କାମଳର ମୃତ୍ୟୁ ଫାଶ, ଅଧ ମିନିଟ୍ରେ ଗୋଟିଏ ଜୀବନ
ଭୁବନେଶ୍ବର: ହେପାଟାଇଟିସ୍ (କାମଳ) ହେଉଛି ଲିଭର(ଯକୃତ)ର ଏକ ରୋଗ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥ୍ୟ କହୁଛି ସମ୍ପ୍ରତି ସମଗ୍ର ବିଶ୍ୱରେ ପ୍ରାୟ ୩୨ କୋଟି ୫୦ ଲକ୍ଷ ଲୋକ ହେପାଟାଇଟିସ୍ରେ ଆକ୍ରାନ୍ତ। ତଦ୍ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁଁ ପ୍ରାୟ ପ୍ରତି ୩୦ ସେକେଣ୍ଡରେ ଜଣଙ୍କ ମୃତ୍ୟୁ ଘଟୁଛି। ଲୋକଙ୍କ ଦେହରେ ହେପାଟାଇଟିସ୍ ଥିଲେ ମଧ୍ୟ ସେମାନେ ଏ ବିଷୟରେ ଜାଣିପାରନ୍ତି ନାହିଁ। ବିଶେଷ ଲକ୍ଷଣ ପରିଲକ୍ଷିତ ହେଉ ନଥିବାରୁ ସେମାନେ ପରୀକ୍ଷା କରାଇ ନଥାନ୍ତି। ଯଦ୍ବାରା ସେମାନେ ଅନ୍ୟଙ୍କୁ ସଂକ୍ରମିତ କରିଥାନ୍ତି। ତେବେ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ବକୁ ହେପାଟାଇଟିସ୍ ମୁକ୍ତ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଲକ୍ଷ୍ୟ ରଖିଛି।
ହେପାଟାଇଟିସ୍ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସ ବାର୍ତ୍ତା ହେଉଛି- ‘ହେପାଟାଇଟିସ୍ ଅପେକ୍ଷା କରେନାହିଁ।’ ଯାହାର ଅର୍ଥ- ହେପାଟାଇଟିସ୍୍ ପରୀକ୍ଷା, ଚିକିତ୍ସା ଏବଂ ରୋଗ ନିରୂପଣ ସହ ରୋଗ ବିଷୟରେ ଗୁଜବରୁ ରକ୍ଷା ପାଇବା।
ଏନେଇ ଆପୋଲୋ ଡାକ୍ତରଖାନା ମୁଖ୍ୟ ପରାମର୍ଶଦାତା, ତଥା ପେଟ ଏବଂ ଯକୃତରୋଗ ବିଶେଷଜ୍ଞ ଡା. ସୁଶାନ୍ତ କୁମାର ସେଠୀଙ୍କ ମତରେ କରୋନା ମହାମାରୀ କାୟା ବିସ୍ତାର କରୁଥିବା ବେଳେ ହେପାଟାଇଟିସ୍ ରୋଗ ଚିକିତ୍ସା ନିମନ୍ତେ ଅବହେଳା କରିବା ନାହିଁ। ଚିକିତ୍ସା ଅଭାବ ହେତୁ ୩୦ ସେକେଣ୍ଡରେ ଜଣେ ହେପାଟାଇଟିସ୍ ରୋଗୀଙ୍କ ମୃତ୍ୟୁ ହେଉଛି। ଯାହାକି ଉଦ୍ବେଗଜନକ। ମହାମାରୀ ସମୟରେ ଚିକିତ୍ସା ନିମନ୍ତେ ସରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବା ଆବଶ୍ୟକ। ହେପାଟାଇଟିସ୍ ‘ଏ’ ଏବଂ ‘ଇ’ ଦୂଷିତ ପାନୀୟ ଜଳ ଓ ଖାଦ୍ୟ ପଦାର୍ଥ ଯୋଗୁଁ ବ୍ୟାପିଥାଏ। ‘ବି’ ଏବଂ ‘ସି’ ରକ୍ତ ତଥା ରକ୍ତ ଜନିତ ପଦାର୍ଥ ସଂକ୍ରମଣରୁ ହୁଏ। ‘ଏ’ ଏବଂ ‘ଇ’ ବେଳେବେଳେ ମହାମାରୀ ରୂପ ଧାରଣ କରିପାରେ। ଏକକାଳୀନ ବହୁତ ବ୍ୟକ୍ତି କାମଳ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ଦେଶର ସମୁଦାୟ ଜନସଂଖ୍ୟାର ୩ରୁ ୫ ପ୍ରତିଶତ ହେପାଟାଇଟିସ୍ ‘ବି’ ରୋଗରେ ପୀଡ଼ିତ ଥିବାବେଳେ ପାଖାପାଖି ୨ ପ୍ରତିଶତ ବ୍ୟକ୍ତି ହେପାଟାଇଟିସ୍ ‘ସି’ରେ ଆକ୍ରାନ୍ତ। ଅବଶ୍ୟ ଦେଶ ତୁଳନାରେ ଓଡ଼ିଶା ରାଜ୍ୟର ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦେଖିଲେ ଯଥେଷ୍ଟ କମ୍। କିନ୍ତୁ ଏହା ବି ସତ ଯେ, ରାଜ୍ୟରେ ଦୁର୍ଗମ ତଥା ଗ୍ରାମାଞ୍ଚଳରେ ପ୍ରକୃତ ସର୍ବେକ୍ଷଣ କରାଯାଉନାହିଁ। ରାଜ୍ୟରେ ବିଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫୫ଟି କାମଳଜନିତ ମହାମାରୀ ଆସିଥିବା କୁହାଯାଉଛି। ଗତ କିଛି ବର୍ଷ ତଳେ ସମ୍ବଲପୁର, କଟକ ଏବଂ ଭୁବନେଶ୍ବରରେ ବହୁତ ଲୋକ କାମଳରେ ଆକ୍ରାନ୍ତ ହୋଇଥିଲେ। ହେପାଟାଇଟିସ୍ ଟିକାକରଣ, ପରୀକ୍ଷା ଏବଂ ଚିକିତ୍ସା କରି ଆସନ୍ତା ୨୦୩୦ ସୁଦ୍ଧା ସମଗ୍ର ବିଶ୍ବକୁ ହେପାଟାଇଟିସ୍ ମୁକ୍ତ କରାଯାଇ ପାରିବ। ଏଥିପାଇଁ ଜନସାଧାରଣ ଏବଂ ସରକାରଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ ରହିଛି।
ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏେଣ୍ଟ୍ରାଲୋଜି ଆଣ୍ଡ୍ ଲିଭର୍ ସାଇନ୍ସର ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ର କହିଛନ୍ତି, ଯକୃତ ହେଉଛି ମଣିଷ ଶରୀରର ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ। ଯାହା ଖାଦ୍ୟ ପାଚନରେ ସହାୟତା କରିବା ସଙ୍ଗେ ରକ୍ତକୁ ପରିଷ୍କାର କରେ। ବାହ୍ୟ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ। ହେପାଟାଇଟିସ୍ରେ ଯକୃତ ସଂକ୍ରମିତ ହେଲେ ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେନାହିଁ।
କେଉଁ ପ୍ରକାର ହେପାଟାଇଟିସ୍ ଓ କେତେ ସଂକ୍ରମଣ ଅଛି ତା’ଉପରେ ଚିକିତ୍ସା ନିର୍ଭର କରେ। ଭୂତାଣୁ ନିରୋଧୀ (ଆଣ୍ଟିଭାଇରାଲ୍) ଓ ଅନ୍ୟାନ୍ୟ ଔଷଧ ଦିଆଯାଏ। ରୋଗ ଅତି ଗୁରୁତର ହୋଇଥିଲେ ଯକୃତ ପ୍ରତ୍ୟାରୋପଣ କରିବାକୁ ପଡ଼ିଥାଏ। ଏଥିସହ ଜୀବନ ଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼େ। ମଦ୍ୟପାନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସହ ସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବା ଉଚିତ। ଇଞ୍ଜେକ୍ସନ ଦେବା ଓ ନେବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ସ୍ୱଚ୍ଛ ପାନୀୟ ଜଳ ଓ ରନ୍ଧା ଖାଦ୍ୟ ଖାଇବା ଦରକାର। ଯଦି କିଛି ପେଟ ସମସ୍ୟା ରହୁଥାଏ, ତେବେ ପେଟ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
Comments are closed.