ମାଳୀ କାମ କରିବେ ବିଡିଓ

କଟକ: ଅଦାଲତ ଅବମାନନା କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ହାଇକୋର୍ଟ ଉକ୍ତ ପ୍ରଶାସନିକ ଅଧିକାରୀଙ୍କୁ ମାଳୀ କାମ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରଶାସନିକ ଅଧିକାରୀ ଜଣକ ହେଲେ ଭଦ୍ରକ ଜିଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ। କୌଣସି ଏକ ବଗିଚାରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମାଳୀ ଭାବେ ସୁପରଭାଇଜର କାମ କରିବାକୁ ହାଇକୋର୍ଟ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବିଡିଓ ତିହିଡି ଅଞ୍ଚଳର ଆମ ଗାଁ, ଆମ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଗୋଟିଏ ପ୍ରକଳ୍ପର ଅର୍ଥକୁ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଏ ନେଇ ବିଭିନ୍ନ ମହଲରେ ଅଭିଯୋଗ କରାଯିବା ପରେ ମଧ୍ୟ ବିଡିଓ ଶୁଣି ନ ଥିଲେ। ଶେଷରେ ଗ୍ରାମବାସୀ ଏ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ବିଡିଓଙ୍କୁ ନୋଟିସ ଜାରି କରିଥିଲେ। ବିଲ୍‌ ବନ୍ଦ କରିବା ସହିତ ବ୍ୟକ୍ତିଗତ ହାଜର ହୋଇ ଉତ୍ତର ରଖିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ବିଡିଓ କୋର୍ଟରେ ହାଜର ହୋଇ ନ ଥିଲେ। ଅନ୍ୟପଟେ ମାମଲା ଚାଲିଥିବାବେଳେ ବିଡିଓ ପ୍ରକଳ୍ପଗୁଡ଼ିକର ବିଲ୍‌ କରିଥିଲେ। ଏ ନେଇ ପୁଣି ଥରେ ଗ୍ରାମବାସୀଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। କୋର୍ଟଙ୍କ ପକ୍ଷରୁ ଏ ନେଇ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇ ଗତ ଡିସେମ୍ବର ୨ ତାରିଖରେ ବିଡିଓଙ୍କୁ ନୋଟିସ ଜାରି ହୋଇଥିଲା। ଡିସେମ୍ବର ୧୦ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସରେ କୁହାଯାଇଥିଲା। ଏହା ସତ୍ବେ ବିଡିଓ ନିର୍ଦ୍ଧାରିତ ଦିନରେ ହାଜର ନ ହୋଇ ତା’ ପରଦିନ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବା ସହିତ ସତ୍ୟପାଠ ଦାଖଲ କରିଥିଲେ। ଏହା ପରେ ହାଇକୋର୍ଟ ତାଙ୍କୁ ମାଳୀ ଭାବେ କାମ କରିବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିର୍ଦେଶ ପରେ ସେ ଏହାକୁ ପାଳନ କରିବେ ବୋଲି ବିଡିଓ ଗଣମାଧ୍ୟମକୁ କହିଛନ୍ତି।

Comments are closed.