ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ: ବିଭିନ୍ନ ସେତୁ ଓ ରାସ୍ତା ନିର୍ମାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସେତୁ ଓ ରାସ୍ତା ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ତିନିକୁଦି, କୂଅପଦା, ପଥରପଦା, ନିଖିଳ ଗୋବିନ୍ଦପୁର, ସିରୁଳି-କରମଳା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିବା ସହ ସେତୁଗୁଡ଼ିକୁ ଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତିି । ସେହିପରି କୃଷ୍ଣପ୍ରସାଦ ବ୍ଲକ୍‌ର ମିର୍ଜାପୁର ବସ୍ତିରେ ଜମୁଥିବା ପାଣିର ନିଷ୍କାସନ ପାଇଁ ସୁବନ୍ଦୋବସ୍ତ କରିବା ନିମନ୍ତେ ଶ୍ରୀ ଦାସବର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ କୃଷ୍ଣପ୍ରସାଦ ବ୍ଲକର ଚଢ଼େୟା ରାସ୍ତା, ବ୍ରହ୍ମଗିରି ବ୍ଲକ୍‌ର ନାଣ୍ଡୀପୁର ଓ ପୁରୀ ସଦର ବ୍ଲକ୍‌ର ଅଠରଭାଗ ରାସ୍ତାର ଆବଶ୍ୟକତା ଅନୁଯାୟୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ପାଇଁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଗ୍ରାମ୍ୟ ନିର୍ମାଣର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ ସାମଲ, ମୁଖ୍ୟଯନ୍ତ୍ରୀ, କୋଠାବାଡ଼ି ଓ ସେତୁ ରମେଶ ବେହେରା, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରାମପ୍ରସାଦ ଆଚାର୍ଯ୍ୟଙ୍କ ସମେତ ପୁରୀ ଓ ବ୍ରହ୍ମଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.