ହୀରାକୁଦ ମାଟିବନ୍ଧକୁ ବଡ଼ ବିପଦ !

ସମ୍ବଲପୁର : ମହାନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇବାକୁ ଯାଇ ଚାଲିଥିବା ପରୀକ୍ଷା ନିରୀକ୍ଷା ଏସିଆର ସର୍ବବୃହତ ମାଟିବନ୍ଧର ସୁରକ୍ଷା ପ୍ରତି ବିପଦ ହେବାକୁ ଯାଉଛି। ମାଟିର ଆଦ୍ରତା ଏବଂ ପାଣିର ଚାପକୁ ସହ୍ୟ କରିବାର କ୍ଷମତାକୁ ନେଇ ପ୍ରସ୍ତୁତ ରୁଲ୍‌ କର୍ଭର ଖୋଲା ଉଲ୍ଲଘଂନ ଏହି ଆଶଙ୍କାକୁ ବୃଦ୍ଧି କରିଛି। ବୈଷୟିକ କମିଟିର ସୁପାରିଶ କ୍ରମେ ରୁଲ୍‌ କର୍ଭ ତିଆରି କରାଯାଇ ତାହାକୁ କୌଣସି ହିସାବରେ ଉଲ୍ଲଂଘନ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ ପରାମର୍ଶ ସତ୍ତ୍ବେ ଚଳିତ ବର୍ଷ ଏହାର ଖିଲାପ କରାଯାଇଛି। ଅଗଷ୍ଟ ମଧ୍ୟ ଭାଗରେ ହୀରାକୁଦ ବନ୍ଧର ଜଳସ୍ତର ୬୧୫ରୁ ୬୧୭ ଫୁଟ ମଧ୍ୟରେ ସୀମିତ ରଖିବା ପାଇଁ ରହିିଥିବା ନିର୍ଦେଶ ପଛରେ କେବଳ ଉପରମୁଣ୍ଡର ବର୍ଷାପାଣିକୁ ସଂରକ୍ଷଣ କିମ୍ବା ନିଷ୍କାସନ ନୁହେଁ ବରଂ ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିଲା। ତେବେ ଗତ ଲଗାଣ ବର୍ଷା ପରଠାରୁ ପ୍ରାୟ ୧୦ ଫୁଟ ପାଣିର ଅତିରିକ୍ତ ବୋଝ ହୀରାକୁଦ ମାଟିବନ୍ଧ ବୋହି ଚାଲିଛି। ପୁନଶ୍ଚ ଜରୁରୀକାଳୀନ ପରିସ୍ଥିତିରେ ଅତିରିକ୍ତ ଗେଟ୍‌ ଖୋଲାଯିବା ପାଇଁ ରହିଥିବା ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ଜଣାପଡିଛି। ଆବଶ୍ୟକ ଅଭିଜ୍ଞ କର୍ମଚାରୀ ଏବଂ ବଡ଼ ବଡ଼ କ୍ରାଏଷ୍ଟ ଗେଟ୍‌ଗୁଡିକୁ ଖୋଲିବା ପାଇଁ ଆବଶ୍ୟକ କ୍ରେନ ବନ୍ଧ କର୍ତ୍ତୃପକ୍ଷଙ୍କ ପାଖରେ ଅଭାବ ଥିବା ଜଣାପଡିଛି। ସେହିପରି ଦୀର୍ଘ ଦିନ ହେବ ମରାମତି ଅଭାବରୁ ବହୁ ସ୍ଲୁଇସ୍‌ ଗେଟ୍‌ ଓ କ୍ରାଏଷ୍ଟ ଗେଟ୍‌ ଯେ ଠିକଣା ସମୟରେ ଖୋଲିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ଉଲ୍ଲେଖ ଯୋଗ୍ୟ ଯେ ହୀରାକୁଦ ବନ୍ଧରେ ମୋଟ୍‌ ୯୮ଟି ଗେଟ୍‌ ରହିଥିବାବେଳେ ଏଥିରେ ୬୪ଟି ସ୍ଲୁଇସ୍‌ ଓ ୩୪ଟି କ୍ରାଏଷ୍ଟ ଗେଟ୍‌ ରହିଛି। ମୁଖ୍ୟତଃ ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥାଏ। ମାତ୍ର ଜରୁରୀ ପରିସ୍ଥିତିରେ ସ୍ଲୁଇସ୍‌ ଗେଟ୍‌ଠାରୁ ପ୍ରାୟ ଅଢ଼େଇ ଗୁଣା ପାଣି ନିଷ୍କାସନ କରୁଥିବା କ୍ରାଏଷ୍ଟ ଗେଟ୍‌ ଖୋଲାଯାଇଥାଏ। ୨୦୦୦ ମସିହା ପରେ ୨୦୧୧ରେ କେବଳ ଗୋଟିଏ ଥର ପାଇଁ କ୍ରାଏଷ୍ଟ ଗେଟ୍‌ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ବର୍ଷ ଉପରମୁଣ୍ଡରେ ବନ୍ୟା ପରିସ୍ଥିତି ପରେ ୫୯ଟି ଗେଟ୍‌ ଖୋଲାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ତଳଭାଗରେ ରହିିଥିବା କିଛି ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ ବାକି ଥିବା ସତ୍ତ୍ବେ ଉପରଭାଗରେ ରହିଥିବା କ୍ରାଏଷ୍ଟ ଗେଟ୍‌ ଖୋଲି ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା।
