର କାରଣ ହେବ ବୋଲି ବିଶେଷଜ୍ଞ ମହଲ ଏବେଠୁ ସତର୍କ କରାଇ ଦେଲେଣି।
ମୁଖ୍ୟତଃ ମହାନଦୀ ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ୍‌ ଉତ୍ପାଦନ, ଏଇ ଦୁଇ ଲକ୍ଷ୍ୟ ନେଇ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା। ବିଶ୍ୱର ଏହି ଦୀର୍ଘତମ ନଦୀବନ୍ଧ ୧ ଲକ୍ଷ ୫୯ ହଜାର ୧୦୦ ହେକ୍ଟର ଖରିଫ ଓ ୧ ଲକ୍ଷ ୮ ହଜାର ୩୮୫ ହେକ୍ଟର ରବି ଚାଷକୁ ପାଣି ଦେଇ ଓଡ଼ିଶାକୁ ଗଢ଼ିଛି। ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି। ବନ୍ୟା ନିୟନ୍ତ୍ରଣ ସହିତ ବାର୍ଷିକ ୯୫୬ ମେଗାୱାଟ ଜଳବିଦ୍ୟୁତ୍‌ ଉତ୍ପାଦନ କରି ରାଜ୍ୟକୁ ଶକ୍ତି ଯୋଗାଉଛି। କିନ୍ତୁ ବିଶେଷଜ୍ଞ ମହଲର ମତ ହେଲା, ହୀରାକୁଦ ବନ୍ଧର ନିର୍ମାଣ ଶୈଳୀ ଯାହା ସେଥିରେ ଜଳଭଣ୍ଡାର ପୋତି ହେବା ଦ୍ୱାରା ନିକଟ ଭବିଷ୍ୟତରେ ଜଳସେଚନ ବିଶେଷ ପ୍ରଭାବିତ ହେବାର ନାହିଁ। ଯେଉଁ ଦୁଇ କ୍ଷେତ୍ର ଶୀଘ୍ର କ୍ଷତିଗ୍ରସ୍ତ ହେବ, ତାହା ହେଲା ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ।
ମହାନଦୀ ଛତିଶଗଡ଼ ଏବଂ ଓଡ଼ିଶାର ୧ ଲକ୍ଷ ୩୩ ହଜାର ୧୨୦ ବର୍ଗ କିଲୋମିଟର ଅଞ୍ଚଳରୁ ପାଣି ସଂଗ୍ରହ କରି ହୀରାକୁଦ ଜଳଭଣ୍ଡାରକୁ ଭରୁଛି। ଏଥିରୁ ହୀରାକୁଦ ବନ୍ଧର ନିଜସ୍ୱ ଅଞ୍ଚଳ ମାତ୍ର ୮୩ ହଜାର ୩୯୫ ବର୍ଗ କିଲୋମିଟର । ଛତିଶଗଡ଼ର ସିଓନାଥ, ଜୋଙ୍କ, ହସଦେଓ, ମାଣ୍ଡ ଏବଂ ଓଡ଼ିଶାର ଇବ ହୀରାକୁଦ ଜଳଭଣ୍ଡାରରେ ପାଣି ଭରୁଛନ୍ତି। ୭୪୩ ବର୍ଗ କିଲୋମିଟର ଜଳଭଣ୍ଡାର ଶଯ୍ୟା ମଧ୍ୟ ମଝି ମଝିରେ ବିକ୍ଷିପ୍ତ ତୁକୁଡ଼ା ପାହାଡ଼, ଅସଂଖ୍ୟ ଖାଲ, ଢିପ ଓ ଗଛଲତା ଏହାର ପାଣିରେ ବୁଡ଼ିଛି। ତେଣୁ ସବୁ ଜାଗାରେ ପଟୁର ପରିମାଣ ସମାନ ନୁହେଁ। ହୀରାକୁଦ କେତେ ପୋତି ହେଲାଣି ଜାଣିବା ପାଇଁ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଚିନ୍ତାଜନକ ଚିତ୍ର ମିଳିଛି। ୧୯୮୮-୮୯ରେ ଆଇଆଇଟି ଚେନ୍ନଇ ଉପଗ୍ରହ (ଆଇଆରଏସ-୧ଏ) ସହାୟତାରେ କରିଥିବା ସର୍ବେକ୍ଷଣ ଅନୁସାରେ ହୀରାକୁଦ ବନ୍ଧ ବାର୍ଷିକ ୬୧.