ଠିକାଦାର ଓ ଠିକା କର୍ମଚାରୀଙ୍କ ହାତରେ ହୀରାକୁଦ ବନ୍ଧର ଭବିଷ୍ୟତ

ବୁର୍ଲା: ମୁଖ୍ୟବନ୍ଧ ବିଭାଗରେ ଅନିୟମିତତା ଚରମସୀମାରେ ପହଞ୍ଚିବାକୁ ବସିଲାଣି।  ସେପଟେ ଯନ୍ତ୍ରୀ ନିଯୁକ୍ତିକୁ ନେଇ ବନ୍ଧ କର୍ତ୍ତୃପକ୍ଷ ତତ୍ପରତା ଦେଖାଉଥିବା ବେଳେ କର୍ମଚାରୀଙ୍କ ସ୍ଥାୟୀ ପଦବୀ ପୂରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ଫଳରେ ହୀରାକୁଦ ଜଳଭଣ୍ଡାର ସମସ୍ତ ଦାୟିତ୍ୱ ଯୋଜନାବଦ୍ଧ ଭାବରେ ଠିକା ସଂସ୍ଥା ଓ ଠିକା କର୍ମଚାରୀଙ୍କୁ ଟେକି ଦିଆଯିବା ବ୍ୟବସ୍ଥା ଆରମ୍ଭ ହୋଇଛି ।
ମୁଖ୍ୟବନ୍ଧ ବିଭାଗ ସହିତ ଦିନକୁ ଦିନ ଅନିୟମିତତାର ଗୋଟିକ ପ​‌ରେ ଗୋଟିଏ ଫର୍ଦ ଯୋଡ଼ି ଯୋଡ଼ି ହୋଇ ଯାଉଛି। ମୁଖ୍ୟବନ୍ଧ ବିଭାଗରେ ନିର୍ମାଣ ସମୟରେ ୧୨୦୦ରୁ ଊର୍ଦ୍ଧ୍ବ ସ୍ଥାୟୀ ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଥିଲେ। ୧୯୭୦ରୁ ୧୯୮୦ ମସିହା ଆଡ଼କୁ ଏହା ଖସିଆସି ୭୦୦ ପାଖାପାଖି କର୍ମଚାରୀ ରହିଥିଲେ। ଗତ ୨୦୦୦ ମସିହାରୁ ୨୦୧୦ ମଧ୍ୟରେ ଏହା ୪୦୦କୁ ହ୍ରାସ ପାଇଥିଲା।  ଗତ ୨୦୦୯ ମସିହାରେ  ବୁର୍ଲା ମୁଖ୍ୟବନ୍ଧ ବିଭାଗରେ ୧୧୫ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ଥିଲା। ଏହାପରେ ସ୍ଥାୟୀ ନିଯୁକ୍ତି ବନ୍ଦ ହୋଇ ଯାଇଛି ।

ମୁଖ୍ୟବନ୍ଧ ବିଭାଗର ପୁରାତନ କର୍ମଚାରୀମାନେ ଅବସର ଗ୍ରହଣ କରିଥିବା ବେଳେ ଏହି କର୍ମଚାରୀଙ୍କ ମାତ୍ରା ଖସିଆସି ଦେଢ଼ଶହରେ ପହଞ୍ଚି ଯାଇଛି। ସେପଟେ ପୁଣି ଆଗାମୀ ପାଞ୍ଚବର୍ଷ ମଧ୍ୟରେ ପୁଣି ଅନେକ ସ୍ଥାୟୀ କର୍ମଚାରୀଙ୍କ ଅବସର ଗ୍ରହଣ ନେବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ସେପଟେ କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ବୁର୍ଲା ମୁଖ୍ୟବନ୍ଧ ବିଭାଗର ବିଶାଳବ୍ୟବସ୍ଥା ମଧ୍ୟରେ ଯନ୍ତ୍ରୀଙ୍କ ମାତ୍ରାଧିକ ବୃଦ୍ଧିକୁ ନେଇ ଚର୍ଚ୍ଚା ଯୋର ଧରିଛି।

ବିଗତ ଦିନର ଇତିହାସର ଫର୍ଦ୍ଦକୁ ଓଲଟାଇ ଦେଖିଲେ ସରକାରୀଙ୍କ ତରଫରୁ ବିଗତ ୧୯୭୪ ମସିହାରୁ ମୁଖ୍ୟବନ୍ଧ ବିଭାଗରେ ସ୍ଥାୟୀ କର୍ମଚାରୀ ନିଯୁକ୍ତିର ଆବଶ୍ୟକତା ରହିଛି କି ନାହିଁ ବା ଯଦିବା ରହିଛି କେତେ ମାତ୍ରାରେ ରହିଛି ଏହାର ତଥ୍ୟ ଦେବା ପାଇଁ ଚିଠି ଆସିବା ସତ୍ୱେ ଏହାର ଆବଶ୍ୟକତା ଦିଆଗଲା ନାହିଁ। କେବଳ ବନ୍ଧ କର୍ତ୍ତୃପକ୍ଷ କୌଣସି ମତେ ଦୁଇରୁ ତିନିବର୍ଷ ନିଜ କାର୍ଯ୍ୟକାଳ ବିତାଇ ଏଠାରୁ ଚାଲି ଯାଇଥିଲେ। ସେପଟେ କର୍ମଚାରୀ ନ ଥିବା ପରିପେକ୍ଷୀରେ କେତେ ମାତ୍ରାରେ ଠିକା ଶ୍ରମିକ ମାନଙ୍କୁ ମୁଖ୍ୟବନ୍ଧ ବିଭାଗରେ ନିଯୁକ୍ତି ଦିଆଯାଇଛି ଏହା ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ବାରମ୍ବାର ଚିଠି ଆସୁଛି ମାତ୍ର ମୁଖ୍ୟବନ୍ଧ ବାବୁ ମାନଙ୍କ ଫାଇଲ ତଳେ ଏହା ଚାପି ହୋଇ ରହିଯାଉଛି। ଶହ ଶହ ମାତ୍ରାରେ ଠିକାଭିତ୍ତିକ ଶ୍ରମିକ ବା ସିଏଲଆର ବିଗତ ଦଶନ୍ଧି ଦଶନ୍ଧି ଧରି ମୁଖ୍ୟବନ୍ଧ ବିଭାଗରେ ସେବା ଯୋଗାଇ ଚାଲିଛନ୍ତି ମାତ୍ର ତାଙ୍କର ନିୟମିତ କଥା ଆଦୌ ଚିନ୍ତା କରାଗଲା ନାହିଁ। ଶହ ଶହ ଠିକା କର୍ମଚାରୀଙ୍କ ଭାଗ୍ୟ ଝୁଲି ରହିଛି ଦୋଛକିରେ।