ବର୍ଷା କମି ଯାଇଥିଲେ ସୁଦ୍ଧା ଛତିଶଗଡ଼ ଅଞ୍ଚଳରୁ ମହାନଦୀରେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ ଜାରି ରହିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୬ଲକ୍ଷ ଘନଫୁଟରୁ ଊର୍ଦ୍ଧ୍ବ ପାଣି ପ୍ରବେଶ କରୁଥିବା ଜଣାପଡିଛି। ୪୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଥିଲେ ସୁଦ୍ଧା ଜଳପ୍ରବେଶ ଓ ଜଳ ନିଷ୍କାସନ ମଧ୍ୟରେ ବଡ଼ ଧରଣର ପାର୍ଥକ୍ୟ ରହୁ ନଥିବାରୁ ଜଳସ୍ତରରେ ବିଶେଷ ହ୍ରାସ ପରିଲକ୍ଷିତ ହେଉନାହିଁ। ଗତ ଦୁଇ ଦିନ ହେବ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬ ଫୁଟରୁ ଊର୍ଦ୍ଧ୍ବ ରହୁଛି। ତେଣୁ ହୀରାକୁଦ ମାଟିବନ୍ଧ ପ୍ରାୟ ୧୦ ଫୁଟ ଅତିରିକ୍ତ ପାଣିର ବୋଝକୁ କିଭଳି ଭାବେ ସମ୍ଭାଳି ନେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବଶ୍ୟ ମହାନଦୀ ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଗତ ୨୦୦୩ ମସିହାରେ ଜଳସ୍ତର ବିପଦସଂକେତ ୬୩୦ ଫୁଟର ଅତି ନିକଟତର ୬୨୯.୫ ଫୁଟ କରାଯାଇ ପରୀକ୍ଷା କରାଯାଇ ସାରିଛି। ମାତ୍ର ସମୟକ୍ରମେ ବନ୍ଧ ଦୁର୍ବଳ ହେଉଥିବା କାରଣରୁ ଏହି ଭାର ଯେ ସମ୍ଭାଳି ଚାଲିଥିବ ସେମିତି କିଛି ମାନେ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁସାରେ ମହାନଦୀ ଅବବାହିକାର ପ୍ରାୟ ୮୩ ହଜାର ବର୍ଗ କିଲୋମିଟରର ଜଳକୁ ଅଟକାଇ ରଖିବା ପାଇଁ ହୀରାକୁଦ ଜଳଭଣ୍ଡାର ଯଥେଷ୍ଟ ସାବ୍ୟସ୍ତ ହେଉ ନ ଥିବା ପରିପ୍ରେକ୍ଷୀରେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଲେ ହୀରାକୁଦରେ ସ୍ଥିତି ଅସମ୍ଭାଳ ହୋଇଯାଉଛି। ହୀରାକୁଦ ନଦୀବନ୍ଧର ଉପରମୁଣ୍ଡରେ ଓଡ଼ିଶାର ୮ ହଜାର ବର୍ଗ କିଲୋମିଟର ମହାନଦୀର ଅବବାହିକା ଛାଡିଦେଲେ ଅନ୍ୟ ୯୦% ଅବବାହିକା ଛତିଶଗଡ଼ରେ ରହୁଛି। ତେଣୁ ସେଠାକାର ସ୍ଥିତି ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ନିର୍ଭର କରିଥାଏ। ଚଳିତ ବର୍ଷ ଛତିଶଗଡ଼ରେ ଲଗାଣ ବର୍ଷା ଓ ସେଠାକାର ବ୍ୟାରେଜଗୁଡିକରୁ ଏକକାଳୀନ ବନ୍ୟାଜଳ ନିଷ୍କାସନ ଦ୍ବାରା ସେକେଣ୍ଡ ପିଛା ୧୦ଲକ୍ଷ ଘନଫୁଟ ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବେଶ କରିଥିବାର ନଜିର ରହିଛି।
