୨୭ରେ ଶପଥ ନେବେ ହେମନ୍ତ : ଆଜି ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବେ

ରାଞ୍ଚି :  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( ଜେଏମଏମ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ଆସନ୍ତା ୨୭ ତାରିଖରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଆଶା କରାଯାଉଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କ ମହାମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ନିଜ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି । ମଙ୍ଗଳବାର ସେ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ। ଆଜି ବିଧାୟକ ଦଳ ବୈଠକ ମଧ୍ୟ ବସିବ। ଔପଚାରିକତା ଦୃଷ୍ଟିରୁ ଏହି ବୈଠକରେ ହେମନ୍ତ ସୋରେନଙ୍କୁ ବିଧାୟକ ଦଳ ନେତା ବଛା ଯିବା ପରେ ରାଜ୍ୟରେ ସରକାର ଗଢ଼ିବା ପାଇଁ ସେ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କ ନିକଟରେ  ଦାବି ଉପସ୍ଥାପନ କରିବେ।

ଇତିମଧ୍ୟରେ ସରକାରୀ ଭାବେ ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନର ଫଳାପଳ ଘୋଷିତ ହୋଇଛି । ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ମହାମେଣ୍ଟ ୪୭ଟି ଆସନରେ ବିଜୟୀ ହୋଇଛି । ବିଜେପି ୨୫ ଆସନରେ ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ବିଜେପିର ସଭାପତି ଲକ୍ଷ୍ମଣ ଗିଲୁବା ପରାସ୍ତ ହୋଇଛନ୍ତି । ନଭେମ୍ବର ୩୦ରୁ  ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଡିସେମ୍ବର ୨୦ରେ ଶେଷ ହୋଇଥିଲା ।

 

Comments are closed.