ପଞ୍ଜିକୃତ ମାଲିକଙ୍କ ମୃତ୍ୟୁ ହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ନିର୍ଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ, ସରକାରଙ୍କୁ ଜବାବ ଦାଖଲ ନିର୍ଦେଶ

କଟକ : ମୃତ୍ୟୁ ହୋଇ ସାରିଥିବା ଲୋକଙ୍କ ନାଁରେ ଥିବା ଜମି ବିକ୍ରି ପାଇଁ ତାଙ୍କ ପରିବାର ସଦସ୍ୟଙ୍କୁ ଏ ସଂପର୍କିତ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ଜମି ବିକ୍ରି ପାଇଁ ଏପରି ଉତ୍ତରାଧିକାରୀ ପ୍ରମାଣପତ୍ର ତହସିଲ କାର୍ଯ୍ୟାଳୟରୁ ଜାରି କରାଯାଇଛି ବୋଲି ଏଥିରେ ଉଲ୍ଲେଖ ଥିବ। ଯଦି ଏପରି ପ୍ରମାଣପତ୍ର ମୃତକଙ୍କ ପରିବାର ସଦସ୍ୟ ଦାଖଲ ନ କରନ୍ତି ତେବେ ସେମାନଙ୍କ ବିକ୍ରି କବଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ନାହିଁ। ଯଦି ଏପରି ନିର୍ଦ୍ଦେଶ ଉଲ୍ଲଂଘନ କରାଯାଇ ଜମିର ବିକ୍ରି କବଲା ପଞ୍ଜୀକରଣ କରାଯାଏ ତେବେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର)ଙ୍କ ଏପରି ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି
କରିଛନ୍ତି। ଜାନୁଆରି ୧୫ ତାରିଖ ସୁଦ୍ଧା ଏହି ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଭାତ କୁମାର ତ୍ରିପାଠୀ ଓ ଅନ୍ୟ ୪ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ଶ୍ବେତଲିନା ଦାସ ଓ ଆଶୁତୋଷ ସାହୁ ସହାୟତା କରୁଥିଲେ।
ବିବରଣୀରୁ ପ୍ରକାଶ ଯେ କଟକ ସହର ଉପକଣ୍ଠରେ ଜଣେ ମହିଳାଙ୍କ ଏକ ଜମି ରହିଥିଲା। ଏଥି ପାଇଁ ତାଙ୍କୁ ପଟ୍ଟା ମଧ୍ୟ ମିଳିିଥିଲା। ୨୦୧୭ରେ ମହିଳାଙ୍କ ମୃତ୍ୟୁ ହେବା ପରେ ଏହି ଜମି ବିକ୍ରି ପାଇଁ ତାଙ୍କ ପରିବାର ନିଷ୍ପତ୍ତି ନେଇଥିଲା। ମହିଳାଙ୍କ ସ୍ବାମୀ, ପୁଅ ଓ ଝିଅମାନେ ଏହି ଜମି ବିକ୍ରି ପାଇଁ ବିକ୍ରି କବଲା କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିଥିଲେ; କିନ୍ତୁ ଉତ୍ତରାଧିକାର ପ୍ରମାଣପତ୍ର ନଥିବାରୁ ବିକ୍ରି କବଲାକୁ ପଞ୍ଜୀକରଣ କରିବାକୁ ସବ୍-ରେଜିଷ୍ଟ୍ରାର ମନା କରିଥିଲେ। ୨୦୨୦, ଡିସେମ୍ବର ୧୪ରେ ଆଇଜିଆର ଜାରି କରିଥିବା ନିର୍ଦ୍ଦେଶନାମା ଯୋଗୁଁ ଏହି ବିକ୍ରି କବଲା ଗ୍ରହଣୀୟ ନୁହେଁ। ଏହି ନିର୍ଦ୍ଦେଶନାମା ଅନୁସାରେ ଜମିର ପଟ୍ଟାରେ ଉଲ୍ଲେଖ କରାଯାଇଥିବା ପଞ୍ଜୀକୃତ ମାଲିକଙ୍କ ମୃତ୍ୟୁ ହୋଇ ସାରିଥିବାରୁ ବିକ୍ରି କବଲା ପଞ୍ଜୀକରଣ ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଅାବଶ୍ୟକ ବୋଲି ଆବେଦନକାରୀଙ୍କୁ କୁହାଯାଇଥିଲା। କିନ୍ତୁ ମୃତ ବ୍ୟକ୍ତିଙ୍କ ସ୍ବାମୀ, ପୁଅ ଓ ଝିଅମାନେ ତାଙ୍କ ପ୍ରକୃତ ଉତ୍ତରାଧିକାରୀ ହୋଇଥିବାରୁ ଜମି ବିକ୍ରି କବଲା ପଞ୍ଜୀକରଣ ପାଇଁ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ କିଛି ଶୁଣି ନଥିଲେ। ଏହାପରେ ଡିସେମ୍ବର ୧୪‌ର ଆଇଜିଆରଙ୍କ ନିର୍ଦ୍ଦେଶନାମା ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଆଇଜିଆରଙ୍କ ନିର୍ଦ୍ଦେଶନାମା ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ପାଇଁ କୁହାଯାଉଛି। କିନ୍ତୁ ସରକାର ଏପରି କିଛି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି। ତେଣୁ ଆଇଜିଆରଙ୍କ ଏପରି ନିର୍ଦ୍ଦେଶନାମାକୁ ବେଆଇନ ବୋଲି ଘୋଷଣା କରାଯାଇ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Comments are closed.