ତେବେ ଓଡ଼ିଶାର ତଳମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲି ଉଠିଥିବାବେଳେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ଓଡ଼ିଶାର ଉପକୂଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ଗତ ଦୁଇ ଦିନ ତଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୩୪ରୁ ଗେଟ୍‌ ସଂଖ୍ୟା ୨୬କୁ ହ୍ରାସ କରାଯାଇଥିଲା। ଅବଶ୍ୟ ଜଳସ୍ତର ୬୨୫ ପାରି ହୋଇଯିବା ପରେ ପର୍ଯ୍ୟାୟକ୍ରମେ ଗେଟ୍‌ ସଂଖ୍ୟା ୪୦କୁ ବୃଦ୍ଧି କରାଯାଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ବନ୍ଧ ପରିଚାଳନା ପାଇଁ ଆବଶ୍ୟକ ଅଭିଜ୍ଞ କର୍ମଚାରୀ ଏବେ ସବୁଠାରୁ ବଡ଼ ଚିନ୍ତା। ସ୍ଥାୟୀ କର୍ମଚାରୀ ସଂଖ୍ୟା ୧୨୦୦ରୁ ୧୦୦ ତଳକୁ ଖସିଗଲାଣି। ସେହିପରି ଗେଟ୍‌ ଖୋଲିବା ପାଇଁ ବନ୍ଧ ବାମପାର୍ଶ୍ବରେ ୫ଟି ଓ ଦକ୍ଷିଣ ପାର୍ଶ୍ବରେ ୩ଟି ଏପରି ୮ଟି କ୍ରେନ ରହିଛି। ମାତ୍ର ଏଥିପାଇଁ ୮ଜଣ କ୍ରେନ ଅପରେଟର ଓ ୮ଜଣ ହେଲ୍‌ପର ଆବଶ୍ୟକ ଥିବାବେଳେ ଜଣେ ମଧ୍ୟ କ୍ରେନ ଅପରେଟର ନ ଥିବା ଜଣାପଡିଛି। ସେହିପରି ଜଣେ ହେଲେ ପମ୍ପ ଅପରେଟର ନ ଥିବାରୁ ଚୌକିଦାର, ଖଲାସି ଏବଂ ପିଅନଙ୍କ ଭରସାରେ ବନ୍ଧ ପରିଚାଳନା କରାଯାଉଛି। ପୁଣି ଦୀର୍ଘ ଦିନ ହେବ ମରାମତି ଅଭାବରୁ ଜାମ୍‌ ହୋଇ ରହିଥିବା କ୍ରାଏଷ୍ଟ ଗେଟ୍‌ ଓ ସ୍ଲୁଇସ୍‌ ଗେଟ୍‌କୁ ଠିକଣା ସମୟ​‌େ​ର ଅନଭିଜ୍ଞ କର୍ମଚାରୀ ଯେ ଖୋଲି ପାରିବେ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ଘଟଣା ସଂପର୍କରେ ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦଚନ୍ଦ୍ର ସାହୁଙ୍କୁ ଯୋଗାଯେଗା କରାଯିବାରେ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରାଯାଇ ବୈଷୟିକ କମିଟିର ପରାମର୍ଶକ୍ରମେ ଗେଟ୍‌ ଖୋଲାଯିବା ନିଷ୍ପତ୍ତି ସହ ଜଳସ୍ତର ରଖାଯାଉଛି। ତେଣୁ ନଦୀବନ୍ଧର ସୁରକ୍ଷା ପ୍ରତି ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। ଏହାସହ ବନ୍ୟା ସ୍ଥିତି ସୁଧୁରିଯିବା ସହ ଜଳଭଣ୍ଡାରର ଜଳସ୍ତର ରୁଲ୍‌ କର୍ଭ ଅନୁସାରେ ରଖାଯିବ ବୋଲି ସେ କହିଛନ୍ତି। ସୂଚିତ ଯେ, ବନ୍ଧ ନିର୍ମାଣ ପରେ ୧୯୬୩ ମସିହାରେ କରାଯାଇଥିବା ରୁଲ କର୍ଭ ଶେଷଥର ପାଇଁ ୧୯୮୮ରେ ସଂଶୋଧନ କରାଯାଇଥିଲା।

Comments are closed.