୦୫ ନିିୟୁତ ଘନ ମିଟର ପଟୁରେ ପୋତି ହେଉଛି। ୧୯୫୭ ମସିହା ବନ୍ଧ ପ୍ରତିଷ୍ଠା ସମୟରୁ ୧୯୮୯ ସୁଦ୍ଧା ୨୭୦ ନିୟୁତ ଘନ ମିଟର ପଟୁ ପୋତି ହୋଇ ଜଳଧାରଣ କ୍ଷମତା ୨୪.୧ ପ୍ରତିଶତ କମିଛି। କେନ୍ଦ୍ରୀୟ ଜଳ ଆୟୋଗ (ସିଡବଲ୍ୟୁସି) ଓ ବନ୍ଧ କର୍ତ୍ତୃପକ୍ଷ ଉପଗ୍ରହ ସହାୟତାରେ କରିଥିବା ସର୍ବେକ୍ଷଣ ରିପୋର୍ଟ କହୁଛି, ୧୯୯୫- ୯୭ ବେଳକୁ ବନ୍ଧ ମୂଳ କ୍ଷମତାରୁ ୨୭.୨୫ ଭାଗ କମ ପାଣି ରଖି ପାରୁଥିଲା। ରାଜ୍ୟ ସରକାରଙ୍କ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ୧୨ ହଜାର ଏକର ଫୁଟ ପଟୁ ବନ୍ୟା ପାଣିରେ ବହି ଆସି ଜଳଭଣ୍ଡାରକୁ ୦.୩୯% ହାରରେ ପୋତୁଛି। ୫୩ କିଲୋମିଟର ଲମ୍ବା ଜଳଭଣ୍ଡାରର ଛତିଶଗଡ଼ ପଟୁ ପ୍ରଥମ ୫୦ କିଲୋମିଟର ଦୂର ଯାଏ ପଟୁ ମାଡ଼ି ଆସିଲାଣି। କେବଳ ବନ୍ଧ ପାଖ ୩ କିଲୋମିଟର ଶଯ୍ୟା କେତେକାଂଶରେ ସଫା ଅଛି। ତେଣୁ ପ୍ରଥମ ୫୦ କିଲୋମିଟର ଅଞ୍ଚଳରେ ଶଯ୍ୟା ୪୬ ଭାଗ ଓ ବନ୍ଧ ପାଖାପାଖି ଅଞ୍ଚଳରେ ୧୫ ଭାଗ ପୋତି ହୋଇଗଲାଣି। ଉପଗ୍ରହ (ଆଇଆରଏସ-୧ଏସ) ରିପୋର୍ଟ ଅନୁସାରେ ୨୦୫୬ ବେଳକୁ ୨ ନିୟୁତ ୨୦୯ ଲକ୍ଷ ଘନଫୁଟ ଅଞ୍ଚଳ ପୋତି ହୋଇସାରିଥିବ। ଉପରୋକ୍ତ ସମସ୍ତ ସର୍ବେକ୍ଷଣ ରିପୋର୍ଟକୁ ତର୍ଜମା କଲେ ସାଧାରଣ ଲୋକଙ୍କ ବୁଝିବା ପାଇଁ ଏବେ ସୁଦ୍ଧା ୫୦ ହଜାର କୋଟି ଟ୍ରକ (ଟ୍ରିପ)ରୁ ବି ଅଧିକ ପଟୁ ଜମା ହୋଇ ସାରିଥିବ ବୋଲି ହୀରାକୁଦ ବନ୍ଧ ବାବଦରେ ୪୦ ବର୍ଷର ଅଭିଜ୍ଞତା ଥିବା ଜଣେ ଯନ୍ତ୍ରୀ କହିଛନ୍ତି। ତାଙ୍କ ମତରେ ହୀରାକୁଦ ଜଳଭଣ୍ଡାରର ପଟୁ କାଢ଼ି ତଳମୁଣ୍ଡରେ ପକାଇଲେ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁର ଜିଲାକୁ ୧୫ ମିଟର ପୋତି ପକାଇବ !
