ହିନ୍ଦୁ ମହିଳା ପାକିସ୍ତାନରେ ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ ପରୀକ୍ଷାରେ ପାଇଲେ ସଫଳତା ; ଯୋଗଦେବେ ପାକିସ୍ତାନ ପ୍ରଶାସନିକ ସେବାରେ

ଇସଲାମାବାଦ: ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଦେଶର ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାଦ୍ୱାରା ସେ ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ)ରେ ଯୋଗଦେବେ। ପ୍ରଥମ ଥର ପାଇଁ ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଏହି ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ସାନା ରାମଚାନ୍ଦ। ସେ ଜଣେ ଏମବିବିଏସ ଡାକ୍ତର। ତାଙ୍କ ଘର ପାକିସ୍ତାନ ସିନ୍ଧ ପ୍ରଦେଶର ଶିକରପୁର ଗ୍ରାମାଞ୍ଚଳରେ। ଉକ୍ତ ଅଞ୍ଚଳରେ ପାକିସ୍ତାନର ସର୍ବାଧିକ ହିନ୍ଦୁ ବସବାସ କରୁଛନ୍ତି।
ଦେଶରେ ମୋଟ ୧୮,୫୫୩ ଜଣ ସିଏସଏସ ଲିଖିତ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨୧ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ତାହାପରେ ବ୍ୟାପକ ଡାକ୍ତରୀ, ମନସ୍ତାତ୍ତ୍ୱିକ ଅନ୍ୟାନ୍ୟ ଆବଶ୍ୟକ ପରୀକ୍ଷା ପରେ ଚୂଡାନ୍ତ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଛି। ସେଥିରେ ସାନା ସଫଳତା ହାସଲ କରିଛନ୍ତି। ଏହି ପରୀକ୍ଷା ଫଳ ଘୋଷଣା ହେବାପରେ ସାନା ରାମଚାନ୍ଦ ଟ୍ୱିଟ୍‍ କରି କହିଛନ୍ତି, ‘ୱାହେଗୁରୁ ଜୀ କା ଖାଲସା ୱାହେଗୁରୁ ଜୀ କା ଫତେହ’, ସର୍ବଶକ୍ତିମାନ ଆଲ୍ଲାଙ୍କ ଆଶୀର୍ବାଦରୁ ତାଙ୍କୁ ଏହି ସଫଳତା ମିଳିଛି। ସେ ତାଙ୍କ ପିତାମାତାଙ୍କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି। ଚଳିତ ଥର ସିଏସଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ୨ ପ୍ରତିଶତରୁ କମ୍‍ ରହିଛି। ଏଥିରୁ ପ୍ରତିଯୋଗିତା ଅତ୍ୟନ୍ତ କଷ୍ଟକର ଥିଲା, ଯାହା ପାକିସ୍ତାନର ଫେଡେରାଲ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ହୋଇଥିଲା ବୋଲି ସାନା କହିଛନ୍ତି। ପିଏଏସକୁ ମନୋନୀତ ହେଉଥିବା ବ୍ୟକ୍ତିଙ୍କୁ ସହକାରୀ କମିଶନର ଭାବରେ ଏବଂ ପରେ ଜିଲା କମିଶନର ଭାବରେ ପଦୋନ୍ନତି ଦିଆଯାଇଥାଏ। ଏହା ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ହୋଇଆସୁଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ଏହି ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ପ୍ରାର୍ଥୀ ମଧ୍ୟ ଜଣେ ମହିଳା। ସେ ହେଉଛନ୍ତି ମହିନ ହାସନ।
ସାନା ତାଙ୍କ ଘର ସିନ୍ଧ ପ୍ରଦେଶର ଚାନ୍ଦକା ମେଡିକାଲ କଲେଜରୁ ଏମବିବିଏସ ପାସ୍‍ କରିବାପରେ କରାଚୀସ୍ଥିତ ସିଭିଲ ହସପିଟାଲରେ ହାଉସମ୍ୟାନ ସମୟ ଶେଷ କରିଥିଳେ। ସଂପ୍ରତି ସିନ୍ଧ ଇନଷ୍ଟିଚ୍ୟୁଟ ଅଫ ୟୁରୋଲୋଜି ଆଣ୍ଡ ଟ୍ରାନ୍ସପରେଣ୍ଟରେ ଏଫସିପିଏସ କରୁଛନ୍ତି। ଏହାପରେ ସେ ଜଣେ ଯୋଗ୍ୟତାପ୍ରାପ୍ତ ସର୍ଜନ ହୋଇପାରିବେ। ତେବେ ତାହା ପୂର୍ବରୁ ସେ ପାକିସ୍ତାନ ପ୍ରଶାସନିକ ସେବା ଅଧିକାରୀ ହେବାକୁ ଯାଉଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ବରିଷ୍ଠ ନେତା ଫାରହତୁଲ୍ଲା ବବର ଏହି ସଫଳତା ପାଇଁ ସାନାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେ ପାକିସ୍ତାନରେ ଥିବା ହିନ୍ଦୁ ସମୁଦାୟଙ୍କୁ ଗର୍ବିତ କରିଥିବା କହିଛନ୍ତି।

Comments are closed.