ସେପଟେ ବିନା ଇପିଏଫ୍‍ ଏବଂ ଇଏସଆଇ କଟାଯାଇ ଠିକା କର୍ମଚାରୀଙ୍କୁ ଦୈନିକ ୨୮୦ ଟଙ୍କା ହିସାବରେ ପ୍ରାପ୍ୟ ପ୍ରଦାନ କରାଚାଲିଥିବା ବେଳେ ଚାରୋଟି ରବିବାର ପୁଣି ପ୍ରାପ୍ୟ କଟାଯାଉଛି। ବିଡ଼ମ୍ବନାର ବିଷୟ ହେଲା ଜଳଯୋଗାଣ ବିଭାଗରେ କାର୍ଯ୍ୟରତ ଏହି ଦୈନିକ ମଜୁରୀ ପାଉଥିବା ପ୍ରାୟ ୮୦୩ ଜଣ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ପାଇଁ ଘୋଷଣା କରାଯାଇଥିବା ବେଳେ ମୁଖ୍ୟବନ୍ଧ ଭଳି ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କ କଥା ବିଚାରକୁ ନିଆଯାଇ ନାହିଁ ।

ଗତ ନଭେମ୍ବର ମାସରେ ଏକ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିବା ଦୃଷ୍ଟାନ୍ତ ରହିଛି। ହୀରାକୁଦ ବନ୍ଧର ବନ୍ଧଫାଟକର ରକ୍ଷଣବେକ୍ଷଣ ଦାୟିତ୍ୱ ଏହି ଠିକାଭିତ୍ତିକ କର୍ମଚାରୀଙ୍କ ମାଧ୍ୟମରେ କରାଚାଲିଥିଲା। ମାତ୍ର ପୁଣି ଠିକା ଉପରେ ଠିକା ସଦୃଶ ବନ୍ଧଫାଟକର ରକ୍ଷଣବେକ୍ଷଣ ପାଇଁ ଓଏସଆଇସି ନାମକ ଘରୋଇ ଠିକାସଂସ୍ଥାକୁ ୧.୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ପୁଣି ଠିକାରେ ଦିଆଯିବାକୁ ନେଇ ଠିକାଦାର ପୋଷା ନିତିରେ ବନ୍ଧ କର୍ତ୍ତୃପକ୍ଷଙ୍କ ତତ୍ପରତା ସ୍ଫଷ୍ଟ ବାରି ହେଉଛି। ପୂର୍ବରୁ ବନ୍ଧ ବେଷ୍ଟନୀ ମଧ୍ୟରେ ନିମ୍ନମାନର ପଥର ପେଚିଙ୍ଗ କାମ ଅନିୟମିତତା କରାଯିବା ପ୍ରସଙ୍ଗକୁ ନେଇ ସମାଲୋଚନା ହେବା ପୁଣି ବନ୍ଧର ଫାଟ ସୃଷ୍ଟି ହେବା ତଥା ଏହାର ମରାମତି ପାଇଁ ପୁଣି କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ଠିକା କମ୍ପାନିକୁ ଏହାର ଦାୟିତ୍ୱ ଦିଆଯିବା ଦୃଷ୍ଟାନ୍ତ ରହିଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିବା ସହିତ ଚୁକ୍ତିଭିତ୍ତିକ ଠିକା ଶ୍ରମିକ ଯେଉଁମାନେ ବର୍ଷ ବର୍ଷ ଧରି ହୀରାକୁଦ ବନ୍ଧକୁ ନିଜର ଝାଳବୁହାଇ ରକ୍ଷଣବେକ୍ଷଣ କରି ଆସୁଛନ୍ତି ତାଙ୍କୁ ନ୍ୟାୟ ମିଳିପାରିବ ବୋଲି ମତପ୍ରକାଶ ପାଉଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ମୁଖ୍ୟବନ୍ଧ ବିଭାଗର ନିର୍ବାହୀ ଯନ୍ତ୍ରୀ ନିରାକାର ବିଶିଙ୍କୁ ଯୋଗାଯୋଗ କରାଯିବା ସତ୍ୱେ ଏହା ସମ୍ଭବପର ହୋଇ ପାରି ନ ଥିଲା।

Comments
Loading...