ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ କାନ୍ଦିବା ଜରୁରୀ!

– ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ହସିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି। ବିଶ୍ବସ୍ତରରେ ଏପରିକି ଭାରତର ମଧ୍ୟ ବିଭିନ୍ନ ପ୍ରାନ୍ତରେ ହସିବା ପାଇଁ ‘ଲାଫିଙ୍ଗ୍ କ୍ଲବ୍’ ମାନ ସଂଖ୍ୟାଧିକ ରହିଛି। ପ୍ରକୃତରେ ମନ ଖୁସି ରହିଲେ ସବୁକିଛି ଠିକ୍ ରହେ, ଏଥିରେ ସତ୍ୟତା ଅଛି। ନିକଟରେ କିନ୍ତୁ ଗବେଷକଦଳ ସ୍ପଷ୍ଟ କରିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ୍ ଅଧିକ। ଜାପାନର ବିଶେଷଜ୍ଞ ଦଳ ଏହାର ସତ୍ୟତା ପରୀକ୍ଷା ନିମନ୍ତେ ପ୍ରଥମେ କର୍ମଜୀବୀ ଲୋକଙ୍କ ଉପରେ ପ୍ରୟୋଗ ଆରମ୍ଭ କରିଥିଲେ। ଏହା ମଧ୍ୟ ସତ ଯେ ବିନା କାରଣରେ ହସିବା ସହଜ ହୋଇଥିବାବେଳେ କାନ୍ଦିବା ଏକ ବଡ଼ ଚ୍ୟାଲେଞ୍ଜ୍। ଏଥି ନିମନ୍ତେ ସ୍ବତନ୍ତ୍ର ଭାବେ ‘କାନ୍ଦିବା ପ୍ରଶିକ୍ଷକ’ଙ୍କୁ ମଧ୍ୟ ଯୋଗାଡ଼ କରାଗଲା। ଟୋକିଓର ଏକ ନାମୀ ଅନ୍ତର୍ଜାତୀୟ କମ୍ପାନୀର ୪୩ଜଣ କର୍ମଚାରୀଙ୍କୁ ସାମିଲ କରାଗଲା। ଜନୈକ କର୍ମଚାରୀ ୟୋଶିବାଙ୍କ ମତରେ ପ୍ରକୃତରେ ହସିବା, ଚୁପ୍ ରହିବା ଠାରୁ କାନ୍ଦିବାର ପ୍ରତିକ୍ରିୟା ଭିନ୍ନ। କାନ୍ଦିଲେ ମନ ଶାନ୍ତ ହେବା ସହ ଖୁବ୍ ହାଲୁକା ଲାଗେ। ଜାପାନରେ ଗବେଷକଦଳ ଏଇ ପରିପ୍ରେକ୍ଷୀରେ ସଫଳ ହେବା ପରେ ବର୍ତ୍ତମାନ ବିଶ୍ବର ଅନ୍ୟ ରାଷ୍ଟ୍ରରେ ‘କାନ୍ଦିବା ଜରୁରୀ’ କାର୍ଯ୍ୟକ୍ରମ ଆଗେଇବାରେ ଲାଗିଛି।