ସିଧା ପ୍ରସାରଣ ପ୍ରସଙ୍ଗକୁ ଉଚ୍ଚନ୍ୟାୟାଳୟ ବାର୍ ଆସୋସିଏସନର ବିରୋଧ

କଟକ: ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ)କୁ ଉଚ୍ଚନ୍ୟାୟାଳୟ ବାର୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଛି। ତେବେ ବାର୍ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ନିର୍ବାହୀ ପରିଷଦ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବା ପରେ ନୂତନ ନିୟମାବଳୀ ସ୍ଥଗିତ ରଖିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ଉପସଭାପତି ଦେବୀ ପ୍ରସାଦ ଦାଶ ଓ ସମ୍ପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କାଙ୍କ ସହ ଅନ୍ୟ କର୍ମକର୍ତ୍ତା ‌ଉପସ୍ଥିତ ଥିଲେ। ତେବେ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ବୋଲି ଉଚ୍ଚନ୍ୟାୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବର୍ତ୍ତମାନ ପାଇଁ ଏ ସମ୍ପର୍କିତ ନୂତନ ନିୟମାବଳୀ କାର୍ଯ୍ୟକାରୀ ସ୍ଥଗିତ ରଖିବା ପାଇଁ ଉଚ୍ଚନ୍ୟାୟାଳୟ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି।

ଏ ନେଇ ମୁଖ୍ୟ ବିଚାରପତିଙ୍କ ସହିତ ଅନ୍ୟ ସମସ୍ତ ବିଚାରପତିଙ୍କୁ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି। ଏପରି ବ୍ୟବସ୍ଥା ଦ୍ବାରା ଆଇନଜୀବୀଙ୍କ ମର୍ଯ୍ୟାଦା ତଥା ଅଦାଲତଙ୍କ ଗରିମା ପ୍ରଭାବିତ ହେବ। ଏଭଳି ବ୍ୟବସ୍ଥାର ମଧ୍ୟ ଅପବ୍ୟବହାର ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏହି ପ୍ରସଙ୍ଗରେ ବାର୍ ସଦସ୍ୟଙ୍କ ମତ ନିଆଯିବା ସହିତ ଅଧିକ ଆଲୋଚନା ଆବଶ୍ୟକ। ବାର୍‌ ତଥା ଅନୁଷ୍ଠାନର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନୂତନ ନିୟମାବଳୀ କାର୍ଯ୍ୟକାରୀ ଏବେ ସ୍ଥଗିତ ରଖାଯାଉ ବୋଲି ଉଚ୍ଚନ୍ୟାୟାଳୟ ବାର୍ ପକ୍ଷରୁ ଦର୍ଶାଯାଇଛି।

Comments are closed.