ହୀରାକୁଦ ବନ୍ଧର ଉଦବେଗଜନକ ଚିତ୍ର ସମ୍ପର୍କରେ ଉଲ୍ଲେଖ କରି ମହାନଦୀ ଅପର ବେସିନର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ କହିଛନ୍ତି ଯେ ଉପର ମୁଣ୍ଡରୁ ଯାହା ପଟୁ ଆସିବ ତା’ର ଅଧା ରହିବ ଓ ଅଧା ବାହାରିଯିବା ହିସାବରେ ଏହି ବନ୍ଧ ନିର୍ମାଣ କରା ଯାଇଥିଲା। କିନ୍ତୁ ମୂଳ ହିସାବ ଗଡ଼ବଡ଼ ହୋଇଯାଇଛି। ବନ୍ୟା ଜଳ ନିଷ୍କାସନ ସମୟରେ ମାତ୍ର ୧୦ ଭାଗ ପଟୁ ବାହାରି ଯାଉଛି। ଅବଶିଷ୍ଟ ୯୦ ଭାଗ ରହିଯାଉଛି। ତେଣୁ ନିର୍ମାଣ ସମୟର ଆକଳନଠାରୁ ହୀରାକୁଦ ଦ୍ରୁତ ଗତିରେ ପୋତି ହେଉଛି। ଅନ୍ୟ ଏକ ବଡ଼ ବ୍ୟତିକ୍ରମ ହେଲା, ଯେତିକି ପଟୁ ଆସିବ ବୋଲି ଆକଳନ କରାଯାଇଥିଲା ତା’ଠାରୁ ଯଥେଷ୍ଟ ଅଧିକ ପଟୁ ଆସୁଛି। ଛତିଶଗଡ଼ରେ ଶିଳ୍ପାୟନ ଓ ବନ୍ଧ ନିର୍ମାଣ ପାଇଁ ଦ୍ରୁତ ଜଙ୍ଗଲକ୍ଷୟକୁ ଇଂ. ପତ୍ରୀ ଦାୟୀ କରିଛନ୍ତି। ଏହା ଦ୍ୱାରା ହୀରାକୁଦ ବନ୍ଧ ୨୭ ପ୍ରତିଶତ କ୍ଷମତା ହରାଇ ସାରିଲାଣି। ଆଗକୁ ଆହୁରି କମିବ। ବିଦ୍ୟୁତ୍‌ ଉତ୍ପାାଦନ ଏବେଠୁ ପ୍ରଭାବିତ ହେଲାଣି। ଆଗାମୀ ଦିନରେ ଓଡ଼ିଶାର ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ସାଂଘାତିକ ଭାବେ ବିପର୍ଯ୍ୟସ୍ତ ହେବ। ହୀରାକୁଦ ବନ୍ଧ ଯୋଗୁ ବନ୍ୟାର ପ୍ରକୋପକୁ କମ କରା ଯାଇପାରିଛି। ଏବେ ପ୍ରତି ୧୦ ବର୍ଷରେ ହାରାହାରି ୩ ବର୍ଷ ବନ୍ୟା ହେଉଛି ଓ ୭ ବର୍ଷ ବନ୍ୟାକୁ ଏଡ଼ାଇ ଦିଆଯାଇପାରୁଛି। କିନ୍ତୁ ହୀରାକୁଦ ବନ୍ଧ ଯେଉଁ ହାରରେ ପୋତି ହେଉଛି ଆଗକୁ କଟକ, ପାରାଦୀପ ତ୍ରିକୋଣଭୂମି ଅଞ୍ଚଳରେ ବାରମ୍ବାର ବଡ଼ ବନ୍ୟା ଆସିବାର ଆଶଙ୍କା ଅଛି ବୋଲି ଇଂ. ପତ୍ରୀ ସତର୍କ କରାଇ ଦେଇଛନ୍ତି। ହୀରାକୁଦ ଦୁର୍ବଳ ହୋଇ ବିପର୍ଯ୍ୟୟ ସୃଷ୍ଟି କରିବା ଆଗରୁ ମୂଳ ଯୋଜନା ମୁତାବକ ଟିକରପଡ଼ା ଓ ନରାଜରେ ଆଉ ଦୁଇଟି ବନ୍ଧ ନିର୍ମାଣ ପ୍ରସ୍ତାବ ସମ୍ପର୍କରେ ଚିନ୍ତା କରିବା ସମୟ ଆସିଗଲାଣି ବୋଲି ସେ ମତ ଦେଇଛନ୍ତି।

Comments are closed.