MEllora 950×100

ଆନନ୍ଦ ଟପ୍ପୋ ହତ୍ୟା ମାମଲା, ହାଇକୋର୍ଟରେ ଥାନାଧିକାରୀ ଭର୍ତ୍ସିତ

କଟକ/ଭୁବନେଶ୍ବର: ତଦନ୍ତ ଅନିୟମିତତା ଅଭିଯୋଗରେ ଭୁବନେଶ୍ବର ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କ କାର୍ଯ୍ୟକୁ ନେଇ ହାଇକୋର୍ଟ ଶୁକ୍ରବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇଆଇସିଙ୍କୁ ଏକ ବର୍ଷ ପାଇଁ କୌଣସି ଫିଲ୍ଡ ପୋଷ୍ଟିଂ ଅର୍ଥାତ୍‌ ଥାନାରେ ଦାୟିତ୍ବ ନ ଦେବାକୁ ପୁଲିସ କମିସନରଙ୍କୁ ହାଇକୋର୍ଟ କଡ଼ା ନିର୍ଦେଶ ଦେଇଛନ୍ତି। ଥାନାକୁ ଆସୁଥିବା ଲୋକଙ୍କୁ କିପରି ବ୍ୟବହାର କରି​ବେ, ମାମଲା ପ୍ରତି କିପରି ସମ୍ବେଦନଶୀଳ ହେବେ ସେ ନେଇ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀକୁ ତାଲିମ ପାଇଁ ପଠାଇବାକୁ ଉପଯୁକ୍ତ ପଦକ୍ଷେପ ପୁଲିସ କମିସନର ଗ୍ରହଣ କରିବେ। ଏଥିସହିତ ଭୁବନେଶ୍ବର ଡିସିପି ତଦନ୍ତର ତଦାରଖ କରିବେ। ମାମଲାର ତଦନ୍ତ କରି ଚୂଡାନ୍ତ ରିପୋର୍ଟ ତିନି ମାସ ଭିତରେ ଦାଖଲ କରିବାକୁ ହାଇକୋର୍ଟ କଡ଼ା ନିର୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି।

ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହକି ଖେଳାଳି ତଥା ଡିଏସ୍‌ପି ବୀରେନ୍ଦ୍ର ଲାକ୍ରଙ୍କ ବିରୋଧରେ ଅଭିଯୋଗ ଆଣି ମୃତକଙ୍କ ବାପା ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିଲେ। ମାତ୍ର ଥାନାଧିକାରୀ ସମିତା ପ୍ରଥମେ ଏତଲା ରଖି ନଥିଲେ। ପରେ ସେ ଏତଲାରୁ ବୀରେନ୍ଦ୍ରଙ୍କ ନା କାଟିବାକୁ ମୃତ ଆନନ୍ଦଙ୍କ ପିତାଙ୍କୁ କହିଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଘଟଣାରେ ଆଇଆଇସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମୃତ ଆନନ୍ଦଙ୍କ ପିତା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ହାଇକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ଭୁବନେଶ୍ୱର ଇନଫୋସିଟି ଥାନା ଅଧିକାରୀ ସମିତାଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ ଦେଇଥିଲେ। ଆଇଆଇସି ଦେଇଥିବା ସ୍ପଷ୍ଟୀକରଣ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଡିସିପି ଏହି ପ୍ରସଙ୍ଗରେ ତଦନ୍ତ କରି ଦେଇଥିବା ରିପୋର୍ଟ ଆଇଆଇସିଙ୍କ କଥାର ପୁନରାବୃତ୍ତି ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟରେ ମାମଲା ରୁଜୁ ପରେ ନଭେମ୍ବର ୨୪ରେ ଆବେଦନକାରୀଙ୍କ ଏତଲା ଗ୍ରହଣ କରି ଇନଫୋସିଟି ଥାନାରେ ଏତଲା ରୁଜୁ କରାଯାଇଥିଲା। ପୁଲିସ କାର୍ଯ୍ୟଶୈଳୀକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏତଲା ପଞ୍ଜୀକରଣ ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣା ସଂପୃକ୍ତ ଥାନାର ଅସମ୍ବେଦନଶୀଳତା ପ୍ରତି ଶକ୍ତ ଚାପୁଡ଼ା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ, ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ ମୃତକ ଆନନ୍ଦ ଟପ୍ପୋଙ୍କ ବାପା। ମୃତକଙ୍କ ବାପା ବନ୍ଧନ ଟପ୍ପୋ ଆବେଦନରେ ଦର୍ଶାଇଥିଲେ ଯେ, ଫେବୃଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା୍ରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍‌ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର-୪୦୧ରେ ବେକରେ ଶାଢ଼ି ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ।

ପ୍ରକାଶଥାଉକି, ହକିତାରକ ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ଏମିତିକି ବୀରେନ୍ଦ୍ରଙ୍କୁ ମୃତକଙ୍କ ପରିବାରବର୍ଗ ପୁଅ ଭଳି ଦେଖୁଥିଲେ। ବୀରେନ୍ଦ୍ରଙ୍କ ବିବାହ ସମୟରେ ମଧ୍ୟ ମୃତକଙ୍କ ବାପା-ମା ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗତ ନଭେମ୍ବରରେ ବୀରେନ୍ଦ୍ର ମୃତକଙ୍କ ଘରେ ପହଞ୍ଚି ତା ବାପାଙ୍କୁ କହିଥିଲେ,‘ଆନନ୍ଦ ଏମିତି କଣ ହେଉଛି। ତାକୁ ମନା କର। ଏ ବିଷୟରେ କିନ୍ତୁ ବୀରେନ୍ଦ୍ର ଆଉ କିଛି ଅଭିଯୋଗ କରି ନଥିଲେ। ଏମିତିକି ମୃତ୍ୟୁ ଦିନ ବୀରେନ୍ଦ୍ର ଘଟଣାସ୍ଥଳକୁ ଗଲେନି। ଯେତେ ଅନୁରୋଧ କଲେ ବି ସେ ବାହାନା କରିବା ସହ ଇନଫୋସିଟି ଥାନାକୁ ଡାକିଥିଲେ। ମୃତକ ଆନନ୍ଦ ଓ ବୀରେନ୍ଦ୍ରଙ୍କ ସହ ରହୁଥିବା କୁତ୍ରା ବ୍ଲକ ଅନ୍ତର୍ଗତ ସମଲେଇମୁଣ୍ଡାର ମୂଳ ନିବାସୀ ମନଜିତ ଏକାସାଙ୍ଗରେ ପାଠ ପଢିଥିଲେ ଓ ଭଲ ବନ୍ଧୁ ଥିଲେ। ମୃତ୍ୟୁ ଦିନ ଉକ୍ତ ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ। ଏଭଳି ସଙ୍ଗୀନ ଅପରାଧ ଘଟଣାର ସଠିକ ତଦନ୍ତ ପାଇଁ ଭୁବନେଶ୍ୱର ପୁଲିସ ସହାୟତା କରୁ ନଥିବା ଅଭିଯୋଗ ହୋଇଛି। ଏଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କିମ୍ବା ଅନ୍ୟ କୌଣସି ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

Comments are closed.