ବୟସ ନ ହୋଇ ନିର୍ବାଚନ ଲଢ଼ିବା ମହଙ୍ଗା ପଡ଼ିଲା, ଆଜମ ଖାନଙ୍କ ପୁଅର ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ

ଲକ୍ଷ୍ନୌ: ବୟସ ନ ହୋଇ ନିର୍ବାଚନ ଲଢ଼ିବା ସାଂସଦ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ହାଇକୋର୍ଟ ଅବଦୁଲ୍ଲାଙ୍କ ବିଧାୟକ ପଦକୁ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ଉଭୟ ଆଜମ ଏବଂ ଅବଦୁଲ୍ଲାଙ୍କୁ ଶକ୍ତ ଝଟ୍‌କା ଲାଗିଛି। ନିର୍ବାଚନରେ ଅବଦୁଲ୍ଲା ବୟସ ସଂକ୍ରାନ୍ତରେ ଜାଲ୍‌ ପ୍ରମାଣପତ୍ର ଦାଖଲ କରିଥିବା ସଂକ୍ରାନ୍ତରେ ଆଗତ ଏକ ମାମଲାର ବିଚାର କରି ଆଲାହାବାଦ ହାଇକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।

ସୂଚନା ମୁତାବକ, ଅବଦୁଲ୍ଲାଙ୍କ ବିରୋଧରେ ବିଏସପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନବାବ କାଜିମ ଏହି ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ​‌ଯେ​‌, ୨୦୧୭ ବିଧାନସଭା ନିର୍ବାଚନ ସମୟରେ ଅବଦୁଲ୍ଲାଙ୍କ ବୟସ ଯୋଗ୍ୟତା ଅନୁସାରେ ସର୍ବନିମ୍ନ ୨୫ ବର୍ଷ ହୋଇ ନ ଥିଲା। ସେ ଜାଲ୍‌ ପ୍ରମାଣପତ୍ର ଦାଖଲ କରି ନିର୍ବାଚନ ଲଢ଼ିଥିଲେ। ଗତ ସେପ୍ଟେମ୍ବର ୨୭ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଅବଦୁଲ୍ଲା ହେଉଛନ୍ତି ଆଜମ ଖାନଙ୍କ ସାନ ପୁଅ।

Comments are closed.